ବାଲେଶ୍ବର: ଚାରି ବର୍ଷ ଧରି ଖାଲି ପଡ଼ିଥିବା ରୋମାନ୍‌ କ୍ୟାଥୋଲିକ୍‌ ଧର୍ମୀୟ ମଣ୍ତଳୀ ଉତ୍ତରଓଡ଼ିଶା ଡାଇଓସିସିର ବିଶପ ପଦ ପୂରଣ ହୋଇଛି। ଆର୍‌ଟି ରେଭେରାନ୍ସ ଭର୍ଗିସ୍‌ ଥୋତ୍ତାମକରା ସିଏମ୍‌ ଏହି ପଦରେ ଅଳକୃତ କରିଛନ୍ତି। ବୁଧବାର ବିଶପ ଭର୍ଗିସ୍‌ ଦକ୍ଷିଣ ଆଫ୍ରିକାରୁ ବାଲେଶ୍ବରରେ ପହଞ୍ଚିଥିଲେ।

Advertisment

ଆଜି ସକାଳେ ବିଏସ୍‌ଏସ୍‌ଏସ୍‌ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ତାଙ୍କୁ ଚର୍ଚ୍ଚକୁ ସ୍ବାଗତ କରାଯାଇଥିଲା। ବାଣ ଫୁଟାଇ, ବାଜା ବଜାଇ ଓ ପୁଷ୍ପ ବୃଷ୍ଟି କରାଇ ଶତାଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀ ତାଙ୍କୁ ଚର୍ଚ୍ଚକୁ ସ୍ବାଗତ କରିଥିଲେ। ଚର୍ଚ୍ଚର ପ୍ରାର୍ଥନା ଗୃହକୁ ଯାଇ ସେ ପ୍ରଭୁ ଯୀଶୁଙ୍କୁ ପ୍ରଣିପାତ କରିବା ସହ ସାମୂହିକ ପ୍ରାର୍ଥନା ସଭାରେ ଯୋଗଦାନ କରିଥିଲେ। ପରେ ଓଡ଼ିଶା କ୍ୟାଥୋଲିକ୍‌ ଡାଇଓସିସିର ମୁଖ୍ୟ ଆର୍କ ବିଶପ ଜୋହନ ବରୱା, ଭାଟିକାନ୍‌ର ରାଷ୍ଟ୍ରଦୂତ ରେଭେରାନ୍ସ ଲିଓ ପୋଲଦୋ ଜିରିଲିଙ୍କ ଉପସ୍ଥିତିରେ ବିଶପ ରେଭେରାନ୍ସ ଭର୍ଗିସ୍‌ ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ ସହ ଶପଥ ପାଠ କରିଥିଲେ। ଏହି ଅବସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ବିଶପ, ଆର୍କବିଶପ, ଫାଦର ତଥା ଖ୍ରୀଷ୍ଟ ଧର୍ମୀୟ ଯାଜକମାନେ ଭର୍ଗିସ୍‌ଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ବାଲେଶ୍ବର ସାମାଜିକ ସେବା ସଂସ୍ଥା (ବିଏସ୍‌ଏସ୍‌ଏସ୍‌)ର ପ୍ରଶାସନିକ ଅଧିକାରୀ ଫାଦର୍‌ ଆଇଜାକ୍‌ ପୁତୁନାନାଡ଼ିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାଦର୍‌ ଭର୍ଗିସ୍‌ ପାନେନଗଦନ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପୂର୍ବତନ ବିଶପ ଥୋମାସ୍‌ ଥିରୁଥଲିଲ, ଉତ୍ତର ଭାରତ ପ୍ରଦେଶ ଡାଇଓସିସିର ମୁଖ୍ୟ ରେଭେରାନ୍ସ ଫାଦର ମାଥୱେ ନାୟକ, ଦକ୍ଷିଣ ଭାରତ କ୍ୟାଥୋଲିକ୍‌ ଡାଇଓସିସି ମୁ‌ଖ୍ୟ ଫାଦର୍‌ ଥୋମାସ୍‌, ସିଷ୍ଟର ରୀତି, ବାଲେଶ୍ବର ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ପୌରାଧ୍ୟକ୍ଷା ସବିତା ସାହୁ ପ୍ରମୁଖ ଏଥିରେ ଯୋଗ ଦେଇ ବିଶପ ରେଭେରାନ୍ସ ଭର୍ଗିସ୍‌ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଉତ୍ତର ଓଡ଼ିଶା ଡାଇଓସିସିର ମୁଖ୍ୟ ଭାବେ ତାଙ୍କର ସଫଳତା କାମନା କରିଥିଲେ। ଏହି ଅବସରରେ ବିଶପ ରେଭେରାନ୍ସ ଭର୍ଗିସ୍‌ କେକ୍‌ କାଟି ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ପ୍ରଭୁ ଯୀଶୁଙ୍କ ନିକଟରେ ପୂର୍ଣ୍ଣ ସମର୍ପଣ ସହ ଈଶ୍ବରଙ୍କ ଇଚ୍ଛାକୁ ଗ୍ରହଣ କରି ଡାଇଓସିସିର ସମସ୍ତ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରିବେ ବୋଲି କହିଥିଲେ। କୃଷ୍ଣଚନ୍ଦ୍ରପୁରର ପ୍ୟାରିସ୍‌ ୟୁଥ, ମୟୂରଭଞ୍ଜର ମନୋବିକାଶ ଛାତ୍ରୀ ଓ ବାଲେଶ୍ବର ଡାଇଓସିସିର ସିଷ୍ଟରଙ୍କ ପକ୍ଷରୁ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ କ୍ୟାଥୋଲିକ ଚର୍ଚ୍ଚ, କୁରୁଡ଼ା ଜ୍ୟୋତି ହସ୍‌ପିଟାଲ, ବିଏସ୍‌ଏସ୍‌ଏସ୍‌ କନଭେଣ୍ଟ ସ୍କୁଲ ସମେତ ସ୍ଥାନୀୟ ଶ୍ରୀକଣ୍ଠପୁର କ୍ୟାଥୋଲିକ୍‌ ଯୁବକ ସଂଘ ଏବଂ ଜିଲ୍ଲାର ବିଭିନ୍ନ କ୍ୟାଥୋ‌ଲିକ୍‌ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟ କାର୍ଯ୍ୟକ୍ରମ​ରେ ଉପସ୍ଥିତ ଥିଲେ।