ପଞ୍ଚାୟତ ସମିତି ବୈଠକରେ ରେଜ୍ୟୁଲେସନ କପି ଚିରିଦେଲେ ସରପଞ୍ଚ

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଜି ୭ମ ସମିତି ବୈଠକ‌ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି ଅଧ୍ୟକ୍ଷତା କରିଥିଲେ । ବୈଠକରେ ପୂର୍ବ ରେଜ୍ୟୁଲେସନ ଅ୍ରନୁଯାୟୀ ଏକାଧିକ ଜନ କଲ୍ୟାଣ ପ୍ରକଳ୍ପ କାର୍ଯ୍ୟକାରୀ ନହୋଇ ପାରିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ବୈଠକ ଆରମ୍ଭରୁ ସରକଣା ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟ ନାରାୟଣ ଦାସ ପୂର୍ବ ବୈଠକରେ ରେଜ୍ୟୁଲେସନରେ ଉଲ୍ଲେଖଥିବା ବଟେଶ୍ବର ସ୍କୁଲ, ପୋଖରୀକୂଳ ସାହି ଅଙ୍ଗନବାଡ଼ି ଘର ମରାମତି, ଏହାର ପ୍ରାଚୀର ଓ ଛନ୍ଦୋଳ ଗ୍ରାମ୍ୟରାସ୍ତାର ଉନ୍ନତିକରଣ ନେଇ ପ୍ରଶ୍ନ କରିଥିଲେ ।

ପୂର୍ବ ବୈଠକରେ ଏସଂପର୍କିତ ରେଜ୍ୟୁଲେସନ ପ୍ରସ୍ତୁତ ହୋଇଥିଲେ ହେଁ ନିର୍ମାଣ କାର୍ଯ୍ୟ ଆରମ୍ଭ ନହୋଇ ପାରିବା ନେଇ  ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଶ୍ରୀ ଦାସ ହାତ‌େରେ ଧରିଥିବା ପୂର୍ବ ବୈଠକର ରେଜ୍ୟୁଲେସନ କପି ଚିରି ଉପରକୁ ଫିଙ୍ଗି ଦେଇଥିଲେ । ସରପଞ୍ଚ ଶ୍ରୀ ଦାସ ରେଜ୍ୟୁଲେସନ କପି ଚିରି ଦେବାକୁ କେନ୍ଦ୍ର କରି ଦୁଇ ସମର୍ଥିତ ଗୋଷ୍ଠୀର ଜନ ପ୍ରତିନିଧିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଉମାଦେଇ ବ୍ରହ୍ମପୁର ସରପଞ୍ଚ ସୁକାନ୍ତ କୁମାର ସାହୁ ଓ ସତ୍ୟଭାମାପୁର ସରପଞ୍ଚ ଉମାକାନ୍ତ ଆଚାର୍ଯ୍ୟଙ୍କ ସମେତ ପୂରଣ ପଞ୍ଚାୟତ ସମିତି ସଭ୍ୟ ଲକ୍ଷ୍ମୀଧର ନାୟକ ସରପଞ୍ଚଙ୍କୁ ଦୃଢ଼ ବିରୋଧ କରିବା ସହ ନିନ୍ଦା ପ୍ରସ୍ତାବ ଗୃହୀତ କରିବା ପାଇଁ ବିଡିଓଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ବିଡିଓ ଆଦିକନ୍ଦ ବେହେରା ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବେ  କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ବଇଁଚୁଆ ସରପଞ୍ଚ ସ୍ବର୍ଗତ ବିଜୟ କୁମାର ସାହୁଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ପାନୀୟ ଜଳ ଯୋଗାଣ ସମସ୍ୟା ଆଲୋଚନା ବେଳେ ୨୦୨୪ ସୁଦ୍ଧା ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଯେଗାଣ ଗ୍ରାମ୍ୟ ଜଳଯୋଗାଣ ବିଭାଗର ମୁଖ୍ୟ ପ୍ରସଙ୍ଗ ଥିଲା । ସେହିପରି ୧୬ ନମ୍ବର ଜିଲ୍ଲାପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ ସିଧାସଳଖ ବ୍ଲକ ଅଞ୍ଚଳରେ ୧୪ଗୋଟି ଘରୋଇ ଇଂଜିନିୟର କଲେଜ ଓ ଆଇଟିଆଇ ଶିକ୍ଷାନୁଷ୍ଠାନ ହଷ୍ଟେଲରେ ରହୁନଥିବା ସଂରକ୍ଷିତ ବର୍ଗଙ୍କ ଷ୍ଟାଇପେଣ୍ଡ ଫି ଓ ହଷ୍ଟେଲ ଫି ବାବଦ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ କରିଥିଲେ ।

ସେହିପରି କୋଭିଡ଼ ଅନୁଦାନ ଅର୍ଥରାଶିର  ଅନିୟମିତତା ହୋଇଥିବା କହିଥିଲେ । ଜୟଦେବ ପଞ୍ଚାୟତ ସରପଞ୍ଚ ପ୍ରଜ୍ଞା ପରମିତା ଜେନାମଣି ଫନି କ୍ଷତିଗ୍ରସ୍ତ ଜୟଦେବ ପୀଠକୁ ପର୍ଯ୍ୟଟକ ଆସିବା ଆରମ୍ଭ ହୋଇଥିଲେ ମଧ୍ୟ ସଫେଇ ପାଇଁ ଆସିଥିବା ୫ ଲକ୍ଷ ଟଙ୍କା ବିନିଯୋଗ ହୋଇନପାରିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।  ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ତୈଲୋକ୍ୟ ମଙ୍ଗରାଜ , ସରପଞ୍ଚ ଭାଗ୍ୟଧର ନନ୍ଦୀ , ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର ଓ ସାଂସଦଙ୍କ ପ୍ରତିନିଧି ସିଦ୍ଧେଶ୍ବର ନାଥ ଏବଂ ଅନ୍ୟାନ୍ୟ ପଞ୍ଚାୟତର ଜନ ପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର