ବାରିପଦା: ଗତ ଅଗଷ୍ଟ ମାସରେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟାରେ ମୟୂରଭଞ୍ଜ ଜିଲ୍ଲାରେ ୧ କୋଟି ୭୭ ଲକ୍ଷ ୮ ହଜାର ୧୭ ଟଙ୍କାର ଧନସମ୍ପତି କ୍ଷୟକ୍ଷତି ହୋଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯାଇଛି। ବର୍ଷା ପ୍ରଭାବରେ ଜିଲ୍ଲାର ସମସ୍ତ ୨୬ଟି ବ୍ଲକ୍‌ରେ କ୍ଷତି ହୋଇଛି। ଘର ଓ ଫସଲ କ୍ଷୟକ୍ଷତି ଅଧିକ ଥିବା ବେଳେ ସାଧାରଣ ସମ୍ପତ୍ତିର ବେଶି କ୍ଷତି ହୋଇନାହିଁ। ସରକାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟ ଅନୁଯାୟୀ ବର୍ଷା ପ୍ରଭାବରେ ଜିଲ୍ଲାର ୫୧୯ଟି ଗାଁର ୭ ହଜାର ୩୧୨ ଲୋକ ପ୍ରତକ୍ଷ୍ୟ ଭାବେ ପ୍ରଭାବିତ ହୋଇଛନ୍ତି। ଜିଲ୍ଲାରେ ମୋଟ ୧ହଜାର ୭୪ଟି ଘର ଭାଙ୍ଗିଛି। ‌ସେଥିମଧ୍ୟରୁ ଗୋଟିଏ ଘର ସମ୍ପୁର୍ଣ୍ଣ ଭାଙ୍ଗିଥିବା ବେଳେ ବାକି ସବୁ ଆଂଶିକ କ୍ଷୟକ୍ଷତି ହୋଇଥିବା କୁହାଯାଇଛି। ଘରଭଙ୍ଗା ବାବଦ ୪୮ ଲକ୍ଷ ୯୪୧ ଟଙ୍କାର କ୍ଷତି ହୋଇଛି।

Advertisment

ଜିଲ୍ଲାରେ ବର୍ଷା ପ୍ରଭାବରେ ୨ ହଜାର ୪ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଛି। ଯାହାର ଅନୁମାନିକ ମୂଲ୍ୟ ୬୬ ଲକ୍ଷ ୩ ହଜାର ୬୦୭ ଟଙ୍କା। ସେହିପରି ପ୍ରାୟ ୬୨ ଲକ୍ଷ ୫୦ ହଜାର ଟଙ୍କାର ରାସ୍ତା, ପୋଲ ନଷ୍ଟ କ୍ଷୟକ୍ଷତି ହୋଇଛି। ବର୍ଷାରେ କାନ୍ଥ ପଡ଼ି ୫ ଜଣ ଶିଶୁ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ନଦୀରେ ଭାସି ମୃତ୍ୟୁବରଣ କରିଛନ୍ତି। ତେବେ ବର୍ଷା କ୍ଷୟକ୍ଷତି ରିପୋର୍ଟରେ କେବଳ ୫ ଶିଶୁଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ବାକି ୨ ଜଣଙ୍କ ଶବ ବ୍ୟବଛେଦ ଓ ତହସିଲଦାରଙ୍କ ତଦନ୍ତ ରିପୋର୍ଟ ପରେ ସରକାରଙ୍କୁ ଅବଗତ କରାଯିବ। ମୃତ ୫ ଶିଶୁଙ୍କ ପରିବାର ଭଳି ଏହି ଦୁଇ ମୃତଙ୍କ ପରିବାରକୁ ମଧ୍ୟ କ୍ଷତିପୂରଣ ରାଶି ମିଳିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ବର୍ଷା କ୍ଷୟକ୍ଷତି ବାବଦ ସହାୟତା ରାଶି ତୁରନ୍ତ ବିପନ୍ନଙ୍କ ପାଖରେ ପହଞ୍ଚିବ। ଆଉ କ୍ଷୟକ୍ଷତି ହୋଇଥିବା ସାଧାରଣ ସମ୍ପତ୍ତିର ମରାମତି ଓ ପୁନରୁଦ୍ଧାର କାମ ତ୍ବରିତ କରିବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।