ବୌଦ୍ଧ: ବୌଦ୍ଧ ଜିଲ୍ଲା ଲମ୍ବସରୀ ପଞ୍ଚାୟତ ଅନ୍ତର୍ଗତ ଖମାର ଗ୍ରାମ ନିକଟ ଗୁହିରାପାଲି ଛକଠାରେ ପିତୃ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ପୁଅ ପିତୃ ହତ୍ୟାକାରୀର ଦୁଇହାତ ପାପୁଲି ଓ ଡାହାଣ ଗୋଡକୁ ହାଣି ଦେଇଛି। ଏହି ଘଟଣା ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପୁଅ ନାମ ଅଶୋକ ଖମାରୀ ବୋଲି ଜଣାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ, ୨୦.୨.୨୦୧୫ରେ ଜମିଜମା ଘଟଣାକୁ କେନ୍ଦ୍ରକରି ଖମାର ଗାଁର ସୁରେନ୍ଦ୍ର କ୍ଷେତି ସେହି ଗାଁର ଲକ୍ଷ୍ମଣ ଖମାରୀଙ୍କୁ ଡିଗେରପଦର ଜଙ୍ଗଲରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। କଣ୍ଟାମାଳ ପୁଲିସ ହତ୍ୟା ମାମଲାରେ ଗିରଫ କରି ସୁରେନ୍ଦ୍ରକୁ ଜେଲକୁ ପଠାଇ ଦେଇଥିଲା। ସୁରେନ୍ଦ୍ର ହାଇକୋର୍ଟ ଜାମିନରେ ଗତ ୮.୫.୨୦୧୯ରେ ଘରକୁ ଆସିଥିଲା। ପିତୃହତ୍ୟାର ପ୍ରତିଶୋଧ ନେବାକୁ ଗତ ୧୪ ଦିନ ହେଲା ମୃତ ଲକ୍ଷ୍ମଣଙ୍କ ପୁଅ ଅଶୋକ ଖମାରୀ ସୁଯୋଗ ଅପେକ୍ଷାରେ ଥିଲା। ଆଜି ଝିଅ ପ୍ରମିଳା କ୍ଷେତି (୧୮)ଙ୍କ ସହିତ କୌଣସି କାମରେ ସୁରେନ୍ଦ୍ର ଗୁହାରିପାଲି ଛକ ନିକଟକୁ ଆସିଥିବା ବେଳେ ଅଶୋକ ପୂର୍ବରୁ ଖବର ପାଇ ତାର ଜଣେ ସହଯୋଗୀଙ୍କ ସହିତ ଛକି ବସିଥିଲା। ସୁରେନ୍ଦ୍ରକୁ ଦେଖିବା ମାତ୍ରେ ଅଶୋକ କୁକୁଡା କଟା କଟୁରୀରେ ତାର ହାତ ଓ ଗୋଡକୁ ହାଣିବାକୁ ଲାଗିଲା।ଫଳରେ ସୁରେନ୍ଦ୍ରର ଦୁଇହାତର ପାପୁଲି କଟି ଯାଇଥିବା ବେଳେ ଡାହାଣ ଗୋଡରେ ଗଭୀର ଆଘାତ ଲାଗିଛି।
/sambad/media/post_attachments/wp-content/uploads/2019/05/Chef_Knife_Adjusted_Angle_to_make_look_bigger_2048x2048.jpg)
ଗୁରୁତର ଅବସ୍ଥାରେ ପରିବାରଲୋକ ସୁରେନ୍ଦ୍ରକୁ ଚିକିତ୍ସା ପାଇଁ ସୋନପୁର ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସାପରେ ସୁରେନ୍ଦ୍ରକୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ଅପରାହ୍ନ ୪ଟାରେ ସୁରେନ୍ଦ୍ରଙ୍କ ଝିଅ ପ୍ରମିଳା କ୍ଷେତି କଣ୍ଟମାଳ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ବେଳେ ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ତଦନ୍ତକାରୀ ପୁଲିସ ଅଫିସର ପୁର୍ଣ୍ଣଚନ୍ଦ୍ର କିଶାନ ପ୍ରକାଶ କରିଛନ୍ତି।