ରାଉରକେଲା: ଓଡ଼ିଶା ରାଜସ୍ବ ଆୟର ପ୍ରମୁଖ ମାଧ୍ୟମ ଖଣି ଅଞ୍ଚଳକୁ ଏବେ କରୋନା ମାଡ। ରାଜସ୍ବ ଆୟ ଅଭିବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାର ଖଣି ଉତ୍ତୋଳନରେ କଟକଣାକୁ କୋହଳ କରିଛନ୍ତି। କିନ୍ତୁ ବାଧକ ସାଜିଛି ଲକ୍ଡାଉନ୍ କଟକଣା। ହଜାର ହଜାର ଶ୍ରମିକ ଓ କର୍ମଚାରୀ ଗାଁରୁ ଫେରି ପାରୁ ନାହାନ୍ତି। ଆଉ କିଛି ଶ୍ରମିକ ଗାଁରେ ସବୁଦିନ ରହିବାକୁ ନିଷ୍ପତ୍ତି ନେଲେଣି। ସ୍ଥାନୀୟ ଅଞ୍ଚଳର ଶ୍ରମିକଙ୍କ ମଧ୍ୟ ସମାନ ସ୍ଥିତି। ଏଥିପାଇଁ ବାଧାପ୍ରାପ୍ତ ହୋଇଛି ଖଣି ଉତ୍ତୋଳନ। ଯେଉଁଠି ଦୈନିକ ହଜାର ହଜାର ଶ୍ରମିକ କାମ କରୁଥିଲେ ସେଠି ଏବେ ଖାଁ ଖାଁ। ଲକ୍ଡାଉନ୍ ପୂର୍ବରୁ ଉତ୍ତୋଳିତ ହଜାର ହଜାର ଟନ୍ ଲୁହାପଥର ବିକ୍ରି ନ ହୋଇ ସେମିତି ପଡିଛି।
ଏବେ ଏମିତି ସ୍ଥିତି ଉପୁଜିଛି ଖଣିଖାଦାନ ଭରା ସୁନ୍ଦରଗଡର ଜିଲ୍ଲା କୋଇଡା ଖଣି ଅଞ୍ଚଳରେ। ସାମାଜିକ ଦୂରତା ପାଇଁ ଊତ୍ପାଦନ କ୍ଷମତା ହ୍ରାସ ପାଇଥିବାରୁ ବଡ ବଡ ଶିଳ୍ପ ସଂସ୍ଥାଗୁଡ଼ିକ ଲୁହାପଥର ନେବା ଏକ ପ୍ରକାର ବନ୍ଦ କରି ଦେଇଛନ୍ତି। କେବଳ ପାରାଦୀପ ଓ ଗୋପାଳପୁର ବନ୍ଦରକୁ ଲୁହାପଥର ପରିବହନ ହେଉଛି। ମାତ୍ର ଉଭୟ ବନ୍ଦରରେ ଖୁବ୍ ସଂଖ୍ୟକ ଶ୍ରମିକ କାମ କରୁଥିବାରୁ ଶହ ଶହ ଟ୍ରକ ଲୁହାପଥର ଅନ୍ଲୋଡିଂ ନିର୍ଦ୍ଧାରିତ ସମୟରେ ହୋଇ ପାରୁ ନାହିଁ। ଯେତିକି ମାଲବହନ ହେଉଛି, ତାହା ଅନ୍ ଲୋଡିଂ ହେବାକୁ ପ୍ରାୟ ସପ୍ତାହରୁ ଅଧିକ ଦିନ ଲାଗୁଛି। ଏଥିପାଇଁ ଖଣି ଅଞ୍ଚଳରେ ଉତ୍ତୋଳିତ ହୋଇ ପଡିଥିବା ଲୁହାପଥର ଖାଲି ହୋଇ ପାରୁ ନାହିଁ।
ପୋକଲେନ୍ ଅପରେଟର ଗାଁକୁ ଚାଲି ଯାଇଥିବାରୁ ଉତ୍ତୋଳନରେ ବାଧା ଉପୁଜିଛି। ସେପଟେ ସୁନ୍ଦରଗଡ, ରାଜଗାଙ୍ଗପୁର, ଝାରସୁଗୁଡା, ସମ୍ବଲପୁର ଆଦି ଅଞ୍ଚଳର ବଡ ବଡ ଶିଳ୍ପସଂସ୍ଥାକୁ ଦୈନିକ ଯାଉଥିବା ଟନ୍ ଟନ୍ ଲୁହାପଥର ମଧ୍ୟ ବନ୍ଦ ରହିଛି। ଲକ୍ଡାଉନ୍ ଉଠିବା ପରେ ସ୍ଥିତି ସୁଧୁରିବ କି ନାହିଁ ତାହା ମଧ୍ୟ ଅନିଶ୍ଚିତତା। ଏହାକୁ କେବଳ ଖଣି ମାଲିକ ନୁହେଁ ବରଂ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ଯେଉଁଠି ସରକାର ମାସକୁ କୋଟି କୋଟି ଟଙ୍କାର ରାଜସ୍ବ ଆଦାୟ କରୁଥିଲେ, ଚଳିତ ବର୍ଷର ତାହାର ଏକ ତୃତୀୟାଂଶ ଆଦାୟ ହେବ କି ନାହିଁ ସନ୍ଦେହ। ଅନ୍ୟପଟେ ଖଣି ଉପରେ ନିର୍ଭରଶୀଳ ପ୍ରାୟ ୬ ହଜାରରୁ ଅଧିକ ଟିପ୍ପର ଟ୍ରକ ମାଲିକ ହାତ ବାନ୍ଧି ବସିଛନ୍ତି।
କେବଳ ମାଲିକ ନୁହଁନ୍ତ ବରଂ ଡ୍ରାଇଭର, ହେଲପରମାନଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇ ପଡିଛି। ଖଣି ଅଞ୍ଚଳରେ ଛିଡା ହୋଇଥିବା ଟ୍ରକ, ଟିପ୍ପର ଭିତରେ ଡ୍ରାଇଭର, ହେଲପରମାନେ ଓଳିଏ ଖାଇ ଜୀବନ ଅତିବାହିତ କରୁଛନ୍ତି। କେବେ ଖଣି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ, ଗାଡି ଚାଲିବ ସେ ସମୟକୁ ଅପେକ୍ଷା କରି ରହିଛନ୍ତି। ସୁନ୍ଦରଗଡ ଜିଲ୍ଲା କୋଇଡାର ବିଭିନ୍ନ ଅଞ୍ଚଳରେ ଛୋଟ ବଡ ପ୍ରାୟ ୨୦ରୁ ଅଧିକ ଖଣି କାର୍ଯ୍ୟକ୍ଷମ ରହିଛି। ଏଥି ମଧ୍ୟରେ ରହିଛି ଓଏମ୍ସି, ସେଲ୍ କାଲ୍ଟା, ବରସୁଆଁ ଆଦି ଖଣି ଅନ୍ୟତମ। ଲୁହାପଥର ସହ ମାଙ୍ଗାନିଜ୍, ବକ୍ସାଇଟ୍ ଉତ୍ତୋଳନ ହୁଏ। ଗୋଟିଏ ଗୋଟିଏ ଖଣିରେ ପ୍ରାୟ ୧୫୦୦ରୁ ୨ ୦୦୦ ଶ୍ରମିକ ଓ କର୍ମଚାରୀ କାମ କରି ସେମାନଙ୍କ ଜୀବିକା ନିର୍ବାହ କରନ୍ତି। ସୁନ୍ଦରଗଡ ସମେତ ଓଡ଼ିଶାର ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ସମେତ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡରେ ହଜାର ହଜାର ଶ୍ରମିକ କାମ କରନ୍ତି।
ଦୈନିକ କୋଟି କୋଟି ଟଙ୍କାର ଲୁହାପଥର ଉତ୍ତୋଳନ ହୋଇଥାଏ। ହଜାର ହଜାର ଟନ୍ ଲୁହାପଥର ଟ୍ରକ, ଟିପ୍ପର ଯୋଗେ ପାରାଦୀପ ଓ ଗୋପାଳପୁର ବନ୍ଦରକୁ ଯାଏ। ସେଠାରୁ ବିଦେଶକୁ ରପ୍ତାନୀ ହୋଇଥାଏ। ଲକ୍ଡାଉନ୍ ପରେ ଗତ ମାର୍ଚ୍ଚ ୨୨ରୁ ଯେତିକି ଶ୍ରମିକ କାମ କରୁଥିଲେ ତା’ର ୭୦% ଶ୍ରମିକ ନିଜ ନିଜ ଗାଁକୁ ଚାଲି ଯାଇଛନ୍ତି। ଅବଶିଷ୍ଟ ୩୦% ଶ୍ରମିକ କାମ କରୁଛନ୍ତି। କିନ୍ତୁ ଲକ୍ଡାଉନ୍ କଟକଣା ଉଠିବା ପରେ ଗାଁକୁ ଚାଲିଯିବେ ବୋଲି କିଛି ଶ୍ରମିକ କହିଛନ୍ତି। ତେବେ ସ୍ଥାନୀୟ ଅଞ୍ଚଳ ଓ ବାହାର ସ୍ବଳ୍ପ ଶ୍ରମିକଙ୍କୁ ନେଇ ଖଣି ଠିକ୍ ଭାବେ ଚାଲିବ କି ନାହିଁ ବଡ ପ୍ରଶ୍ନବାଚୀ ଛିଡା କରିଛି।