ପାଣିରେ ବୁଡ଼ି ଅବସରପ୍ରାପ୍ତ ଯନ୍ତ୍ରୀ ପ୍ରସନ୍ନ ସାମନ୍ତସିଂହାରଙ୍କ ମୃତ୍ୟୁ

ଖୋର୍ଦ୍ଧା: ଗତକାଲି ସଂଧ୍ୟାରେ ପୂର୍ବତନ ଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ସାମନ୍ତସିଂହାର (୬୮)ଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି । ସୂଚନାନୁସାରେ, ଅଂଜୁଶ୍ରୀ କଲ୍ୟାଣ ମଣ୍ଡପ ରାସ୍ତାର ୨ନମ୍ବର ଲେନରେ ରହୁଥିବା ଇଂ ସାମନ୍ତସିଂହାର ଘରେ ମହାଳୟା ଶ୍ରାଦ୍ଧ ଦେବା ପରେ ସଂଧ୍ୟା ସମୟରେ ପିଣ୍ଡ ଆଦିକୁ ଜଳରେ ବିସର୍ଜନ କରିବାକୁ ପଲ୍ଲାହାଟ ପୋଖରୀକୁ ଯାଇଥିଲେ । ପାହାଚରେ ତାଙ୍କ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଯାଇଥିଲେ । ଅନେକ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ସଦସ୍ୟଙ୍କୁ ତାଙ୍କୁ ଖୋଜିଥିଲେ । ଶେଷରେ ରାତିରେ ପୋଖରୀରେ ତାଙ୍କର ମୃତଦେହ ଭାସୁଥିବା ଖବର ପାଇ ମୃତଦେହକୁ ଉଦ୍ଧାର କରିଥିଲେ । ଖବର ପାଇ ପୁଲିସ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଆଜି ସକାଳେ ବ୍ୟବଚ୍ଛେଦ ପରେ ମର ଶରୀରକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।

ଇଂ ପ୍ରସନ୍ନ ସାମନ୍ତସିଂହାର କୁହୁଡ଼ିର ଜଣାଶୁଣା ଶିକ୍ଷକ ଭିକାରୀ ଚରଣ ସାମନ୍ତସିଂହାରଙ୍କ ପୁତ୍ର ତଥା ଶିକ୍ଷକନେତା ପ୍ରଫୁଲ୍ଲ କୁମାର ସାମନ୍ତସିଂହାରଙ୍କ କନିଷ୍ଠ ଭ୍ରାତା ଅଟନ୍ତି । ଅବସର ପରେ ସେ ଖୋର୍ଦ୍ଧାର ପାଇକ ସଂସ୍କୃତିର ସଂରକ୍ଷଣ ଓ ପୁନର୍ବିନ୍ୟାସ ପାଇଁ କାର୍ଯ୍ୟ କରୁଥିଲେ । ସେ କଳିଙ୍ଗ ପାଇକ ସଂଗଠନ ଓ ବରିଷ୍ଠ ନାଗରିକ ମଂଚର ଜଣେ ସକ୍ରିୟ ସଦସ୍ୟ ଥିଲେ । ତାଙ୍କର ମୃତ୍ୟୁ ସୂଚନା ପାଇ କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ଭୀମସେନ ପ୍ରଧାନ, ସତ୍ୟବାଦୀ ବଳିଆରସିଂହ, ଇଂ ଶିଶିର କୁମାର ନାୟକ, କୃଷ୍ଣଚନ୍ଦ୍ର ହରିଚନ୍ଦନ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ବିଦ୍ୟାଧର ରାଉତ ପ୍ରମୁଖ ଘରେ ପହଂଚି ଦିବଂଗତଙ୍କୁ ଶ୍ରଦ୍ଧାଂଜଳି ଜଣାଇବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର