ମିଶନ ଶକ୍ତି ଓ ମମତା ଯୋଜନାର ସମୀକ୍ଷା

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗର ମିଶନ ଶକ୍ତି ଓ ମମତା ଯୋଜନା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୦୨୧-୨୨ ବର୍ଷରେ ମହିଳା ଓ ଶିଶୁ ବିକାଶର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାକୁ ତ୍ୱରାନ୍ବିତ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବୈଠକରୁ ମିଳିଥିବା ସୂଚନାନୁସାରେ, ବୈଠକରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜାଗା ଚହ୍ନଟ, ନିର୍ମାଣ ପାଇଁ କାର୍ଯ୍ୟାଦେଶ ଓ ଅସଂପୂର୍ଣ୍ଣ ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ ପରିସରରେ ଅନାବଶ୍ୟକ ସ୍ଥାନ ଥିଲେ ସେଠାରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଇପାରିବ। ଏଥିପାଇଁ ପିଡି ଡିଆର୍‌ଡିଏ ଓ ବିଡିଓଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ନିର୍ମାଣ କରିବାକୁ ସେ ପରାମର୍ଶ ଦେଇଥିଲେ।

ସେହିଭଳି ଅଙ୍ଗନବାଡ଼ି କେନ୍ଦ୍ରରେ ମୋ ଉପକାରୀ ବଗିଚା ପାଇଁ ମାଗଣା ଚାରା ଓ ମଂଜି ଯୋଗାଣ କରାଯାଉଥିବା ନେଇ ସୂଚନା ଦେଇଥିଲେ। ମିଶନ ଶକ୍ତି ପକ୍ଷରୁ ବ୍ଲକ ଓ ଗ୍ରାମାଂଚଳରେ ମିଶନ ଗୃହ ନିର୍ମାଣ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ ବର୍ତମାନ ସୁଦ୍ଧା ଜିଲ୍ଲାରେ ୪୧ଟି ଗୃହ ନିର୍ମାଣ ହୋଇଛି। ଯୋଜନାନୁସାରେ ବଳକା ଗୃହ ନିର୍ମାଣ କରାଯାଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ, ଜାତୀୟ କନ୍ୟା ସନ୍ତାନ ସପ୍ତାହ ଜାନୁଆରି ୨୪ ତାରିଖରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ ଓ ମାନପତ୍ର ପ୍ରଦାନ କରାଯାଇଥିଲା। କନ୍ୟା ସନ୍ତାନ ସୁରକ୍ଷା ପାଇଁ ଶପଥ ଗ୍ରହଣ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପିଡି ଡିଆରଡିଏ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ ଅଶୋକ ବେଉରିଆ, ଦେବବ୍ରତ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତନିମା ମିଶ୍ର, ସ୍ବାସ୍ଥ୍ୟାଧିକାରୀ ଡା ଜୀବନ ଆଚାର୍ଯ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ଜିଲ୍ଲା ମିଶନ ଶକ୍ତି ଅଧିକାରୀ, ସିଡିପିଓ ଓ ଅନ୍ୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର