ରାୟଗଡ଼ା ଗସ୍ତରେ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ, ଅଧପନ୍ତରିଆ ଝଞ୍ଜାବତୀ ବ୍ରିଜ ସମ୍ପୂର୍ଣ୍ଣ ନେଇ କଲେ ସ୍ଥିତି ସମୀକ୍ଷା

ରାୟଗଡ଼ା: ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଅନିଲ ତ୍ରିପାଠୀ ଆଜି ରାୟଗଡ଼ା ଗସ୍ତରେ ଆସି ଅଧପନ୍ତରିଆ ହୋଇ ପଡି ରହିଥିବା ଝଞ୍ଜାବତୀ ବ୍ରିଜର ସ୍ଥିତି ସମୀକ୍ଷା କରିଛନ୍ତି। ରାୟଗଡ଼ା-ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ କ୍ଷେତ୍ରରେ ଏହି ବ୍ରିଜ ଲାଇଫ ଲାଇନ ସଦୃଶ୍ୟ ହୋଇଥିବାରୁ କାମ ତୁରନ୍ତ ସମ୍ପୂର୍ଣ୍ଣ ଉପରେ ମୁଖ୍ୟ ଯନ୍ତ୍ରୀ ଶ୍ରୀ ତ୍ରିପାଠୀ ଗୁରୁତ୍ୱାରୋପ କରିଛନ୍ତି। କାମ ସମ୍ପୁର୍ଣ୍ଣ ଲାଗି ଅଧିକା ବଜେଟ ଦାବି କରି ଠିକାଦାର ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାମ ପକାଇ ରଖିଛି।  ବ୍ରିଜର ସବ ଷ୍ଟକ୍‍ଚର କାର୍ଯ୍ୟ ଶେଷ ହୋଇଥିବାବେଳେ ସୁପରଷ୍ଟକ୍‍ଚର କାର୍ଯ୍ୟ ବାକି ରହିଛି ।  ୬୨ମିଟର ଲମ୍ବ ବ୍ରିଜ ଧାର୍ଯ୍ୟ ଅବଧି ଶେଷ ହୋଇ ତିନିବର୍ଷ ବିତିଯାଇଥିଲେ ସୁଦ୍ଧା ଠିକଦାରଙ୍କ କଚ୍ଛପ୍ୟ ଗତିରେ ନିର୍ମାଣ କାର୍ଯ୍ୟ ଯୋଗୁଁ ବ୍ରିଜ କାମ ବର୍ତମାନ ଯାଏଁ ଶେଷ ହୋଇପାରୁ ନାହିଁ ।
ଗତ ୨୦୧୬-୧୭ ଆର୍ଥିକ ବର୍ଷରେ ଆନ୍ଧ୍ରର ମୋକମ୍ବିକା ନାମକ ଠିକା ସଂସ୍ଥାକୁ ବ୍ରିଜ ନିର୍ମାଣ ସକାଶେ ୧୦ କୋଟି ୩୪.୪୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ ଟେଣ୍ଡର ପ୍ରଦାନ ହୋଇଥିଲା । ନିର୍ମାଣ କାର୍ଯ୍ୟ ଆରମ୍ଭଠୁ ଏକବର୍ଷ ମଧ୍ୟରେ ଅର୍ଥାତ ୨୦୧୮ ମସିହା ଏପ୍ରିଲ ମାସ ୧୪ ତାରିଖ ଦିନ ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିବାକୁ ବିଭାଗ ପକ୍ଷରୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ନିର୍ଦ୍ଧାରିତ ସମୟ ବିତିଯାଇଥିଲେ ସୁଦ୍ଧା ଆଜିଯାଏଁ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରି ନାହିଁ । ଅନ୍ୟପଟେ ବର୍ତ୍ତମାନ ଓଡିଶା ଓ ଆନ୍ଧ୍ରକୁ ଯୋଡୁଥିବା ଏକମାତ୍ର ବ୍ରିଟିଶ ଅମଳ ବ୍ରିଜ ପ୍ରାୟ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବାରୁ ଏହାକୁ ସମୟାନୁକ୍ରମେ ମରାମତି କରାଯାଇ ନଥିବାରୁ ଏହା ବିପଦ ସଙ୍କୁଳ ହୋଇପଡିଛି । ଶିଳ୍ପା ସମୃଦ୍ଧ  ରାୟଗଡ଼ାକୁ ପଡୋଶୀ ଆନ୍ଧ୍ର ସହ ଯୋଡିବା ପାଇଁ ଏହା ଏକମାତ୍ର ରାସ୍ତା ରହିଛି। ଜିଲ୍ଲାରେ ପ୍ରତିଷ୍ଠିତ ବୃହତ ଶିଳ୍ପ ପ୍ରତିଷ୍ଠାନ ଗୁଡିକ କଞ୍ଚାମାଲ ପରିବହନ ସକାଶେ ଉକ୍ତ ବ୍ରିଜଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପୋଲଟି ଶତାୟୁରୁ ଉର୍ଦ୍ଧ୍ୱ ବର୍ଷ ପୁରୁଣ ହୋଇଥିବାରୁ ବର୍ତ୍ତମାନ ସ୍ଥିତିରେ ଏହାର କ୍ଷମତା ୧୦ଟନ ପ୍ରତି ଏକ୍ସେଲ ଲୋଡ ରହିଥିବା ବେ୍‍ଳେ ଏହାକୁ କୌଣସି ଚାଳକ ଖାତିର କରୁନଥିବା ଦେଖିବାକୁ ମିଳୁଛି । ୪୦ଟନରୁ ଉର୍ଦ୍ଧ୍ୱ କ୍ଷମତା ସମ୍ପନ୍ନ ଭାରିଯାନ ଏହି ବ୍ରିଜ ଦେଇ ବିନା କୌଣସି ଅଙ୍କୁଶରେ ଯାତାୟାତ କରୁଛି। ତେବେ ମୁଖ୍ୟ ଯନ୍ତ୍ରୀଙ୍କ ପରିଦର୍ଶନ ପରେ ଝଞ୍ଜାବତି ବ୍ରିଜଟି ଖୁବଶିଘ୍ର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କୁହାଯାଉଛି । ଏହି ଅବସରରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କିଶୋର କୁମାର ନନ୍ଦ, ନିର୍ବାହୀ ଯନ୍ତ୍ରୀ ଯମୁନା ବେହେରା, ଗୁଣପୁର ଡିଭିଜନ ନିର୍ବାହୀ ଯନ୍ତ୍ରୀ ସିମାଦ୍ରୀ ନାୟକଙ୍କ ସମେତ ସହକାରୀ ଯନ୍ତ୍ରୀ ବୁଧିଆ ମାରାଣ୍ଡି ପ୍ରମୁଖ ଉପସ୍ଥିତ ରହିଥିଲେ ।
ସମ୍ବନ୍ଧିତ ଖବର