କୁଇ ଭାଷାର ଲିପି ସୃଷ୍ଟି କରି ଏକ ନୂତନ ଆଗ୍ରହ ସୃଷ୍ଟି କରିଛନ୍ତି ଅବସର ପ୍ରାପ୍ତ ଭାରତୀୟ ସୈନିକ ପୂର୍ଣ ଚନ୍ଦ୍ର ପ୍ରଧାନ

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଆଜି ବି ସମାଜରେ ବହୁ ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ଭାଷା ସଂସ୍କୃତିର ଉର୍ଣ୍ଣତି ପାଈଁ ଉଦ୍ୟମ ଜାରି ରଖିଛନ୍ତି। ସମାଜରେ ମଣିଷ ଆଧୁନିକତା ପ୍ରତି ଆକୃଷ୍ଠ ହୋଇ ନିଜ ଭାଷା ସଂସ୍କୃତିକୁ ଭୁଲି ବିଦେଶୀ ଚାକଚକ୍ୟ ପ୍ରତି ମନ ବଳେଇ ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲାରେ କିନ୍ତୁ ଜଣେ ଆଦିବାସୀ ବ୍ୟକ୍ତି ନିଜ ଭାଷା ସଂସ୍କୃତି ପ୍ରତି ନିଜର ଦୁର୍ବଳତାକୁ ପରିପ୍ରକାଶ କରିଛନ୍ତି।

କୁଇ ଭାଷାର ଲିପି ସୃଷ୍ଟି କରି ଏକ ନୂତନ ଆଗ୍ରହ ସୃଷ୍ଟି କରିଛନ୍ତି ପୂର୍ଣଚନ୍ଦ୍ର ପ୍ରଧାନ। ସେ ଜଣେ ଅବସର ପ୍ରାପ୍ତ ଭାରତୀୟ ସୈନିକ। ଦେଶ ସେବା କରି ବାହାରେ ରହିଥିଲେ ମଧ୍ୟ ନିଜ ଜାତି, ଭାଷା ଏବଂ ସଂସ୍କୃତିକୁ ଭୁଲି ନ ଥିଲେ। ଅବସର ପରେ ନିଜ ଭାଷାର ଲିପି ସୃଷ୍ଟି ନିମନ୍ତେ ଦୀର୍ଘ ବର୍ଷ ଅକ୍ଲାନ୍ତ ପରିଶ୍ରମ କରି ଲିପି ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। ପୂର୍ଣ୍ଣଚନ୍ଦ୍ର ପ୍ରଧାନ ୧୯୬୮ ଜୁନ ୧ରେ ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମରେ ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଆଦିବାସୀ ପରମ୍ପରାରେ ପିଲା ବେଳୁ ବଢିଥିବା ପୁର୍ଣଚନ୍ଦ୍ରଙ୍କ ଆଦିବାସୀ କୁଇ ପରମ୍ପରା ଉପରେ ବେଶ ଜ୍ଞାନ ରହିବା ସହ ନିଜ ଭାଷା ସଂସ୍କୃତି ପ୍ରତି ଦୁର୍ବଳତା ରହିଥିଲା।

ପୂର୍ଣ୍ଣଚନ୍ଦ୍ର ଯୁକ୍ତ ୨ କଳା ପାଠ ପଢିବା ପରେ ଭାରତୀୟ ସୈନ୍ୟ ବହିନୀରେ ୧୯୮୮ ମସିହାରେ ଯୋଗଦେଇ ଦେଶର ସୁରକ୍ଷାରେ ଲାଗିପଡିଥିଲେ। ଚାକିରୀରେ ଥିବା ବେଳେ ସେ ନିଜ ଘରକୁ, ସାଙ୍ଗ ସାଥୀଙ୍କୁ କୁଇ ଭାଷାରେ ଚିଠି ଲେଖୁଥିଲେ। ଭାରତୀୟ ସେନାରେ ଥିବା ସମୟରେ ସେ ବିଦେଶରେ ନିଜ କର୍ତ୍ତବ୍ୟ କରି ପୁରସ୍କୃତ ହୋଇଥିଲେ। ଶାନ୍ତି ସେନା ରୂପେ ସୋମାଲିଆର କିସମାୟୁ ସହରରେ ଫ୍ରାନ୍‌ସରୁ ଆସି ଥିବା ସହ କର୍ମୀ ଫିଲିପଙ୍କୁ ନିଜ କୁଇ ଭାଷା ଶିଖାଇଥିଲେ।

ବର୍ଷ ୨୦୦୪ ମସିହାରେ ସେନା ବାହୀନିରୁ ଅବସର ନେବା ପରେ ନିଜ ମାତୃଭୂମିକୁ ଫେରି ପୁଣି ଲୋକସେବା ନିମନ୍ତେ ମନ ବଳେଇ ପେଟାପାଙ୍ଗା ପଂଚାୟତର ସରପଞ୍ଚ ଭାବେ ୨୦୦୬ ମସିହାରେ ନିର୍ବାଚିତ ହୋଇଥିଲେ। ଏହା ପରେ ନିଜେ କୁଇ ଭାଷା ସଂସ୍କୃତିର ଉର୍ଣ୍ଣତି ପାଇଁ କୁଇ ଏକାଡେମୀ ନାମରେ ଏକ ସଂଗଠନ ପାବୁରିଆ ଠାରେ ଖୋଲି କୁଇ ଲିପି ସୃଷ୍ଟି ପାଇଁ ଅହରହ ଉଦ୍ୟମ କରିଚାଲିଥିଲେ।

ବହୁ ଦିନର ଆଶା ଉଦ୍ୟମ ଯୋଗୁଁ କୁଇ ଶବ୍ଦ ଧ୍ୱନୀର ଲିପି ନ ଥିବା କୁଇ ଭାଷାକୁ ନିଜ ଉଦ୍ୟମରେ କୁଇ ଲିପିକୁ ପୂର୍ଣଚନ୍ଦ୍ର ନିଜେ ବିକଶିତ କରିଛନ୍ତି। ଏହି ଲିପି ଗୁଡିକ କୁଇ ଭାଷାରେ ଦୈନଦିନ ଜୀବନରେ ବ୍ୟବହୃତ କିଛି ସାମଗ୍ରୀ ସହ ସାମଞ୍ଜସ୍ୟ ରଖି ଲିପି ସୃଷ୍ଟି କରିଥିବା କହିଛନ୍ତି ପୂର୍ଣଚନ୍ଦ୍ର। ପୂର୍ଣ୍ଣଚନ୍ଦ୍ରଙ୍କ ସ୍ତ୍ରୀ ପଙ୍କଜିନି କଂହର ଜଣେ ବହୁଭାଷୀ ଶିକ୍ଷୟତ୍ରୀ। ସେ ମଧ୍ୟ କୁଇ ଭାଷା ସାହିତ୍ୟ ସୃଷ୍ଟିର ଆବଶ୍ୟକତାକୁ ନେଇ ନିଜ ସ୍ୱାମୀଙ୍କୁ ଅନେକ ପ୍ରେରଣା ଏବଂ ଉତ୍ସାହ ଯୋଗେଇଥିଲେ। କୁଇ ଲିପିକୁ ବିକଶିତ କରିବା ଏବଂ ଆସ୍ତେ ଆସ୍ତେ ବିଲୁପ୍ତ ପାଉଥିବା କୁଇ ଭାଷା ସାହିତ୍ୟକୁ ବଞ୍ଚେଇବା ନିମନ୍ତେ ଉଦ୍ୟମ ଜାରି ରହିବ ବୋଲି ପୂର୍ଣ୍ଣଚନ୍ଦ୍ର କହିଛନ୍ତି।

ସମ୍ବନ୍ଧିତ ଖବର