ରାଉରକେଲା: ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସହରରେ ରହିଛି ୯ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ଆବଶ୍ୟକୀୟ ଆନୁଷଙ୍ଗିକ ବ୍ୟବସ୍ଥା, ଡାକ୍ତର ନଥିବାରୁ ଅଧିକାଂଶ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ ମୁହଁ ମୋଡୁଛନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ। ବାସନ୍ତୀ କଲୋନି ଡିଏଭି ଛକସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ଠିକ୍ ଚାଲିଛି। ଅନ୍ୟଗୁଡ଼ିକ ଲୋକଙ୍କୁ ଯେତିକି ସୁବିଧା ଯୋଗାଇ ଦେବା ସେତିକି ଦେଇପାରୁ ନଥିବା ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି। ସହରରର ବାସନ୍ତୀ କଲୋନି ଡିଏଭି ଛକ, ଛେଣ୍ଡ କଲୋନୀ (ଧାମରା ସଂଘ ଅଫିସ୍ ନିକଟ), ଓରାମ ପଡା ( ପାୱାର ହାଉସ୍ ରୋଡ), କୋଏଲନଗର, ଫର୍ଟିଲାଇଜର, ସେକ୍ଟର-୬ (ତାରା ତାରିଣୀ ମନ୍ଦିର ନିକଟ), ବନ୍ଧମୁଣ୍ଡା, ତିଲକାନଗର, ବାଲୁଘାଟ (ପଞ୍ଜାବୀ ବସ୍ତି) ଏମିତି ୯ଟି ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି।
କୋଏଲନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ କୋଏଲନଗର, ଶକ୍ତିନଗର ସମେତ ଇସ୍ପାତ ସହରାଞ୍ଚଳ ଆଖପାଖ ବସ୍ତିର ଲୋକ ନିର୍ଭରଶୀଳ। ଡାକ୍ତରନଥିବାରୁ ପ୍ରତ୍ୟେକ ଦିନ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନେ ନିରାଶ ହୋଇ ଯିବାକୁ ବାଧ୍ୟ ହେଉଛନ୍ତି। ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି। ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଜଣେ ଡାକ୍ତର, ଜଣେ ଷ୍ଟାଫ୍ ନର୍ସ, ଜଣେ ଫାର୍ମାସିଷ୍ଟ, ଜଣେ ଲାବ ଟେକ୍ନିସିଆନ୍ ରହିବା ଆବଶ୍ୟକ। ହସ୍ପିଟାଲ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଓ ଡାକ୍ତର ଥିବା କହୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଓଲଟା। ଛେଣ୍ଡ କଲୋନି ସ୍ବାସ୍ଥ୍ୟ କେନ୍ଦ୍ରରେ ଯେତିକି ଔଷଧ ରହିବା କଥା, ସେତିକି ନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ସେମିତି ସ୍ବାସ୍ଥ୍ୟ କେନ୍ଦ୍ର ପୂର୍ବାହ୍ନ ୮ଟାରୁ ୧୧ ଟା ଓ ସଂଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ହେବାର ନିୟମ ରହିଛି। ଏହି ନିୟମ କିଛି ସ୍ବାସ୍ଥ୍ୟ କେନ୍ଦ୍ରରେ ଠିକ୍ ଭାବେ ପାଳନ ହେଉ ନାହିଁ। ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ବନ୍ଦ କରି ଦିଆଯାଉଥିବା ଦେଖିବାକୁ ମିଳିଛି। ତେବେ ସ୍ମାର୍ଟସିଟିରେ ସ୍ଥାନୀୟ ଲୋକଙ୍କୁ ସ୍ବାସ୍ଥ୍ୟସେବାରେ ଧୋକା ଦେଉଥିବା କିଛି କେନ୍ଦ୍ରର ରହିଥିବା ପ୍ରାଥମିକ ସମସ୍ୟା ଓ ଆନୁଷଙ୍ଗିକ ବ୍ୟବସ୍ଥାକୁ ତୁରନ୍ତ ସମାଧାନ କରିବାକୁ ଦାବି ହେଉଛି।