ରାଉରକେଲା:ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ସହ ସମାନ ମାନ୍ୟତା ପାଇଛି। ହେଲେ କ୍ୟାପିଟାଲ ହସ୍ପିଟାଲରେ ଉପଲବ୍ଧ ସୁବିଧା ସୁଯୋଗର କାଣିଚାଏ ବି ନାହିଁ। ଗତ ୪ ବର୍ଷ ତଳେ ଅର୍ଥାତ୍‌ ୨୦୧୯ରେ ଆର୍‌ଜିଏଚ୍‌କୁ ୪୦୦ ଶଯ୍ୟା ଡାକ୍ତରଖାନା ଘୋଷଣା କରାଗଲା। ଏ ସମ୍ପର୍କିତ ଚିଠି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆର୍‌ଜିଏଚ୍‌ ନିର୍ଦ୍ଦେଶକଙ୍କ ପାଖକୁ ଆସିଲା। କିନ୍ତୁ କିଛି ହେଲାନି। ଆଜି ଯାଏଁ ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାଣିଚାଏ ପଦକ୍ଷେପ ନିଆଗଲା ନାହିଁ। ଫଳରେ ଡାକ୍ତରଖାନାର ୪୦୦ ଶଯ୍ୟାର ସୁବିଧା ସୁଯୋଗ କେବଳ ଚିଠିରେ ରହିଯାଇଛି। ଆଶ୍ଚର୍ଯ୍ୟ କଥା, ସିଏମ୍‌ଓ ଅଫିସ୍‌ରୁ ଯେଉଁ ଚିଠି ଆସିଛି, ସେଥିରେ ଚିଠିର ଇସ୍ୟୁ ନମ୍ବର ନାହିଁ କି, କୌଣସି ଅଧିକାରୀଙ୍କ ଦସ୍ତଖତ ନାହିଁ। ଏଥିରୁ ସ୍ବାସ୍ଥ୍ୟ ବିଭାଗ କେମିତି ଚାଲିଛି, ଆର୍‌ଜିଏଚ୍‌କୁ ମିଳିଥିବା ଚିଠି ଏହାର ଜ୍ବଳନ୍ତ ଉଦାହରଣ।

ହେଲାନି ଏମ୍‌ଆର୍‌ଆଇ ଓ ଆଇସିୟୁ ସୁବିଧା
ନିର୍ଭରଶୀଳ ଝାଡ଼ଖଣ୍ଡ ଓ ଛତିଶଗଡ଼ ରୋଗୀ

Advertisment

୨୭୬ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ଦୈନିକ ଅନ୍ତଃବିଭାଗରେ ଭର୍ତ୍ତି ହେଉଛନ୍ତି ୩୮୦ ରୁ ୪୦୦ ‌ ରୋଗୀ। ବେଡ୍‌ ନଥିବାରୁ କିଛି ରୋଗୀ ବାରଣ୍ଡାରେ ତ ଅନ୍ୟ କିଛି ବେଡ୍‌ ତଳ ଚଟଣାରେ ଚିକିତ୍ସିତ ହେଉଛନ୍ତି। ସବଠୁ ଆଶ୍ଚର୍ଯ୍ୟ କଥା, ସରକାରଙ୍କ ପାଣ୍ଠି ଅଭାବରୁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)କୁ ବିନିଯୋଗ ହେଉଛି। ଡାକ୍ତର, ଆମ୍ବୁଲାନ୍ସ ସେବା, ନର୍ସ ଏମିତି କି ମୋ ସରକାର ପାଣ୍ଠି ମଧ୍ୟ ଡିଏମ୍‌ଏଫ୍‌ରୁ ଆସୁଛି। କହିବାକୁ ଗଲେ ଆର୍‌ଜିଏଚ୍ ମାସକୁ ଯେତିକ ଅର୍ଥ ଖର୍ଚ୍ଚ ହେଉଛି, ତା’ର ପ୍ରାୟ ୩୦% ଡିଏମ୍‌ଏଫ୍ ବହନ କରୁଛି। ଆର୍‌ଜିଏଚ୍‌ରେ ବିଭିନ୍ନ ବିଭାଗରେ ମୋଟ ୬୬ ଡାକ୍ତର ଅଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ୧୫ ଡାକ୍ତର ଡିଏମ୍‌ଏଫ୍‌ରୁ ନିଯୁକ୍ତି ହୋଇଛନ୍ତି। କେବଳ ଡାକ୍ତର ନୁହନ୍ତି ପ୍ରାୟ ୩୭ ନର୍ସ, ୨ଟି ଆମ୍ବୁଲାନ୍ସ ସମେତ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ଡିଏମ୍‌ଏଫ୍‌ରୁ ଆସୁଛି। ଦୀର୍ଘ ଦିନର ଦାବି ପରେ ସିଟି ସ୍କାନ୍, ଡାୟଲେସିସ୍‌ ସୁବିଧା ହୋଇଛି। ତାହା ପୁଣି ପିପି ମୋଡରେ। ଏଥିସହ ଏକ୍ସ-ରେ, ଅଲଟ୍ରା ସାଉଣ୍ଡ, ଇସିଜି, କେମୋ ‌ଥେରାପି ଆଦି କିଛି ସୁବିଧା ଉପଲବ୍ଧ ରହିଛି।

ଆଇସିୟୁ, ଏମ୍‌ଆର୍‌ଆଇ ସୁବିଧା ଆଜି ଯାଏ ହେଉନି। ପୃଥକ ଦୁର୍ଘଟଣା ବିଭାଗ (ସେପାରେଟ୍‌ କାଜୁଆଲିଟି ବିଭାଗ), ମର୍ଗ ହାଉସ୍‌ରେ ଅଧିକାଂଶ ସମୟରେ ଏସି କାମ କରୁନି। ଶବ ଶଢ଼ୁଛି। ସ୍ବତନ୍ତ୍ର ଶବ ବ୍ୟବଚ୍ଛେଦ ସେବା ସୁବିଧା ପାଇଁ ପାନପୋଷ ଏସ୍‌ଡିଏମ୍‌ଓ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ଫରେନ୍‌ସିକ୍‌ ବିଭାଗର ଆବଶ୍ୟକତା ରହିଛି। ଶିଶୁ ବିଭାଗର ଆଇସିୟୁ ବ୍ୟବସ୍ଥା ହେବ ବୋଲି ହେଉନାହିଁ। ରେଡିଓଲୋଜିଷ୍ଟ ନଥିବାରୁ ଅଲଟ୍ରା ସାଉଣ୍ଡ ସେବା ଠିକ୍ ଭାବେ ମିଳୁ ନାହିଁ। ହସ୍ପିଟାଲର ସବୁଠୁ ଗୁରୁତ୍ବ ବିଭାଗ ଏମ୍‌ଆର୍‌ଡି (ମେଡିକାଲ୍‌ ରେକର୍ଡ ଡିପାର୍ଟମେଣ୍ଟ) ପ୍ରତ୍ୟେକ ବିଭାଗର କାଗଜପତ୍ରଗୁଡ଼ିକ ଠିକ୍‌ ଭାବେ ଦେଖାରେଖା କରାଯାଇପାରୁ ନାହିଁ। ଡାକ୍ତର ଓ କର୍ମଚାରୀଙ୍କ ପାଇଁ ରହିଛି ମାତ୍ର ୧୬ଟି ସରକାରୀ କ୍ବାର୍ଟର୍ସ। ୬୬ ଡାକ୍ତରଙ୍କୁ ମାତ୍ର ୬ଟି, ୨୦୦ରୁ ଅଧିକ କର୍ମଚାରୀଙ୍କ ପାଇଁ ୧୦ଟି କ୍ବାର୍ଟର୍ସ ରହିଛି। ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବାସ୍ତବ କହିଛନ୍ତି, ଆଇସିୟୁର କାମ ଚାଲିଛି। ଏମ୍‌ଆର୍‌ଆଇ ବ୍ୟବସ୍ଥା ନାହିଁ। ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଆର୍‌ଜିଏଚ୍‌ ଉପରେ ରାଉରକେଲା ସମେତ ଜିଲ୍ଲାର ଅଧିକାଂଶ ଉପାନ୍ତ ବ୍ଲକ୍‌, ଝାଡ଼ଖଣ୍ଡ ଓ ଛତିଶଗଡ଼ର ରୋଗୀ ନିର୍ଭରଶୀଳ। ପ୍ରତ୍ୟେକ ଦିନ ବହିଃବିଭାଗରେ ୮୦୦ରୁ ୧୦୦୦ ଚିକିତ୍ସିତ ହେଉଛନ୍ତି। ଅନ୍ତଃବିଭାଗରେ ୩୦୦ରୁ ୪୦୦ ରୋଗୀ ଭର୍ତ୍ତି ହେଉଛନ୍ତି।