କାଳିଆପାଣି: ସୁକିନ୍ଦା ବନାଞ୍ଚଳ ଓ ସେକ୍ସନର କରଡ଼ାପାଳସ୍ଥିତ ନାଳିଆଝର ଗାଁର ସୁଧାଂଶୁ ଶେଖର ପ୍ରଧାନଙ୍କ ଏକ ଫଳ ବଗିଚାରୁ ଆଜି ଏକ ଭାଲୁ ଉଦ୍ଧାର କରାଯାଇଛି। ପାଖ ଜଙ୍ଗଲରୁ ପାଚିଲା ଆମ୍ବ ଓ ପଣସର ବାସ୍ନା ବାରି ଫଳ ଖାଇବା ଆଶାରେ ଆସି ବଗିଚାର ତାରବାଡ଼ରେ ଫସି ଯାଇଥିଲା। ଭାଲୁ ଗର୍ଜନକରି କିଛି ସମୟ ପାଇଁ ଆତଙ୍କ ଖେଳାଇଥିଲା।
ରେଞ୍ଜର ବିପିନ ବିହାରୀ ରାଉତରାୟଙ୍କ ତତ୍ତ୍ବାବଧାନରେ ବନପାଳ ଦୀପ୍ତିମୟୀ ନାୟକ ସଦଳବଳ ଘଟଣାସ୍ଥଳରେ ରହି ସୁକିନ୍ଦା ଅଗ୍ନିଶମ ବାହିନୀ ସହାୟତାରେ ଭାଲୁକୁ କାବୁ କରିଥିଲେ। ତା’ ଗଳାରେ କ୍ଷତ ଥିବା ଦେଖି ବ୍ଲକର ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସମୀର ବେହେରା, ଡାକ୍ତର ଚିରଞ୍ଜୀବ ସାହୁ ଓ ଡାକ୍ତର ଶୁଭଶ୍ରୀ ନାୟକ ଚିକିତ୍ସା କରିଥିଲେ। ୨ ବର୍ଷ ବୟସର ଏହି ଭାଲୁ ବିପଦମୁକ୍ତ ଥିବା ଓ ସନ୍ଧ୍ୟାରେ ଏହା ସ୍ବାଭାବିକ ଖାଦ୍ୟ ଖାଇଥିବା କୁହାଯାଇଛି। କିଛିଦିନ ପରେ ଭାଲୁକୁ ସୁରକ୍ଷିତ ସ୍ଥାନରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/34-7.jpg)