ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ୯ ନମ୍ବର ଜିଲ୍ଲା ପରିଷଦ ଜୋନ୍ରେ ପ୍ରାର୍ଥୀ ଚୟନକୁ ନେଇ ବିଜେପିରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଦଳର ସମସ୍ତ ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା, ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ସମୂହ ଇସ୍ତଫା ଦେଇଛନ୍ତି। ଇସ୍ତଫାପତ୍ର ଜିଲ୍ଲା ସଭାପତିଙ୍କୁ ପଠାଇ ଦିଆଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ବୀରାଜ କୁଅଁରଙ୍କ ଉପସ୍ଥିତିରେ ସର୍ବସମ୍ମତିକ୍ରମେ ତିନିଜଣ ରବି ମୁଣ୍ଡା, ରଶ୍ମିରଂଜନ ରାଉତ ଏବଂ ଅମର ସିଂହଙ୍କ ନାମ ୯ ନମ୍ବର ଜିଲ୍ଲା ପରିଷଦ ଜୋନ୍ ପାଇଁ ସୁପାରିସ କରାଯାଇଥିଲା। ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଜିଲ୍ଲା ସଭାପତିଙ୍କୁ ପଠା ଯାଇଥିଲା। ମାତ୍ର ଜିଲ୍ଲା ସଭାପତି ଦୁଇଦିନ ତଳେ ମଣ୍ତଳ ସଭାପତି ତଥା କାର୍ଯ୍ୟକାରିଣୀ କମିଟିର କୌଣସି ସଦସ୍ୟଙ୍କୁ ସୂଚନା ନଦେଇ ରାଜ୍ୟ ନେତୃବର୍ଗଙ୍କ ସୁପାରିସକ୍ରମେ ଜଣେ ପ୍ରାର୍ଥୀଙ୍କୁ ମନୋନୀତ କରି ଦଳୀୟ ଟିକଟ ଦେଇଛନ୍ତି। ଏ ସମ୍ପର୍କରେ ଜଣାଯିବା ପରେ ଦଳର କର୍ମକର୍ତ୍ତାମାନେ ଉଦ୍ବେଗ ପ୍ରକାଶ କରିଥିଲେ। ତୁରନ୍ତ ଏହାର ପୁନର୍ବିଚାର ପାଇଁ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଓ ରାଜ୍ୟ ସଭାପତିଙ୍କୁ ଲିଖିତ ଭାବେ ଜଣାଇଥିଲେ।
ଏହି ଘଟଣା ପରେ ଦୁଇଦିନ ହେଲା ମଣ୍ତଳ କାର୍ଯ୍ୟକର୍ତ୍ତା ଓ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ହୋଇଥିଲା। ଗତକାଲି ଜିଲ୍ଲା ବିଜପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଓ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ଘଟଗାଁ ଆସି କାର୍ଯ୍ୟକର୍ତ୍ତାଙ୍କୁ ଭେଟି ଘଟଣାର ସମାଧାନ ପାଇଁ ଚେଷ୍ଟା କରିଥିଲେ। ପ୍ରାର୍ଥୀ ପରିବର୍ତ୍ତନ ପାଇଁ କର୍ମକର୍ତ୍ତାମାନେ ଜିଦ୍ ଧରି ବସିଥିଲେ। ଶେଷରେ ନିଷ୍ପତ୍ତି ପରିବର୍ତ୍ତନ ନହେବାରୁ ଘଟଗାଁ ମଣ୍ଡଳ ସଭାପତି ଗୋଲକ ବଳ, ସାଧାରଣ ସମ୍ପାଦକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ଶା, ସମ୍ପାଦକ ପ୍ରଫୁଲ କୁମାର ନାୟକ, ଉପସଭାପତି ମକରଧ୍ବଜ ବେହେରା, ଲକ୍ଷ୍ମଣ କୁମାର ସରାଡ଼ିଆ, ଶିରପାଣି ମହାନ୍ତ, ସାଧାରଣ ସମ୍ପାଦକ ଭଗବାନ ବେହେରା, ଉପସଭାପତି ନୀଳାମ୍ବର ଦାସ, ଘଟଗାଁ ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଜଗତାନନ୍ଦ ନାୟକ, ଏସସି ମୋର୍ଚ୍ଚା ସଭାପତି ରଂଜନ ପାତ୍ର, ସମ୍ପାଦକ ଶ୍ରୀମତୀ ନାୟକ, ଧନସିଂ ମୁଣ୍ଡା, ଯୁଧିଷ୍ଠିର ଦାସ, ଉତ୍ତମ ପ୍ରଧାନ, ଅଜୟ କୁମାର ମହାପାତ୍ର ପ୍ରମୁଖ ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାପତ୍ର ଜିଲ୍ଲା ବିଜେପି ସଭାପତିଙ୍କ ନିକଟକୁ ପଠାଇ ଦିଆଯାଇଛି। ୯ ନମ୍ବର ଜୋନ୍ରୁ ସମସ୍ତ କାର୍ଯ୍ୟକର୍ତ୍ତା ସମୂହ ଇସ୍ତଫା ଦେବା କାରଣରୁ ଆଗାମୀ ନିର୍ବାଚନରେ ବିଜେପି ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହେବ।