ଶିକ୍ଷକଙ୍କୁ ଉଚିତ୍‌ ସମ୍ମାନ: କରୋନାରୁ ସୁସ୍ଥ ହୋଇ ଫେରିବା ପରେ ବନ୍ଦାପନା କରି ପାଛୋଟି ନେଲେ ଗ୍ରାମବାସୀ

ଦେବଗଡ଼: କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେଲେ ଗାଁ ଲୋକେ । ଏଭଳି ଚିତ୍ର ସାମ୍ନାକୁ ଆସିଛି ଦେବଗଡ ଜିଲ୍ଲାର ତିଲେଇବଣି ବ୍ଲକରୁ । ସୋଡ ସଙ୍ଗରୋଧ କେନ୍ଦ୍ରରେ ଜଣେ କାର୍ଯ୍ୟରତ ଶିକ୍ଷକ କରୋନାରେ ସୁସ୍ଥ ହୋଇ ଫେରିବା ପରେ ଗାଁ ଲୋକେ ତାଙ୍କୁ ଘଂଟ ହୁଳୁହୁଳି ଦେଇ ଶୋଭାଯାତ୍ରାରେ ନେଇଛନ୍ତି । ଏପରିକି ତାଙ୍କୁ ବନ୍ଦାପନା କରାଯାଇଛି । ଗତ ୨୫ ତାରିଖରେ ସଂପୃକ୍ତ ଶିକ୍ଷକ କରୋନାରେ ଆକ୍ରାନ୍ତ ଜଣାପଡିବା ପରେ ତାଙ୍କୁ ଚିକିତ୍ସା ପାଇଁ ଦେବଗଡ କୋଭିଡ ମେଡକାଲିରେ ଭର୍ତି କରାଯାଇଥିଲା । ସେ ଘରକୁ ସୁସ୍ଥ ହୋଇ ଫେରିବା ପରେ ଗାଁଲୋକେ ଓ ଲୋକପ୍ରତିନିଧି ଏକାଠି ହୋଇ ସଂପୃକ୍ତ ଶିକ୍ଷକଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ।

ସେପଟେ, କଟକ ଜିଲ୍ଲାରେ ପୁଣି ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଣ୍ଡଳି ସ୍ଥିତ ଏନଡିଆରଏଫ୍ର ଥାର୍ଡ ବାଟାଲିଅନରୁ ୪୯ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହା ସହ ବଡମ୍ବାରୁ ଦୁଇ ଜଣ ଓ ନିଶ୍ଚିନ୍ତକୋଇଲିରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । କିଛିଦିନ ତଳେ ମୁଣ୍ଡଳି ଏନଡିଆରଏଫ ଥାର୍ଡ ବାଟାଲିଅନରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପରେ କ୍ୟାମ୍ପରେ ଥିବା ସମସ୍ତ ବ୍ୟକ୍ତିଙ୍କର ନମୁନା ସଂଗ୍ରହ କରାଯାଇଥିଲା । ସେଥି ମଧ୍ୟରୁ ୪୯ ଜଣଙ୍କଠାରେ କରୋନା ସଂକ୍ରମଣ ଥିବା ସୂଚନା ମିଳିଛି । ତେବେ ଏମାନେ ସମସ୍ତେ ପଶ୍ଚିମ ବଙ୍ଗକୁ ବାତ୍ୟା ଅମ୍ପାନର ପୁନରୁଦ୍ଧାର କାମରେ ନିୟୋଜିତ ହୋଇଥିଲେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସେପଟେ ନୟାଗଡରେ ଜଣେ ଡାକ୍ତର ଓ ନର୍ସ କରୋନା ଆକ୍ରାନ୍ତ ନେଇ ସୂଚନା ମିଳିଛି । ଫଳରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସର୍ଜରୀ ୱାର୍ଡକୁ ସିଲ୍ କରିଛି ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ପୂର୍ବରୁ ସେହି ଡାକ୍ତରଖାନାର ଜଣେ ନର୍ସ କରୋନା ସଂକ୍ରମିତ ହୋଇଥିଲେ । ବ୍ରହ୍ମପୁର ବଡ଼ ମେଡିକାଲର ୪ ଡାକ୍ତର, ୮ ନର୍ସ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଚାନ୍ଦିପୁରର ୨ ପ୍ରତିରକ୍ଷା କର୍ମଚାରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପି ଯାଇଛି ।

ସମ୍ବନ୍ଧିତ ଖବର