ଜୟପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ କୋଟି ୨୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ରୋଗୀ ସହାୟକ ଭବନ ଗତ ୯ମାସ ତଳେ ଲୋକାର୍ପିତ ହୋଇଥିଲା। ତେବେ ଏଯାଏଁ ଏହା କାର୍ଯ୍ୟକାରୀ ହୋଇ ନ ପାରି ଯେଉଁ ଲକ୍ଷ୍ୟରେ ଏହା ନିର୍ମାଣ କରାଯାଇଛି ତାହା ସାଧିତ ହୋଇପାରିନି।
ରାଜ୍ୟ ସରକାର ଏହାର ପରିଚାଳନା ଭାର ମହିଳା ସ୍ବୟଂ ସହାୟକ ଦଳକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାରି ମଧ୍ୟରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପକ୍ଷରୁ ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ, ସିଡିପିଓଙ୍କୁ ୫ଟି ଚିଠି ଦେବା ପରେ ବି କୌଣସି ମହିଳା ସ୍ବୟଂ ସହାୟକ ଦଳକୁ ମିଶନଶକ୍ତି ପକ୍ଷରୁ ସଂପୃକ୍ତ କରାଯାଇନି କି ଏହାର ପରିଚାଳନ ଭାର ନେଇ ନାହାନ୍ତି। ଅପରପକ୍ଷରେ ଏହାର ପରିସରରେ ଥିବା ଖଟ ଗୁଡିକ ଧିରେ ଧିରେ ଖତ ଖାଇବାକୁ ବସିଲାଣି। ଖାସ୍ କରି ରୋଗୀ ଓ ସେମାନଙ୍କ ଚିକିତ୍ସା ପାଇଁ ଆସୁଥିବା ସଂପର୍କୀୟମାନେ ରହିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ବି ସଂପର୍କୀୟ ମାନେ ବିଶ୍ରାମ ନେଇ ନ ପାରି ଡାକ୍ତରଖାନା ପରିସରରେ ଡେରା ପକାଇ ରହୁଛନ୍ତି। ଫଳରେ ଭଲରେ ଥିବା ସହାୟକ ବି ବହୁ ସମୟରେ ରୋଗୀ ହେଉଥିବା ଦେଖିବାକୁ ମିଳିଛି।
ଏହାରି ପରିସରରେ ୬୦ଟି ଶଯ୍ୟା ରଖାଯାଇଥିବା ବେଳେ ଏହାକୁ ତୁରନ୍ତ ବ୍ୟବହାରରେ ଲଗାଇବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି। ଡିଏଚଏଚ ପକ୍ଷରୁ ଏହାରି ମଧ୍ୟରେ ୫ଟି ଚିଠି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଓ ସିଡିପିଓଙ୍କୁ ଦେଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟାଳୟରୁ ସୂଚନା ମିଳିଛି। ଏହାର ପରିଚାଳନା କରିବାପାଇଁ ରାଜ୍ୟ ସରକାର ପ୍ରତ୍ସାହନ ରାଶି ବି ରଖିଥିବା ସୂଚନା ମିଳିଛି। ରାଜ୍ୟ ସରକାର ମିଶନଶକ୍ତି ଯୋଜନାରେ ମହିଳା ଏସଏଚଜିଙ୍କୁ ସାମିଲ କରିବାକୁ ଯୋଜନା କରୁଥିବା ବେଳେ କାହିଁକି ବିଭାଗ ଇଛା ପ୍ରକାଶ କରି ଏସଚଜିକୁ ସଂପୃକ୍ତ କରାଉନି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/jpr-rogi-sahayak-kendra-1-1.jpg)