ପୁଣି ଅଲୋଡ଼ା ଶିଶୁ, ପରିତ୍ୟକ୍ତ ଅବସ୍ଥାରେ ସଦ୍ୟଜାତ ଶିଶୁପୁତ୍ର ଉଦ୍ଧାର

ଚିତ୍ରଡ଼ା: ପୁଣି ଅଲୋଡ଼ା ହୋଇଛି ଶିଶୁ। ଆଜି ଭୋର ସମୟରେ ପରିତ୍ୟକ୍ତ ଅବସ୍ଥାରେ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଥିବା ଜଣାପଡିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ମୋରଡ଼ା ଠାରେ। ହାଡ଼ଥରା ଶୀତ କାକରରେ ମାନବିକତାକୁ ଭୁଲିଯାଇ ଫିଙ୍ଗିଦେଲେ ସଦ୍ୟଜାତ ଶିଶୁପୁତ୍ର। ଯାହା ଫଳରେ ବଦନାମ ସାଙ୍ଗକୁ ଉପହାସିତ ହେଉଛି ମାତୃତ୍ୱ। ତେବେ କୋଉ ଅବସ୍ଥାରେ ଏବଂ କାହିଁକି ଜଣେ ମାଆ ମାତୃତ୍ୱକୁ ପଛରେ ପକାଇ ନିଜ ଜନ୍ମିତ ଶିଶୁପୁତ୍ରକୁ କୋଳ ଛଡା କରି ଫିଙ୍ଗିଦେବା ପାଇଁ ସମ୍ମତି ଦେଲେ ତାହା ତଦନ୍ତ ସାପେକ୍ଷ। ଏହା ପଛରେ ପାରିବାରିକ ଚାପ ନା ସାମାଜିକ ଲଜ୍ୟାର ଭୟ ।

ତେବେ ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ମୋରଡ଼ା ଷ୍ଟାଡିୟମ ପଛରେ ଥିବା ଲଟାବୁଦିଆ ଜଙ୍ଗଲର ଏକ ବାଉଁଶ ବୁଦା ନିକରରୁ ଉଦ୍ଧାର ହୋଇଛି ଉକ୍ତ ନବଜାତ ଶିଶୁପୁତ୍ର। ଆଜି ଭୋର ୪ଟା ବେଳେ ଶୌଚ ହେବା ପାଇଁ ପଦାକୁ ଯାଇଥିବା ସ୍ଥାନୀୟ ଅଞ୍ଚଳର ସୁମନ୍ତ ମୁଖି ହଠାତ ଏକ ଶିଶୁ ର କାନ୍ଦ ଶୁଣି ପ୍ରଥମେ ଭୟଭୀତ ହୋଇ ଫେରି ଆସିଥିଲେ ଘରକୁ। ପରେ ପରିବାର ସହିତ ଘଟଣାସ୍ଥଳରେ ପହଞ୍ଚି ଦେଖିଲେ ଏକ ନବଜାତ ଶିଶୁପୁତ୍ର ବାଉଁଶ ବୁଦା ନିକଟରେ ପଡିଛି ଏବଂ ଶୀତ କାକରେ କାନ୍ଦୁଛି। ତେବେ ପରିତ୍ୟକ୍ତ ଅବସ୍ଥାରେ ଶିଶୁପୁତ୍ରକୁ ଉଦ୍ଧାର କରି ଘରକୁ ଆଣି ଘରେ ଗରମ ବ୍ୟବସ୍ଥା କରି ସୁମନ୍ତ ଙ୍କ ସ୍ତ୍ରୀ ଶିଶୁ ପୁତ୍ର କୁ ତାଙ୍କ ନିଜ କ୍ଷୀର ପିଆଇ ସ୍ୱାଭାବିକ କରିଥିଲେ।

ଏନେଇ ଅଙ୍ଗନୱାଡି ଦିଦିଙ୍କୁ ଖବର ମଧ୍ୟ ଦେଇଥିଲେ। ସେହିପରି ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟକର୍ମୀ ଖବରପାଇ ସୁମନ୍ତଙ୍କ ପରିବାର ନିକଟରେ ପହଞ୍ଚି ମୋରଡ଼ା ଡାକ୍ତରଖାନାକୁ ଶିଶୁ ପୁତ୍ର ଟିକୁ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲେ। ତେବେ ଉଦ୍ଧାର ଶିଶୁପୁତ୍ରର ଓଜନ ୨କିଲୋ ୨୪୦ଗ୍ରାମ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ି ଥିବା ବେଳେ ସ୍ବାସ୍ଥ୍ୟବସ୍ଥା ସ୍ୱାଭାବିକ ଥିବା ବେଳେ ଓଠ ରେ ଫୋଟକା ବାହାରିଥିବା ପ୍ରକାଶ କରିଛନ୍ତି। ତେବେ ଅଧିକ ଚିକିତ୍ସାସେବାର ଆବଶ୍ୟକତା ଥିବା ଅନୁଭବ କରି ୧୦୨ଆମ୍ବୁଲାନ୍ସ ଡକାଇ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେଇଛନ୍ତି ମୋରଡ଼ା ଡାକ୍ତରଖାନା କତ୍ତୃପକ୍ଷ। ସେହିପରି ଘଟଣା ସମ୍ପର୍କରେ ସୂଚନା ପାଇ ମୋରଡ଼ା ଥାନା ଆଇଆଇସି କୁନି ବେଶ୍ରା ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର