ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ବଡ଼ସାଇମରା ପଞ୍ଚାୟତ ଖଲିଆପାଲି ଗାଁର ଅରୁଣ ବାଗଙ୍କ ନାବାଳକ ପୁଅ ଗୁଣନିଧି ବାଗ (୧୫ବର୍ଷ)ଙ୍କ ମୃତଦେହ ଶନିବାର ଏକ ଗଛରୁ ପରିବାର ଲୋକେ ଉଦ୍ଧାର କରିଥିଲେ। ଏହି ଘଟଣାରେ ପୁଲିସ ୨ଜଣ ଅଭିଯୁକ୍ତ ଖଲିଆପାଲି ଗାଁର ସୁଶାନ୍ତ ଖର୍ସେଲ (୧୯ବର୍ଷ) ଓ ଆୟୁଷ ଚିନ୍ଦା(୧୮ବର୍ଷ)ଙ୍କୁ ଗିରଫ କରିଥିଲା। ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ ଥିବାରୁ ତାକୁ କିଶୋର ନ୍ୟାୟ ବୋର୍ଡ ଆଗରେ ହାଜର କରାଯାଇଥିଲା।
ସୂଚନା ଅନୁସାରେ, ଗୁଣନିଧିଙ୍କୁ ଜାତି ଆକ୍ଷେପ କରି ପିଟି ପିଟି ମାରି ଦେବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିଲା ବୋଲି ବାପା ଅରୁଣ ମୁରିବାହାଲ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ମୁତାବକ, ଇଚ୍ଛାପଡ଼ା ଗ୍ରାମର ପ୍ରତାପ ସାଗରରେ ଗାଧୋଇବାକୁ ନେଇ ଗାଁର ସୁଶାନ୍ତ, ଆୟୁଷ ଓ ଉକ୍ତ ନାବାଳକ ଜାତି ଆକ୍ଷେପ କରି ଗୁଣନିଧିଙ୍କ ସହ ଗଣ୍ଡଗୋଳ କରିଥିଲେ। ସନ୍ଧ୍ୟା ସମୟରେ ଗୁଣନିଧିଙ୍କ ମୃତଦେହ ଗଛରୁ ଉଦ୍ଧାର କରି ପରିବାର ଲୋକେ କଣ୍ଟାବାଞ୍ଜି ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅରୁଣଙ୍କ ଏତଲା ଆଧାରରେ ଥାନା କେସ୍ ନଂ ୧୦୪/୨୩ରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସୁଶାନ୍ତ ଓ ଆୟୁଷଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଯାଇଥିଲା ଏବଂ ନାବାଳକକୁ ରାଉରକେଲା ବାଳସୁଧାର ଗୃହକୁ ପଠାଯାଇଥିଲା ବୋଲି କଣ୍ଟାବାଞ୍ଜି ଏସ୍ଡିପିଓ ଗୌରାଙ୍ଗ ଚରଣ ସାହୁ ପ୍ରକାଶ କରିଛନ୍ତି।