ଶାନ୍ତିସ୍ତୂପ ଫାଟ ମରାମତି ନେଇ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ

ସ୍ଥିତି ଅନୁଧ୍ୟାନ କଲେ ଏଡିଏମ

ଧଉଳି:ଫନି କ୍ଷତିଗ୍ରସ୍ତ ଧଉଳି ଶାନ୍ତିସ୍ତୂପର ଫାଟସ୍ଥାନ ମରାମତି କାର୍ଯ୍ୟ ନେଇ ଏବେ ଜିଲ୍ଲା ପ୍ରଶାସନିକ ସ୍ତରରେ ଜୋରଦାର କସରତ ଆରମ୍ଭ ହୋଇଛି । ଫନି ଯିବାର ଦୀର୍ଘ ଦେଢ଼ ବର୍ଷ ପରେ ଶାନ୍ତିସ୍ତୂପର ସମଗ୍ର ଅଂଶରେ ସୃଷ୍ଟି ହୋଇଥିବା ଫାଟ ମରାମତି କାର୍ଯ୍ୟ କରାଯିବ ବୋଲି ସ୍ଥିର ହୋଇଛି । ଏନେଇ କାର୍ଯ୍ୟ ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି । ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଐତିହ୍ୟ ସଂପନ୍ନ ସ୍ତୂପ ଫନି ପରେ ବିପଦମୁଖୀ ହୋଇପଡ଼ିଥିବାରୁ ଏହାକୁ ରକ୍ଷଣାବେକ୍ଷଣ କରିବା ଅତ୍ୟନ୍ତ ଜରୁରୀ ବୋଲି ପ୍ରଶାସନ ହୃଦବୋଧ କରିଛି । ଶାନ୍ତିସ୍ତୂପର ମରାମତି କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ଆଜି ଭୁବନେଶ୍ବର ଏଡିଏମ ପ୍ରଫୁଲ କୁମାର ସ୍ବାଇଁଙ୍କ (ଅତିରିକ୍ତ ଜିଲ୍ଲାପାଳ) ତତ୍ବାବଧାନରେ ଏକ ଉଚ୍ଚସ୍ତରୀୟ ଟେକନିକାଲ ଏକ୍ସପର୍ଟ ଟିମ ଆଜି ଶାନ୍ତିସ୍ତୂପରେ ପହଞ୍ଚି ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ ।

ଡିଡିସି କାର୍ଯ୍ୟକର୍ତ୍ତା ମଧ୍ୟ ସେମାନଙ୍କ ସହ ଉପସ୍ଥିତ ଥିଲେ। ଶାନ୍ତିସ୍ତୂପ ଉପର ଚତୁଃପାର୍ଶ୍ବ ବୁଲି ଅଧିକାରୀମାନେ ସ୍ଥିତି ପରକ୍ଷିବା ସହ ମରାମତି କାର୍ଯ୍ୟ କିଭଳି ଭାବେ କରାଯିବ ସେନେଇ ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ । ମଧ୍ୟାହ୍ନ ୧୨ଟାରୁ ଦୀର୍ଘ ୪୫ ମିନିଟ ପର୍ଯ୍ୟନ୍ତ ରହି ଅଧିକାରୀମାନେ ଆଲୋଚନା କରିଥିଲେ । ତଳପାର୍ଶ୍ବରେ କାରୁକାର୍ଯ୍ୟପୂର୍ଣ୍ଣ ଅଂଶର ଫାଟ ସ୍ଥାନରୁ ହାତରେ ରଙ୍ଗ ଛଡ଼ାଇ ଯାଞ୍ଚ କରିଥିଲେ । ସ୍ଥିତି ପରକ୍ଷିବା ବେଳେ ଏଡିଏମ ଶ୍ରୀ ସ୍ବାଇଁ ଶାନ୍ତସ୍ତୂପରେ ସମଗ୍ର ଅଞ୍ଚଳରେ ନିର୍ମିତ ହୋଇଥିବା କାରୁକାର୍ଯ୍ୟପୂର୍ଣ୍ଣ କଳା ଯଥା – ବୁଦ୍ଧ ଦେବଙ୍କ ବିଭିନ୍ନ ଅବସ୍ଥାରେ ( ଯଥା – ଧ୍ୟାନ , ଶୟନ ) ଥିବା ପ୍ରତିମୂର୍ତି , ଅଶୋକ ଚକ୍ର , କଳିଙ୍ଗ ଯୁଦ୍ଧ ପରେ ଭଗବାନ ବୁଦ୍ଧଙ୍କ ନିକଟରେ ଅସ୍ତ୍ର ତ୍ୟାଗ କରି ବୌଦ୍ଧ ଧର୍ମରେ ଦିକ୍ଷୀତ ହେବା ବେଳର ଚିତ୍ର , ପଶୁପକ୍ଷୀଙ୍କ ଯତ୍ନ ଓ ଲାଳନପାଳନ ଅସ୍ତ୍ରୋ ଖୋଦିତ ଚିତ୍ରକଳା ଏବଂ ଏହାର ନିର୍ମାଣ ଶୈଳୀ ସବୁକୁ ପ୍ରଶଂସା କରିବା ସହ ଫାଟ ସ୍ଥାନ ମରାମତି ସମୟରେ ଏହା ଯେଭଳି ନଷ୍ଟ ନହୁଏ ସେଥିପ୍ରତି ବିଶେଷ ଯତ୍ନବାନ ହୋଇ କାମ କରିବାକୁ ପ୍ରଶାସନିକ ଅଧିକାରୀ ଓ ଟେକନିସିଆନ ଏକ୍ସପର୍ଟମାନଙ୍କୁ ପରାମର୍ଶ ଦେଇଥିଲେ ।

ଆଉ ଏକ ବଡ଼ କଥା ହେଉଛି ଶାନ୍ତିସ୍ତୂପର ରଙ୍ଗ ବଦଳିବ ନାହିଁ । ମରାମତି ପରେ ଧଳା ରଙ୍ଗ ପୁଟି ଛଡ଼ାଯାଇ ପୂର୍ବଭଳି ଧଳା ପୁଟି ଲେପ ହେବ । ସେହିପରି ପାହାଚ , ସ୍ତୂପର ଉଭୟ ପାର୍ଶ୍ବସ୍ଥ ବେସ ସ୍ଥାନ ମଧ୍ୟ ମରାମତି କରାଯାଇ ରଙ୍ଗ ହେବ । ପରିସର ଅଞ୍ଚଳ ଚଟାଣରେ ଧଳାମାର୍ବଲ ପ୍ଲେଟ ପଡ଼ିବ । ମୋଟ ଉପରେ କହିବାକୁ ଗଲେ ଶାନ୍ତିସ୍ତୂପର କାରୁକାର୍ଯ୍ୟର ସୁରକ୍ଷା ପ୍ରତି ନଜର ରଖି ମରାମତି କାର୍ଯ୍ୟ ହେବ । ଏହାର ରୂପ ରଙ୍ଗରେ କୌଣସି ପରିବର୍ତ୍ତନ ଘଟିବ ନାହିଁ । ସପ୍ତାହକ ଭିତରେ ମେଜରମେଣ୍ଟ କରାଯାଇ ବ୍ୟୟ ଅଟକଳ କରାଯିବ । ଡିଡିସି ପାଣ୍ଠିରୁ ଆବଶ୍ୟକ ଅର୍ଥ ମଂଜୁର ହେବ । ଦରକାର ପଡ଼ିଲେ ପର୍ଯ୍ୟଟନ ବିଭାଗରୁ ମଧ୍ୟ ଅର୍ଥ ମଂଜୁର କରାଯିବ ବୋଲି ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟ ଡଟିଡିସି ସୁପରିନଟେଣ୍ଡେଣ୍ଟ ଶଶାଙ୍କ ଶେଖର ଦାଶ , ସହକାରୀ ଯନ୍ତ୍ରୀ ସୁବ୍ରତ ଜେନା , କଳିଙ୍ଗ ନିପନ ବୁଦ୍ଧ ସଂଘର ଉନ୍ନୟନ କୋଅର୍ଡ଼ିନେଟର ରବି ମହାରଣା, ସମାଜସେବୀ ହରେକୃଷ୍ଣ ସାହୁ , ଅତିରିକ୍ତ ତହସିଲଦାର ସୁଜାତା ମହାରଣା ଓ ଭୁବନେଶ୍ବର ବିଡିଓ ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ସାମିଲ ଥିଲେ ।

ସମ୍ବନ୍ଧିତ ଖବର