ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ଦୁର୍ନୀତିର ତାଲିକା ଲମ୍ବିବାରେ ଲାଗିଛି। ଡାକ୍ତରଖାନା କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ ଅଧିକାରୀ ଓ ଥାନାରେ ଲିଖିତ ଏତଲା ଦେବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ରଘୁନାଥପାଲୀ ବିଧାୟକ ଦୁର୍ଗା ତନ୍ତୀ ଦୁର୍ନୀତି ବିସ୍ତୃତ ତାଲିକା ମାଗି ନିଜର କାମ ସାରିଦେଇଛନ୍ତି। ଆଜି ପର୍ଯ୍ୟନ୍ତ ବିଧାୟକ ଶ୍ରୀ ତନ୍ତୀ ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ସେପଟେ ହସ୍ପିଟାଲ ମ୍ୟାନେଜର ଛୁଟିରେ ଯିବାକୁ ବିବାଦ ଉପୁଜିଥିଲା। ନିର୍ଦ୍ଦେଶକ ଡାକ୍ତର ଗଣେଶ ପ୍ରସାଦ ଦାସ ମ୍ୟାନେଜରଙ୍କ ଛୁଟି ବାତିଲ କରିଥିଲେ। ହେଲେ ଏନ୍‌ଏଚ୍‌ଏମ୍‌ ବିଭାଗରୁ ତାଙ୍କୁ ଛୁଟି ପାଇଁ ଅନୁମତି ମିଳିଥିଲା। ଛୁଟି ସରିବା ପରେ ଆଜି ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବାସ୍ତବ ନିଜର କାର୍ଯ୍ୟରେ ଯୋଗଦେବାକୁ ଆର୍‌ଜିଏଚ୍‌ରେ ପହଞ୍ଚିଥିଲେ। ନିର୍ଦ୍ଦେଶକ ଡାକ୍ତର ଦାସ ତାଙ୍କୁ କାର୍ଯ୍ୟାଳୟ ଭିତରକୁ ପଶିବାକୁ ଅନୁମତି ଦେଇ ନଥିଲେ। ଏନ୍‌ଏଚ୍‌ଏମ୍‌ ପରିଚାଳନା ନିର୍ଦ୍ଦେଶକଙ୍କଠୁ ଅନୁମତି ନେଇ ଆସିବାକୁ ହସ୍ପିଟାଲ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟରେ ଯୋଗଦେବାକୁ ଆସିଥିବା ହସ୍ପିଟାଲ ମ୍ୟାନେଜର କୌଣସି ଉପାୟ ନ ପାଇ ଶେଷରେ ଫେରିଯିବାକୁ ବାଧ୍ୟ ହୋଇଥିଲେ। ଏ ସଂକ୍ରାନ୍ତରେ ମ୍ୟାନେଜର ଶ୍ରୀବାସ୍ତବଙ୍କୁ ପଚାରିବାରୁ ସେ କହିଛନ୍ତି, ନିର୍ଦ୍ଦେଶକଙ୍କ ମନା କରିବାରୁ ଫେରି ଆସିଲି। ଏନ୍‌ଏଚ୍‌ଏମ୍‌ ପରିଚାଳନା ନିର୍ଦ୍ଦେଶକଙ୍କଠୁ ଭେଟିବି ବୋଲି କହିଛନ୍ତି। ନିର୍ଦ୍ଦେଶକ ଶ୍ରୀ ଦାସ କହିଛନ୍ତି, ପ୍ରତ୍ୟେକ ବିଭାଗରେ ଦୁର୍ନୀତି ଆସିବା ପରେ ହସ୍ପିଟାଲ ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲି। ଆଜି ପର୍ଯ୍ୟନ୍ତ ତାଙ୍କଠୁ କୌଣସି ଉତ୍ତର ମିଲିଲା ନାହିଁ। ବିଭାଗୀୟ ଉଚ୍ଚ ଅଧିକାରୀଙ୍କଠୁ ଉତ୍ତର ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନେବି। ସେପଟେ ଶବାଗାରରୁ ୪ଟି ଫ୍ରିଜ୍‌ର ଚୋରି ଘଟଣାରେ ଆଜି ପର୍ଯ୍ୟନ୍ତ ରଘୁନାଥପାଲୀ ପୁଲିସ ତଦନ୍ତ କରିନି। କେବଳ ଏତିକି ନୁହେଁ, ଦୁର୍ନୀତି ସମ୍ପର୍କରେ ଦିଆଯାଇଥିବା ଲିଖିତ ଅଭିଯୋଗ ମଧ୍ୟ ପୁଲିସ ଚୁପ୍‌ ବସିଥିବା ଜଣାପଡ଼ିଛି। ପୂର୍ବରୁ ସିକ୍ୟୁରିଟି, ପରିମଳ, ଆଟେଣ୍ଡାଣ୍ଟ ଆଦି ବିଭାଗରେ ହେରଫେର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଏବେ ଲଣ୍ଡ୍ରି ଓ ରୋଗୀମାନଙ୍କୁ ଖାଦ୍ୟ ଯୋଗାଣରେ ମଧ୍ୟ ଦୁର୍ନୀତିର ଗନ୍ଧ ବାହାରିଲାଣି। ବିନା ଟେଣ୍ଡରରେ ଲଣ୍ଡ୍ରି ଚାଲିଥିବା ଜଣାପଡ଼ିଛି। ଏସବୁ ଯାଞ୍ଚ ପାଇଁ ଆର୍‌ଜିଏଚ୍‌ ପକ୍ଷରୁ ସବ୍‌କମିଟି ଗଠନ କରାଯାଇଛି। ଆଗାମୀ ଦିନରେ ଆର୍‌ଜିଏଚ୍‌ରେ ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ନା, ମାମଲାକୁ ଚାପି ଦିଆଯାଉଛି ? ତା’ ଉପରେ ସହରବାସୀଙ୍କ ନଜର ରହିଛି।