ଯାଜପୁର/ଟାଉନ୍: ରସୁଲପୁର ବ୍ଲକ୍ ନିକଟ ଜାତୀୟ ରାଜପଥ ପୋଲ ଭୁଶୁଡ଼ିବା ଘଟଣାକୁ ନେଇ ଆଜି ସମୀକ୍ଷା ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ଜାତୀୟ ରାଜପଥ ଅବ୍ୟବସ୍ଥା ଓ ସଂପ୍ରସାରଣକୁ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକରେ ସାଂସଦ ଶର୍ମିଷ୍ଠା ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଧର୍ମଶାଳା ବିଧାୟକ ପ୍ରଭାତ କୁମାର ବଳବନ୍ତରାୟ ଓ କୋରେଇ ବିଧାୟକ ଅଶୋକ ବଳ ଭାଗ ନେଇଥିଲେ। ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ,ଏସପି ଭିନୀତ ଅଗ୍ରୱାଲ୍, ଜାତୀୟ ରାଜମାର୍ଗ ପ୍ରାଧିକରଣ ଓ ଢେଙ୍କାନାଳ ଏନଏଚଏଆଇ ପ୍ରଳଳ୍ପ ନିର୍ଦ୍ଦେଶକ ନରେନ୍ଦ୍ର ସିଂହ, ଚଣ୍ଡିଖୋଲ-ଭଦ୍ରକର ପ୍ରକଳ୍ପ ନିର୍ଦ୍ଦେଶକ ଜିପି ବର୍ମା, କେନ୍ଦୁଝର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ହାମି, ସୁକିନ୍ଦା ବିଧାୟକଙ୍କ ପ୍ରତିନିଧି ବିବେକାନନ୍ଦ ବୋଷ, ବିଂଝାରପୁର ବିଧାୟିକାଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତି ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

Advertisment

ସାଂସଦ ଶର୍ମିଷ୍ଠା ସେଠୀ ଏନଏଚଏଆଇର ୩ ଜଣ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜାତୀୟ ରାଜପଥ ବିଷୟରେ ବିଭିନ୍ନ ପ୍ରଶ୍ନ କରିଥିଲେ। ଏଭଳି ଦୁର୍ଘଟଣା ଆଗକୁ ନହେବା ପାଇଁ ସେ ତାଗିଦ କରିଥିଲେ। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଚଣ୍ଡିଖୋଲଠାରେ ଟ୍ରାଫିକ୍ ଦ୍ୱାରା ପାସିଂ ବ୍ୟବସ୍ଥାକୁ ବନ୍ଦ କରିବା ବିଷୟରେ ପ୍ରଶ୍ନ କରିଥିଲେ। ରାସ୍ତା ଅତିକ୍ରମ ପାଇଁ ଅନ୍ୟୂନ ୧ କିଲୋମିଟର ବୁଲିବାକୁ ପଡୁଛି ବୋଲି ସେ କହିଥିଲେ। ତୁରନ୍ତ ଏହାକୁ ହଟାଇ ପୁନଃ ଟ୍ରାଫିକ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବନ୍ଦାଳୋ ଛକଠାରୁ ଛତିଆ ୧୬ନମ୍ବର ଜାତୀୟ ରାଜପଥ ଶୋଚନୀୟ ହୋଇପଡ଼ିଛି।। ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଦୃଷ୍ଟି ଦେବା ପାଇଁ କହିଥିଲେ। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ କୁଆଖିଆ ନିକଟରେ ଜାତୀୟ ରାଜପଥର ସଂଯୋଗପଥ ଅତ୍ୟନ୍ତ ଖରାପ ଥିବାର ଦର୍ଶାଇଥିଲେ। ରାଜପଥରେ ବଡ଼ବଡ଼ ଖାଲ ହୋଇଥିଲେ ବି ଠିକ୍ ଭାବରେ ମରାମତି କରାଯାଉନାହିଁ ବୋଲି ସେ କହିଥିଲେ। କୋରେଇ ବିଧାୟକ ଅଶୋକ କୁମାର ବଳ କହିଥିଲେ ଯେ ପାଣିକୋଇଲିଠାରୁ ରଗଡ଼ି ଛକଯାଏ ୨୦ ନଂ ଜାତୀୟ ରାଜପଥର ବହୁ ଜାଗାରେ ଖାଲ ହୋଇଛି। ଏହାର ମରାମତି ଜରୁରି। ଏଥିରେ ଥିବା ରେଲୱେ ଓଭର ବ୍ରିଜ୍‌ରେ କାମ ଦରକାର ହେଲାଣି।

ସୁକିନ୍ଦା ବିଧାୟକଙ୍କ ପ୍ରତିନିଧି ଦର୍ଶାଇଥିଲେ ଯେ ମଙ୍ଗଳପୁର ନିକଟରେ ଏକ ଓଭର ବ୍ରିଜ ନିର୍ମାଣ ସରିଛି। ସୁକିନ୍ଦାଠାରେ ଏକ ଫ୍ଲାଏଓଭର ଆବଶ୍ୟକ ଅଛି। ଅନନ୍ତପୁରଠାରୁ ସୁକିନ୍ଦା ଜାତୀୟ ରାଜପଥରେ ଆଲୋକୀକରଣ ହୋଇନାହିଁ। ଅଥଚ ଅନନ୍ତପୁରଠାରୁ ଭୁବନ ବହୁଦିନ ପୂର୍ବରୁ ଆଲୋକୀକରଣ ହୋଇସାରିଛି। ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକମାନେ ଏ ସମସ୍ତ କାର୍ଯ୍ୟକୁ କରିବା ପାଇଁ ସମୟ ଆବଶ୍ୟକ ଏବଂ ଯଥାଶୀଘ୍ର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ।