ଦୃଷ୍ଟିହୀନ ହାଡୁ ମାଗିଲେ ଆବାସ ଓ ଭିନ୍ନକ୍ଷମ ବିବାହ ପ୍ରତ୍ସୋହନ ରାଶି
ଭଞ୍ଜନଗର: ଜନ୍ମରୁ ଅନ୍ଧ ହୋଇଥିବା ବେଳେ ଦୈନନ୍ଦିନର ସବୁ କାର୍ଯ୍ୟ କରିବା ପାଇଁ ଅନ୍ୟର ସାହାରା ନେବାକୁ ପଡୁଛି। ବାରମ୍ବାର ପ୍ରସାଶନ ନିକଟରେ ଗୁହାରୀ କରିବା ପରେ ଭତ୍ତା ଓ ମାସିକ ରାସନ ମିଳୁଛି କିନ୍ତୁ ରହିବା ପାଇଁ ଆବାସ ଓ ଶୌଚାଳୟ ନଥିବାରୁ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି ଭଞ୍ଜନଗର ବ୍ଳକ୍ ଅଧୀନ କୁଲାଡ ଗ୍ରାମର ଦଣ୍ଡପାଣି ସାହୁଙ୍କ ପୁଅ ହାଡୁବନ୍ଧୁ ସାହୁ। ସେ ଦୃଷ୍ଟିହୀନ ହୋଇଥିବାରୁ ଅନ୍ୟକିଛି ରୋଜଗାରର ପନ୍ଥା ନପାଇ କେବଳ ମାସିକ ଭତ୍ତା ଉପରେ ନିର୍ଭର କରି ଚଳିଥାନ୍ତି। ବୃଦ୍ଧ ବାପା ମାଆ ସାଙ୍ଗକୁ ପତ୍ନୀ ଓ ପୁଅଝିଅଙ୍କୁ ନେଇ କୁଲାଡ ତେଲି ସାହିରେ ଏକ କୁଡିଆରେ ଜୀବନ ଅତିବାହିତ କରନ୍ତି ବୋଲି ପ୍ରକାଶ କରିଛନ୍ତି। ଘର ପାଇଁ ସରକାରୀ ସହାୟତା ମାଗିବାକୁ ପ୍ରଶାସନ ନିକଟକୁ ଅନେକ ଥର ଯାଇ ମଧ୍ୟ କୌଣସି ସୁଫଳ ପାଇନଥିବା ହାଡୁ ପ୍ରକାଶ କରିଛନ୍ତି। ପ୍ରଶାସନିକ ଅଧିକାରୀ ମାନେ ସହାନୁଭୂତିର ସହ ସମସ୍ତ ସମସ୍ୟାକୁ ଶୁଣୁଥିଲେ ମଧ୍ୟ ତାଙ୍କୁ ସହାୟତା ମିଳୁନଥିବା କହିଛନ୍ତି। ହାଡୁଙ୍କୁ ଭିନ୍ନକ୍ଷମ କମିଶନ ଘର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବ୍ଳକ ପ୍ରଶାସନ ତାଙ୍କୁ ଘର ଯୋଗା ଦେଉନଥିବା ସେ ଗତକାଲି ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚାଲିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଭାବେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିସହ ବର୍ତ୍ତମାନ ସ୍ବଚ୍ଚ ଭାରତ ଅଭିଯାନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶୌଚାଳୟ ମିଳିଥିବା ବେଳେ ସେ ଏଥିରୁ ବଞ୍ଚିତ ରହିଥିବା ଦର୍ଶାଇଛନ୍ତି। ଶୌଚପାଇଁ ନଦୀକୁ ଯିବା ସମୟରେ ଅନେକ ଲୋକ ତାଙ୍କୁ ବାରଣ କରୁଥିବା ସେ ପ୍ରକାଶ କରିଛନ୍ତି। ଏଥିସହ ତାଙ୍କର ପ୍ରଥମ ପତ୍ନୀଙ୍କ କର୍କଟ ରୋଗରେ ଦେହାନ୍ତ ହେବା ପରେ ସେ ଦ୍ବିତୀୟ ବିବାହ କରିଥିଲେ। ସରକାରୀ ନିୟମ ଅନୁଯାୟୀ ତାଙ୍କ ପତ୍ନୀଙ୍କୁ ଭିନ୍ନକ୍ଷମ ବିବାହ ପ୍ରତ୍ସାହନ ରାଶିର ଯୋଜନା ରହିଥିବା ବେଳେ ଅନେକ ଗୁହାରି କରିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ତାଙ୍କୁ ଭିନ୍ନକ୍ଷମ ବିବାହ ରାଶି ପ୍ରଦାନ କରାଯାଉନଥିବା ଜିଲ୍ଲାପାଳଙ୍କୁ କହିଥିଲେ। ଏଥିସହ ତାଙ୍କର ଝିଅକୁ କଲେଜରେ ପାଠ ପଢିବା ପାଇଁ ନାମ ଲେଖାରେ ସହାୟତ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି। ଜିଲ୍ଲାପାଳ ତାଙ୍କ ଆବେଦନ ପତ୍ର ଗ୍ରହଣ କରିବା ସହ ସରକାରୀ ନିୟମ ଅନୁଯାୟୀ ହାଡୁଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ତାକୁ ପ୍ରତିଶ୍ରୁତି ଦେଇଛନ୍ତି।