ଖୋର୍ଦ୍ଧା: ‌ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ଓ ବାଲିପାଟପୁର ଜେଟି ସହ ଚିଲିକାକୁ ସଂଯୋଗ କରୁଥିବା ୯ କିମି ଦୀର୍ଘ ନଦୀ ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ଶୁଖିଲା ପଡ଼ିଛି। ଫଳରେ ଚିଲିକା ଉପରେ ନିର୍ଭର କରୁଥିବା ଆଖପାଖ ଅଞ୍ଚଳର ୧୦ ହଜାର ମତ୍ସ୍ୟଜୀବୀଙ୍କ ଜୀବିକା ବର୍ତ୍ତମାନ ବିପନ୍ନ ହୋଇଛି। ଏହି ନଦୀକୁ ପୁଣି ସଚଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନରେ ସିଡିଏ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ ହୋଇଛି।

Advertisment

ସୂଚନାନୁସାରେ, ଚଳିତବର୍ଷ ଅକ୍ଟୋବର ୨୧ ତାରିଖରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁଷଣ୍ଡପୁର ଓ ବାଲିପାଟପୁର ଗସ୍ତ କରିଥିଲେ। ଏହି ସମୟରେ ସ୍ଥାନୀୟ ଲୋକ ନଦୀ ପୋତି ହୋଇ ପଡ଼ିବାରୁ ସେମାନଙ୍କ ଜୀବିକା କିଭଳି ବିପନ୍ନ ହୋଇଛି ସେନେଇ ଜଣାଇଥିଲେ। ମତ୍ସ୍ୟଜୀବୀଙ୍କ କହିବାନୁସାରେ, ଚିଲିକାକୁ ସଂଯୋଗ କରୁଥିବା ନଦୀ ବର୍ତ୍ତମାନ ଦଳ ଓ ପଟୁମାଟିରେ ପୋତି ହୋଇଯାଇଛି। ବର୍ଷା ଋତୁର ୨ରୁ୩ ମାସ କେବଳ ଏଥିରେ କୌଣସି ପ୍ରକାରେ ପାଣି ରହିଥାଏ, ବର୍ଷକର ବଳକା ସମୟ ଶୁଖିଯାଇଥାଏ। ଫଳରେ ମତ୍ସ୍ୟଜୀବୀ ମାନେ ଆଉ ନଦୀ ରାସ୍ତା ଦେଇ ଚିଲିକା ମାଛ ମାରିବାକୁ ଯାଇ ପାରିନଥାନ୍ତି। ଏଣୁ ବଳକା ୭ ରୁ ୮ମାସ ସେମାନେ ଆନ୍ଧ୍ର, ପଶ୍ଚିମବଙ୍ଗ ଆଦି ରାଜ୍ୟକୁ କାମଧନ୍ଦା ପାଇଁ ଚାଲିଯାଇଥାନ୍ତି। ଅଳ୍ପ କିଛି ଦୀର୍ଘ ୪୦ କିମି ବାଲୁଗାଁ ଯାଇ ସେଠାରେ ମାଛ ଧରି ନିଜର ଜୀବିକା ନିର୍ବାହ କରିଥାନ୍ତି।

ଏହାପରେ ସାଂସଦ ଶ୍ରୀମତି ଷଡ଼ଙ୍ଗୀ ସିଡିଏ କର୍ତ୍ତୃପକ୍ଷ ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଭୁଷଣ୍ଡପୁର ଓ ବାଲିପାଟପୁର ଜେଟି ସହ ଚିଲିକାକୁ ସଂଯୋଗ କରୁଥିବା ନଦୀର ପୁନରୁଦ୍ଧାର ପାଇଁ ଆଲୋଚନା କରିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କୁ ଜଣାଇବା ପରେ  ପରିବେଷ ମନ୍ତ୍ରଣାଳୟ ପକ୍ଷରୁ ନଦୀର ପୁନରୁଦ୍ଧାର ପାଇଁ ଅର୍ଥ ବରାଦ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଗତକାଲି ସିଡିଏ ପକ୍ଷରୁ ନାବଚାଳିତ ସ୍ୱତନ୍ତ୍ର ଡୋଜରରେ ଉକ୍ତ ନଦୀରୁ ଦଳ ସଫା କରିବା ଆରମ୍ଭ କରାଯାଇଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମୀରଞ୍ଜନ ମହାପାତ୍ର, ସ୍ଥାନୀୟ ପ୍ରତିନିଧି, ବିଜେପିର କାର୍ଯ୍ୟକର୍ତ୍ତାଙ୍କ ସମେତ ସିଡିଏର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଏନେଇ ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର କହିଛନ୍ତି ଯେ ୯ କିମି ଦୀର୍ଘ ନଦୀର ପୁନରୁଦ୍ଧାର ପାଇଁ ୧୩ ରୁ ୧୪ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏହି ଅର୍ଥ ଆସନ୍ତା ୩ ରୁ ୪ମାସ ମଧ୍ୟରେ କେନ୍ଦ୍ର ସରକାର ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।