ରାୟଗଡା: ରାୟଗଡା ନିକଟସ୍ଥ ଚାନ୍ଦିଲି ପୁଲିସକୁ ମିଳିଛି ସଫଳତା। ବିଭିନ୍ନ ସ୍ଥାନରୁ ମଟର ସାଇକେଲ, ମୋବାଇଲ ଏବଂ ଲ୍ୟାପଟପ ଚୋରି ହେଉଥିବା ନେଇ ଚାନ୍ଦିଲି ପୁଲିସ ନିକଟରେ ଏତଲା ଦିଆ ଯାଇଥିଲା। ଏନେଇ ଚାନ୍ଦିଲି ପୁଲିସ ଥାନାର ଆଇଆଇସି ଜେ କେ ହିଆଲଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ଚୋରି ମଟର ସାଇକେଲ, ମୋବାଇଲ ଏବଂ ଲ୍ୟାପଟପ ଉଦ୍ଧାର କରିବା ସହ ଚୋରକୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଚଢଉ କରାଯିବା ପରେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଭାକୁରଗୁଡା ଗ୍ରାମରେ ଚଢଉ କରିଥିଲା। ଏହି ଗ୍ରାମର କିଛି ନାବାଳକ ପିଲା ଏହି ଚୋରି ଘଟଣାରେ ସାମିଲ ଥିବା ଜାଣିବା ପରେ ସେମାନଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ ସବୁ ଚୋରି ଘଟଣାର ପର୍ଦାଫାସ ହୋଇଥିଲା। ପୁଲିସ କୋତାପେଟା ଅଞ୍ଚଳରେ ରହୁଥିବା ଚୋର ମାନଙ୍କୁ କାବୁ କରିବା ସହ ୧୨ଟି ମଟର ସାଇକେଲ ଉଦ୍ଧାର କରିଥିଲା। ସେଥିମଧ୍ୟରୁ ୫ଟି ବଜାବ ପଲସର, ଗୋଟିଏ ହିରୋ ଗ୍ରେମର, ଦୁଇଟି ପେସନ ପ୍ଲସ, ଦୁଇଟି ହିରୋ ହୋଣ୍ଡା ସ୍ପେଣ୍ତର, ଗୋଟିଏ ବଜାଜ ଡିସକଭର, ଗୋଟିଏ ହିରୋହଣ୍ଡା ସିବିଜି।
ସେହିପରି ସେମାନଙ୍କ ଠାରୁ ୪ଟି ମୋବାଇଲ ସହ ଗୋଟିଏ ଲ୍ୟାପଟପ ମଧ୍ୟ ଉଦ୍ଧାର କରିଥିଲା। ଚୋରମାନେ ହେଲେ ରିବେଲକର ଗ୍ରାମର ସନ୍ତୁ ପାଲକା, କେ ମାଲିଙ୍ଗା ଗ୍ରାମର ସିଧାନ୍ତ ମେଲକା ଓ ଶରତ ସାମଲ, ବାସନଗୁଡା ଗ୍ରାମର ଶ୍ରୀହରି ହୁଇକା। ଅନ୍ୟ ଦୁଇ ଜଣ ନାବାଳକ ଅଟନ୍ତି। ସୂଚନାଯୋଗ୍ୟ ଯେ, ରାୟଗଡା ସହର ସମେତ ଆଖପାଖ ଅଞ୍ଚଳରେ ଲଗାତାର ମଟରସାଇକେଲ ସହ ମୋବାଇଲ ଚୋରି ବୃଦ୍ଧି ପାଇଥିଲା। ପୁଲିସ ଚୋରକୁ ଧରିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରି ଚାଲିଥିଲା। ପୁଲିସ ଡାଳେ ଡାଳେ ଗଲେ ଚୋର ପତରେ ପଛରେ ଯାଉଥିଲେ। ଏହି ଗିରଫ ଏବଂ ମଟର ସାଇକେଲ ଉଦ୍ଧାର ପରେ ପୁଲିସ ଉପରେ ଲୋକଙ୍କର ବିଶ୍ବାସ ବଢିଥିବା କୁହାଯାଇଛି। ନିଜ ନିଜର ମଟର ସାଇକେଲ ଓ ମୋବାଇଲ ଚୋରି ହୋଇଥିବା ଲୋକେ ପୁଲିସ ନିକଟରେ ପହଞ୍ଚି ସେମାନଙ୍କର ଜିନିଷ ନେବା ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି।