ବେଗୁନିଆ ଗୁଳିକାଣ୍ଡ: ଅବସରପ୍ରାପ୍ତ ସେନା କର୍ମଚାରୀ ଗିରଫ, ବନ୍ଧୁକ ଜବତ 

ଖୋର୍ଦ୍ଧା/ବେଗୁନିଆ: ଗତକାଲି ବେଗୁନିଆ ନୂଆସାହିରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ବେଗୁନିଆ ପୁଲିସ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ବନ୍ଧୁକ ଓ ଗୁଳି ଜବତ କରିଛି ।

ସୂଚନାନୁସାରେ, ଗତକାଲି ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ବେଳେ କୌଣି କାରଣରୁ ଗଣ୍ଡଗୋଳ ଘଟି ଗୁଳିମାଡ଼ରେ ବିଭୂତିଭୂଷଣ ଜେନା ଗୁରୁତର ଆହତ ହୋଇଥିଲେ । ଏନେଇ ବେଗୁନିଆରେ ଚାଂଚଲ୍ୟ ଖେଳିଯାଇଥିଲା । ସୂଚନା ପାଇ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ସୁଶୀଲ ମିଶ୍ରଙ୍କ ତତ୍ୱାବଧାନରେ ଦୁଇଟି ଟିମ୍ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । କେବଳ ଏହାନୁହେଁ ଖୋଦ୍ ଏସ୍‌ପି ନିଜ ଖର୍ଚ୍ଚରେ ଆହତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଇଥିଲେ । ଅପରପକ୍ଷରେ, ମାତ୍ର ୨ ଘଂଟା ମଧ୍ୟରେ ପୁଲିସ ଅଭିଯୁକ୍ତ ପ୍ରସନ୍ନ ନାୟକଙ୍କୁ ଜଟଣୀରୁ ଗିରଫ କରିଥିଲା ।

ପୁଲିସ ପକ୍ଷରୁ ଏନେଇ ଦିଆଯାଇଥିବା ସୂଚନାରେ, ପୁରୀ ଅସ୍ତରଙ୍ଗ ନିକଟ ମଧୂପୁର ଗାଁର ପ୍ରସନ୍ନ ନାୟକ(୫୮)ଙ୍କ ସହ ବେଗୁନିଆ ନୂଆସାହିରେ ରହୁଥିବା ଆଦିତ୍ୟପ୍ରସାଦ ରଥ ଓ ବିଦ୍ୟୁତପ୍ରଭା ରଥ ମଧ୍ୟରେ ଟଙ୍କା ନେଣଦେଣକୁ କେନ୍ଦ୍ର କରି ବିବାଦ ରହିଥିଲା । ଏହାକୁ ନେଇ ଗତକାଲି ପ୍ରସନ୍ନ ବିଦ୍ୟୁତ୍ପ୍ରଭାଙ୍କ ଘରକୁ ଯାଇ ଗଣ୍ଡଗୋଳ କରିଥିଲେ । ଏହି ସମୟରେ ବିଦ୍ୟୁତପ୍ରଭାଙ୍କ ଜଣେ ଦୂରସମ୍ପର୍କୀୟ ବିଭୂତିଭୂଷଣ ଜେନା ସେଠାରେ ପହଂଚି ବିଦ୍ୟୁତପ୍ରଭାଙ୍କ ପକ୍ଷ ନେଇଥିଲେ । ଏଥିରେ ଉତ୍‌କ୍ଷୀପ୍ତ ହୋଇ ପ୍ରସନ୍ନ ନିଜର ବନ୍ଧୁକରେ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳିଟି ବିଭୂତିଙ୍କ ପେଟରେ ବାଜିଥିଲା । ଏନେଇ ସୂଚନା ପାଇଁ ପୁଲିସ ପହଂଚିବା ବେଳକୁ ପ୍ରସନ୍ନ ଘଟଣାସ୍ଥଳରୁ ନିଜ ମୋଟର ସାଇକଲରେ ସେଠାରୁ ଚାଲିଯାଇଥିଲେ । ଏନେଇ ପୁଲିସ ଆଦିତ୍ୟ ପ୍ରସାଦ ରଥଙ୍କ ଅଭିଯୋଗକ୍ରମେ ବେଗୁନିଆ ଥାନାରେ ଦଫା ୪୫୨/୩୦୭/୨୯୪ ଓ ଅସ୍ତ୍ରଶସ୍ତ୍ର ଆଇନ ୨୫ ଓ ୨୭ ଦଫାରେ ୨୦୪/୨୦୨୧ରେ ମାମଲା ରୁଜୁ କରିଥିଲା ।

ଏନେଇ ଏସ୍‌ପି ଶ୍ରୀ ଦୋରା କହିଛନ୍ତି ଯେ ପ୍ରସନ୍ନ ନାୟକ ନିକଟରେ ସେନାବାହିନୀରୁ ସୁବେଦାର ମେଜର ଭାବେ ଅବସର ଗ୍ରହଣ କରିଛନ୍ତି ଓ ବର୍ତମାନ ଆଇଆଇଟି ଅରୁଗୁଳରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଛନ୍ତି ।  ଟଙ୍କା ନେଣଦେଣକୁ ନେଇ ବିଦ୍ୟୁତପ୍ରଭା ଓ ତାଙ୍କ ମଧ୍ୟରେ ବିବାଦ ରହିଥିଲା । ଗୁଳିମାଡ଼ ପରେ ପ୍ରସନ୍ନ ନିଜର ମୋଟର ସାଇକଲରେ ଜଟଣୀ ଫେରିଯାଇଥିଲେ । ପୁଲିସ ସେଠାରେ ପହଂଚି ତାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ପଏଂଟ୍ ୨୨ କାଲିବରର ଏକ ରିଭଲଭର, ୪୩ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି । ତାଙ୍କ ବନ୍ଧୁକ ଲାଇସେନ୍ନସକୁ ରଦ୍ଦ କରାଯାଇଛି । ଗତକାଲି ଗିରଫ ପରେ ଡାକ୍ତରୀ ପରୀକ୍ଷା ପରେ ଆଜି କୋର୍ଟ ଚାଲାଣ କରାଯାଇଛି ।

 

ସମ୍ବନ୍ଧିତ ଖବର