ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ପରୀକ୍ଷା ଫଳ ପ୍ରକାଶିତ: ବନୀତା ନାୟକ ଶ୍ରେଷ୍ଠ ପିଜି ଛାତ୍ରୀ

ପ୍ରତ୍ୟୁଷ ରାଉତ ଓ ଶୁଭେନ୍ଦୁ ମଣ୍ଡଳ ଯୁଗ୍ମ ଭାବେ ଶ୍ରେଷ୍ଠ ସ୍ନାତକ

ବାରିପଦା: ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟରେ ସ୍ନାତକୋତ୍ତର(ପିଜି) ସମେତ ବୈଷୟିକ ଶିକ୍ଷା ବିସିଏ, ଏମବିଏ ଓ ଏମସିଏର ପରୀକ୍ଷା ଫଳ ପ୍ରକାଶ ପାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଦମୟନ୍ତୀ ବେଶ୍ରା, ପରୀକ୍ଷା ନିୟନ୍ତ୍ରକ କୈଳାଶ ଚନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ୧୭ଟି ବିଷୟରେ ଟପ୍ପର ହୋଇଥିବା ୧୮ ଜଣଙ୍କ ମଧ୍ୟରୁ ୧୩ ଜଣ ଛାତ୍ରୀ ଓ ୫ ଜଣ ଛାତ୍ର ସାମିଲ ଅଛନ୍ତି।

ଚଳିତ ବର୍ଷ ସ୍ନାତକୋତ୍ତର ପରୀକ୍ଷାରେ ୪୨୩ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୨୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷା ଫଳ ୯୬.୩୬ ପ୍ରତିଶତ ରହିଛି। ଏମାନଙ୍କ ମଧ୍ୟରୁ ୧୧୪ଜଣ ପ୍ରଥମ ଶ୍ରେଣୀ(ଡିଷ୍ଟିକଂସନ୍)ରେ କୃତକାର୍ଯ୍ୟ ହୋଇଥିବାବେଳେ ୨୭୭ଜଣ ପ୍ରଥମ ଶ୍ରେଣୀ ଏବଂ ୩୨ ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବୈଷୟିକ ପାଠ୍ୟକ୍ରମ ଏମ୍ସିଏରେ ଶତପ୍ରତିଶତ ପରୀକ୍ଷା ଫଳ ହୋଇଥିବାବେଳେ ଏମସିଏରେ ୯୩.୭୫ ପ୍ରତିଶତ ଏବଂ ବିସିଏରେ ୭୬.୬୯ ପ୍ରତିଶତ ଫଳ ହୋଇଛି। ପ୍ରୟୋଗାତ୍ମକ ପଦାର୍ଥ ବିଜ୍ଞାନ(ଆପ୍ଲାଏଡ୍ ଫିଜିକ୍ସ୍)ର ଛାତ୍ରୀ ବନୀତା ନାୟକ ଶ୍ରେଷ୍ଠ ପୋଷ୍ଟ ଗ୍ରାଜୁଏଟ୍ ବିବେଚିତ ହୋଇଛନ୍ତି। ବିସିଏ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସ୍ନାତକ ବିଭାଗରେ ଭୁତତ୍ତ୍ବ(ଜିଓଲୋଜୀ) ବିଭାଗର ଯୁଗ୍ମ ଭାବେ ପ୍ରତ୍ୟୁଷ ରାଉତ ଓ ଶୁଭେନ୍ଦୁ ମଣ୍ଡଳ ଶ୍ରେଷ୍ଠ ସ୍ନାତକ ବିବେଚିତ ହୋଇଛନ୍ତି। ଏଥିସହିତ ସ୍ନାତକ ବିଭାଗରେ ବ୍ୟାକ୍ ପେପର ହେଦଇଥିବା ଛାତ୍ରଛାତ୍ରୀଙ୍କର ଫଳ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର