ବସ୍ତା: ବାଲେଶ୍ବର ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ କୁଶଡିହା ଗ୍ରାମରେ ଗତକାଲିଠାରୁ ଏକ ଶିଶୁ ନିଖୋଜ ଥିଲା। ଆଜି ଉକ୍ତ ଶିଶୁପୁତ୍ରର ମୃତଦେହ ଗ୍ରାମର ଏକ ପୋଖରୀରୁ ଉଦ୍ଧାର ହୋଇଛି। ବସ୍ତା ଥାନା ଅନ୍ତର୍ଗତ କୁଶଡିହା ଗ୍ରାମର ଅରୁଣ ରାମଙ୍କର ୨ବର୍ଷର କୁନି ପୁଅ ରିତିକ ରାମ୍‌ ଗତକାଲି  ବଡ଼ଭାଇ ରିଶି ରାମ୍‌ ସହିତ ସକାଳ ପ୍ରାୟ ୬.୩୦ ମିନିଟ୍ ସମୟରେ ଘରେ ବସି ମୋବାଇଲ ଦେଖୁଥିଲା। ରିତିକର ମାଆ ତାଙ୍କର ଦୁଇ ପୁଅଙ୍କୁ ମୋବାଇଲ ଦେଖିବା ପାଇଁ ଦେଇ ଘର କାମରେ ଲଗିଯାଇଥିଲେ।

Advertisment

ଯେତେବେଳେ ମ‌ାଆ ନିଜର ଘର କାମ ଶେଷ କରି ଫେରିଲେ ତ ସେ ଆଉ ସେ ତାଙ୍କର ୨ ବର୍ଷର କୁନି ପୁଅ ରିତିକକୁ ପାଇଲେନାହିଁ। ତାପରେ ସେ ସାହିପଡ଼ିଶା ସମସ୍ତଙ୍କୁ ଜଣାଇ ବହୁ ଖୋଜାଖୋଜି ଆରମ୍ଭ କରିଦେଲେ। ତା’ ସ୍ୱତ୍ତେ ମଧ୍ୟ ସେ ପିଲାକୁ ପାଇଲେ ନାହିଁ। ଶେଷରେ ନିରାଶ ହୋଇ ପରିବାର ଲୋକ ବସ୍ତା ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ।

ଥାନା ଅଧିକାରୀ ବସ୍ତା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ପାଖରେ ଥିବା ୩ଟି ପୋଖରୀରେ ବହୁତ୍ ଖୋଜିଲେ। କିନ୍ତୁ ରିତିକ ମିଳିଲା ନାହିଁ। ଶେଷରେ ରିତିକର ବାପା ଚାରିଆଡୁ ନିରାଶ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଆଜି ସକାଳ ସମୟରେ ପିଲାଟି ଘର ନିକଟସ୍ଥ ଏକ ଗାଡିଆରେ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ଜଣାଯାଇଛି।