ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୨୦୦୨ ମସିହା ଠାରୁ ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କକ କାର୍ଯ୍ୟାଳୟ ପରିଚାଳିତ ହେଉଛି। ଏହା ସରକାରଙ୍କର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଓଏସଇପିଏ କର୍ତ୍ତୃପକ୍ଷଙ୍କ ତତ୍ବାବଧାନରେ କାର୍ଯ୍ୟକ୍ଷମ ହୋଇଆସୁଛି। ମାଲକାନଗିରି ଜିଲ୍ଲାର ଏହି କାର୍ଯ୍ୟାଳୟରେ ମୋଟ ୨୬ ଜଣ କର୍ମଚାରୀ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରି ଆସୁଛନ୍ତି। ନିଯୁକ୍ତି ସମୟରେ ଏହି କର୍ମଚାରୀମାନେ ଛୁକ୍ତିଭିତ୍ତିକ କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦୀର୍ଘ ୨୦ ବର୍ଷ ପରେ ବି ସେମାନଙ୍କର ଚାକିରି ନିୟମିତ ହୋଇପାରିଲା ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ଆଜି ଏହି କାର୍ଯ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ କିଶୋର ଖୋସଲା ଅବସର ଗ୍ରହଣ କଲେ। ଶ୍ରୀ ଖୋସଲା ୧୯୯୦ ମସିହାରେ ଅଣ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଜଣେ ଦୈନିକ ଦରମା ପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଯୋଗ ଦେଇଥିଲେ।ପରବର୍ତ୍ତୀ ସମୟରେ ସେ ସର୍ବଶିକ୍ଷା କାର୍ଯ୍ୟାଳୟରେ ନିୟୋଜିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରି ଆଜି ସେ ଅବସର ଗ୍ରହଣ କରୁଛନ୍ତି। ଏଠାରେ ବିଡମ୍ବନାର ବିଷୟ ଏହି କି ଯେ ଏହି ଦୀର୍ଘ କାଳ କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ଖୋସଲାଙ୍କ ଚାକିରିକୁ ନିୟମିତ କରାଗଲା ନା ସେ ନିୟମିତ କର୍ମଚାରୀର ମାନ୍ୟତା ପାଇପାରିଲେ। ଅତ୍ୟନ୍ତ ଦୁଃଖର ବିଷୟ ଯେ ସରକାରଙ୍କ ଆଦେଶକ୍ରମେ ୨୦୧୪ ମସିହା ଠାରୁ ୬ଷ୍ଠ ବେତନ ପ୍ରଦାନ ଅନୁଯାୟୀ ଦରମା ପାଇ ଆସୁଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥାତ ୨୦୧୯ ମସିହା ମାର୍ଚ୍ଚ ମାସ ଠାରୁ ସର୍ବ ଶିକ୍ଷାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଦରମାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର କିଛି ଅଧିକାରୀ ଉଦେଶ୍ୟମୂଳକ ଭାବେ ବନ୍ଦ କରିଦେବା ଦ୍ବାରା ସେ ଏଥିରୁ ବଂଚିତ ହୋଇଛନ୍ତି।
ବିଭିନ୍ନ ବର୍ଗର ଶିକ୍ଷକ, ଅଙ୍ଗନବାଡି କର୍ମୀ, ସ୍ବାସ୍ଥ୍ୟକର୍ମୀ ଭଳି ବିଭିନ୍ନ ବିଭାଗର ଅସ୍ଥାୟୀ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କ ଦରମା, ଭତ୍ତା, ପ୍ରୋତ୍ସାହନ ରାଶି ସରକାର ବୃଦ୍ଧି କରିଥିବା ବେଳେ ଆଜି ଅପେପା ଅଧିନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପ୍ରତି ଅବହେଳା ଓ ଅଣଦେଖା କରାଯାଇଛି। ୬ ବର୍ଷ ଚୁକ୍ତିଭିତ୍ତିକ କାର୍ଯ୍ୟ କରିସାରିବା ପରେ ବହୁତ ଚୁକ୍ତିଭିତ୍ତିକ କର୍ମଚାରୀ ବିଭିନ୍ନ ବିଭାଗର ନିୟମିତ ହୋଇପାରୁଥିବା ସତ୍ତ୍ବେ ସର୍ବଶିକ୍ଷା ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଦୀର୍ଘ ୨୦ ବର୍ଷର ଚୁକ୍ତିଭିତ୍ତିକ କାର୍ଯ୍ୟ କରିବା ପରେ ମଧ୍ୟ ସେମାନଙ୍କୁ ନିୟମିତ କରିବା ପାଇଁ ଚେଷ୍ଟା କରିନାହାଁନ୍ତି। ଗଣଶିକ୍ଷା ବିଭାଗ ଓ ରାଜ୍ୟ ସରକାର ଏମାନଙ୍କ ପ୍ରତି ଅବହେଳା ଓ ଉଦାସୀନତା ପ୍ରଦର୍ଶନ କରାଯାଇଥିବା ନେଇ ଅଭିଯୋଗ କରାଯାଇଛି। ଅଳ୍ପ ଦରମା ଏବଂ ଭତ୍ତା ନେଇ ଏତେ ଦିନ ସରକାରଙ୍କର ସେବା କରିବା ପରେ ମଧ୍ୟ ଏବେ ଅବସର ଗ୍ରହଣ ପରେ କିଛି ମିଳିବ ନାହିଁ। ପରିବାର ବିନା ଦରମା ଏବଂ ଭତ୍ତାରେ କିପରି ଚଳିବେ ସେନେଇ ପ୍ରଶ୍ନ ଉଠିଛି। ସର୍ବ ଶିକ୍ଷା ବିଭାଗର କର୍ମଚାରୀମାନେ ଏକତ୍ର ହୋଇ ଶ୍ରୀ ଖୋସଲାଙ୍କୁ ଅବସର ପରେ ୫୧ ହଜାର ଟଙ୍କା ସହାୟତା କରିଥିବା ଜଣାପଡିଛି। ତେବେ ଏହି ଟଙ୍କା କେତେ ଦିନ ରହିବ ବୋଲି ପ୍ରଶ୍ନ କରାଯାଇଛି। ସରକାର ଏନେଇ ଚିନ୍ତା କରନ୍ତୁ ବୋଲି ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Mkg-No-pension-after-retirement-1-1.jpg)