କେନ୍ଦ୍ରାପଡ଼ା: ବାତ୍ୟା ଜୱାଦ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଯେଉଁ ଧାନ ଫସଲ ଉଜୁଡ଼ି ଯାଇଥିଲା, ସେହି କ୍ଷତି ପରିମାଣର ୩୩ରୁ ୫୦ପ୍ରତିଶତ ଭିତରେ ହେବ। କୌଣସି ଗୋଟିଏ ବି ବ୍ଲକ୍ ଅଂଚଳରେ ହେକ୍ଟର୍ ପିଛା ୫୦ପ୍ରତିଶତରୁ ଅଧିକ ପରିମାଣର ଧାନ ଫସଲ ନଷ୍ଟ ହୋଇନାହିଁ। ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିସନ୍ଙ୍କୁ ଜିଲ୍ଲା ପ୍ରଶାସନ ଏହି ମର୍ମରେ ଫସଲହାନି ରିପୋର୍ଟଦେଇଛି।
ରିପୋର୍ଟ ମୁତାବକ, ଜିଲ୍ଲାରେ ୫୧ହଜାର ୬୬୪ହେକ୍ଟର୍ ଜମିରେ ଧାନ ଫସଲ ନଷ୍ଟ ହୋଇଛି, ଯାହାକି ସମୁଦାୟ ଧାନ ଚାଷ ହୋଇଥିବା ଜମିରୁ ୪୧ପ୍ରତିଶତ ହେବ। ଏହି କ୍ଷତି ପରିମାଣ ୩୩ରୁ ୫୦ପ୍ରତିଶତ ଭିତରେ ହେବ ଏବଂ ୧୮୮ଟି ପଂଚାୟତର ୧,୧୧୩ଟି ଗ୍ରାମର ଚାଷୀଙ୍କ ଫସଲ ବାତ୍ୟାରେ ନଷ୍ଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଜିଲ୍ଳା କୃଷି କାର୍ଯ୍ୟାଳୟର ତଥ୍ୟ ମୁତାବକ, ଚଳିତ ବର୍ଷ ଜିଲ୍ଲାରେ ମୋଟ ୧ ଲକ୍ଷ ୨୪ହଜାର ୬୦୦ ହେକ୍ଟର୍ ଜମିରେ ଧାନ ଫସଲ ହୋଇଥିଲା। ଫସଲ ଏତେ ଭଲ ହେଇଥିଲା ଯେ ଚାଷୀର ଖୁସିର ଠିକଣା ନ ଥିଲା। କିନ୍ତୁ ଧାନ କାଟିବାକୁ ଚାଷୀ ପାଗ ଭିଡ଼ିଲା ବେଳକୁ ବାତ୍ୟା ଜୱାଦ ସବୁକିଛି ବରବାଦ୍ କରିଦେଲା ା ଅଧିକାଂଶ ବିଲରେ ଆଣ୍ଠୁଏ ପ୍ରାୟ ବର୍ଷା ପାଣି ଜମି ରହିବାରୁ କେବଳ ପାଚିଲା ଧାନ ପଚିଲା ତା’ ନୁହେଁ, ଫସଲ ବି ଉଜୁଡ଼ି ଯାଇଥିଲା ା ସରକାରଙ୍କ ନିର୍ଦ୍ଦେଶାନୁଯାୟୀ କ୍ଷୟକ୍ଷତି ଆକଳନ ପରେ ସ୍ବତନ୍ତ୍ର ରିଲିଫ୍ କମିସନଙ୍କୁ ଫସଲହାନିର ଯେଉଁ ଚୂଡ଼ାନ୍ତ ରିପୋର୍ଟ ଦିଆଯାଇଛି, ସେଥିରେ ୫୧ହଜାର ୬୬୪ହେକ୍ଟର୍ ବିଲରେ ଧାନ ଧାନ ଫସଲ ନଷ୍ଟ ହୋଇଥିବା ଦର୍ଶାଯାଇଛି ା ଅର୍ଥାତ୍ ଜିଲ୍ଲାରେ ସମୁଦାୟ ଚାଷ ହୋଇଥିବା ଫସଲରୁ ୪୧ପ୍ରତିଶତ ଧାନ ନଷ୍ଟ ହୋଇଛି ଏବଂ ଏହି କ୍ଷତି ପରିମାଣ ୩୩ରୁ ୫୦ପ୍ରତିଶତ ଭିତରେ ହେବ ବୋଲି ପ୍ରଶାସନ ତାର ରିପୋର୍ଟ ଉଲ୍ଲେଖ କରିଛି।
କେବଳ ସେତିକି ନୁହେଁ, ଜିଲ୍ଲାର ୯ଟା ଯାକ ବ୍ଲକ୍ ମଧ୍ୟରୁ କୌଣସି ଗୋଟିଏ ବି ଅଂଚଳରେ ଫସଲ କ୍ଷତି ୫୦ପ୍ରତିଶତ କିମ୍ବା ତାଠୁ ଅଧିକ ଟପିନଥିବା ରିପୋର୍ଟରେ ଉଲ୍ଲେଖ ଅଛି ା ବାତ୍ୟା ପ୍ରଭାବରେ ସର୍ବାଧିକ ବର୍ଷା ହୋଇଥିବା ରାଜନଗର, ମହାକାଳପଡ଼ା ବ୍ଲକ୍ର ଅନେକ ଅଂଚଳରେ ଧାନ ଫସଲ ସଂପୂର୍ଣ୍ଣ ଉଜୁଡ଼ି ଯାଇଥିବା ଦେଖିବାକୁ ମିଳିଥିବା ବେଳେ ପ୍ରଶାସନ ରିପୋର୍ଟରେ କିନ୍ତୁ ସେହି କ୍ଷତି ପରିମାଣ ୫୦ପ୍ରତିଶତରୁ ଅଧିକ ନୁହେଁ ବୋଲି ଦର୍ଶାଯିବା ଚାଷୀ ମହଲକୁ ଆଚମ୍ବିତ କରିଛି ା ଯଦିଓ ୩୩ପ୍ରତିଶତରୁ ଅଧିକ କ୍ଷୟକ୍ଷତି ହୋଇଥିଲେ ଚାଷୀଙ୍କୁ ସରକାରୀ କ୍ଷତିପୂରଣ ମିଳିବାର ନିୟମ ରହିଛି, କିନ୍ତୁ କ୍ଷତି ପରିମାଣ ୫୦ପ୍ରତିଶତ ଭିତରେ ରଖାଯିବା ପଛର ଉଦ୍ଦେଶ୍ୟ କିଛି ବୁଝାପଡ଼ୁନାହିଁ। ସର୍ବାଧିକ ରାଜନଗର ବ୍ଲକ୍ରେ ୧୩ହଜାର ୭୮୦ହେକ୍ଟର୍ ବିଲରେ ଧାନ ଫସଲ କ୍ଷତି ହୋଇଥିବା ବେଳେ ମହାକାଳପଡ଼ା ବ୍ଲକ୍ରେ ୮୮୧୨ହେକ୍ଟର୍, ପଟ୍ଟାମୁଣ୍ଡାଇରେ ୮୮୦୪ହେକ୍ଟର୍ କ୍ଷତି ହୋଇଥିବା ଦର୍ଶାଯାଇଛି ା ସେହିପରି ଆଳି ବ୍ଲକ୍ରେ ସର୍ବନିମ୍ନ ମାତ୍ର ୨୨୧ହେକ୍ଟର୍ ଜମିରେ ଧାନ ଫସଲ ଉଜୁଡ଼ିଥିବା ବେଳେ ଡେରାବିଶରେ ୭୨୮ହେକ୍ଟର୍ ଫସଲ ନଷ୍ଟ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ରିଲିଫ୍ କମିସନ୍ଙ୍କୁ ଏହି କ୍ଷୟକ୍ଷତି ରିପୋର୍ଟ ଦିଆ ସରିଥିଲେ ବି ଚାଷୀଙ୍କୁ କ୍ଷତିପୂରଣ ରାଶି ଏଯାଏ ବଣ୍ଟା ଯାଇନାହିଁ। ସରକାରଙ୍କ ଘୋଷଣା ମୁତାବକ ୩୩ପ୍ରତିଶତ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବର୍ଷା ଜଳ ଉପରେ ନିର୍ଭର କରୁଥିବା ଜମି ପାଇଁ ହେକ୍ଟର୍ ପିଛା ୬,୮୦୦ଟଙ୍କା ଏବଂ ଜଳସେଚିତ ଅଂଚଳ ପାଇଁ ୧୩,୫୦୦ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରାଯିବ । ଅତିରିକ୍ତ ଜିଲ୍ଳାପାଳ ପୀତାମ୍ବର ସାମଲ କହିଛନ୍ତି ଯେ କ୍ଷୟକ୍ଷତି ରିପୋର୍ଟ ଏସ୍ଆର୍ସିଙ୍କୁ ପଠାଇ ଦେଇଛୁ ା ଟଙ୍କା ମଂଜୁର ହେଲେ ଚାଷୀଙ୍କୁ କ୍ଷତିପୂରଣ ରାଶି ସଂଗେ ସଂଗେ ବଣ୍ଟାଯିବ । ଯେହେତୁ ଚାଷୀଙ୍କ ଆକାଉଣ୍ଟ୍କୁ ସିଧାସଳଖ ଟଙ୍କା ପଠାଯିବାର ବ୍ୟବସ୍ଥା ରହିଛି, ତେଣୁ ବଣ୍ଟାଯିବାର ସେଭଳି ସମସ୍ୟା ଉପୁଜିବ ନାହିଁ ବୋଲି ଶ୍ରୀ ସାମଲ ଦୃଢ଼ୋକ୍ତି ବାଢ଼ିଛନ୍ତି ା