ରାଉରକେଲା: ବର୍ଷ ବର୍ଷ ଧରି ମୌଳିକ ସେବାରୁ ବଞ୍ଚିତ ହୋଇ ଆସୁଥିବା ହମିରପୁରବାସିନ୍ଦା ପଞ୍ଚାୟତରେ ସାମିଲ ହେବାକୁ ଦାବି ଜଣାଇଛନ୍ତି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣୀ ହମିରପୁର ସରକାରୀ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝି ଅଧ୍ୟକ୍ଷତା କରିଥିଲେ। ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ଅତିରିକ୍ତ ତହସିଲଦାର ଆଦ୍ୟାଶା ପ୍ରିୟଦର୍ଶନୀ ବଳ, ଆର୍‌ଆଇ ଦୀପମାଳା ବୋଷ ପ୍ରମୁଖ ଯୋଗଦେଇ ହମିରପୁରବାସିନ୍ଦାଙ୍କ ଅଭିଯୋଗ ଶୁଣିଥିଲେ। ଅଞ୍ଚଳବାସୀଙ୍କ କହିବାନୁଯାୟୀ ହମିରପୁର ଏକ ରାଜସ୍ବଗ୍ରାମ ଥିଲା।

Advertisment

ଏହି ଅଞ୍ଚଳକୁ ଏନ୍‌ଏସ୍‌ଟି (ଷ୍ଟିଲ ଟାଉନସିପ୍‌) ଅଧୀନରେ ରଖାଯାଇଥିଲା। ୧୯୯୫ରେ ରାଉରକେଲା ଇଣ୍ଡଷ୍ଟ୍ରିଆଲ ଟାଉନସିପ୍‌ ଘୋଷଣା ହେବାରୁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କର୍ତ୍ତୃପକ୍ଷ ଏହାର ଦାୟିତ୍ବ ନେଲେ। କିନ୍ତୁ ୧୯୯୮ରେ କାରଖାନା କର୍ତ୍ତୃପକ୍ଷ ଏଥିରୁ ଓହରି ଯିବାରୁ ହମିରପୁର ଗାଁ କାହାରି ଅଧୀନରେ ରହିଲା ନାହିଁ। ଫଳସ୍ବରୂପ ବର୍ଷ ବର୍ଷ ଧରି ହମିରପୁବାସୀ ମୌଳିକ ସୁବିଧାରେ ବଞ୍ଚିତ ହୋଇ ଆସୁଛନ୍ତି। ଶେଷରେ ହମିରପୁରକୁ ପଞ୍ଚାୟତରେ ସାମିଲ କରିବାକୁ ଶତାଧିକ ଲୋକ ଦସ୍ତଖତ ସମ୍ବଳିତ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଡଃ ସୁମନ ଦତ୍ତ ନିଜର ମତ ରଖିଥିଲେ। ଡଃ ପ୍ରଭାତ କୁମାର ମଲ୍ଲିକ, ଆଇନଜୀବୀ ନିରଞ୍ଜନ ଦାସ, ସୋନୁ ବଡ଼ାଇକ, ଯଶିନ୍ତା ଲାକ୍ରା, ଅନିତା ଡୁଙ୍ଗଡୁଙ୍ଗ, ହରମନ ଲାକ୍ରା ପ୍ରମୁଖ ନିଜର ଅଞ୍ଚଳର ସମସ୍ୟା ସମ୍ପର୍କରେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଲ୍ଲେଖଯୋଗ୍ୟ, ହମିରପୁର ସମେତ ଅନ୍ୟାନ୍ୟ ଅଞ୍ଚଳକୁ ପଞ୍ଚାୟତ କିମ୍ବା ଆର୍‌ଏମ୍‌ସିରେ ସାମିଲ କରିବାକୁ ବର୍ଷ ବର୍ଷ ଧରି ଦାବି ହୋଇଆସୁଛି। ଏ ସଂକ୍ରାନ୍ତରେ ତତ୍କାଳୀନ ସୁନ୍ଦରଗଡ଼ ଜିଲ୍ଲାପାଳ ପଞ୍ଚାୟତ ବିଭାଗକୁ ଚିଠି ଲେଖିଥିଲେ। ଆଜି ପର୍ଯ୍ୟନ୍ତ କିନ୍ତୁ ସରକାରଙ୍କ ପକ୍ଷରୁ ଏଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆଜିର ଜନଶୁଣାଣୀରେ ହମିରପୁରବାସିନ୍ଦାଙ୍କୁ ନ୍ୟାୟ ମିଳିବ ତ, ଏମିତି ପ୍ରଶ୍ନ ସାଧାରଣ ଲୋକଙ୍କ ମଧ୍ୟରେ ଉଠିବା ସ୍ବାଭାବିକ।