ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ର ହସ୍ପିଟାଲରେ ହାଉସ୍‌କିପିଙ୍ଗଠାରୁ ଆରମ୍ଭ କରି ଆର୍‌ଜିଏଚ୍‌ର ଅନ୍ୟାନ୍ୟ କାମରେ ପ୍ରାୟ ୨୦ କୋଟିରୁ ଅଧିକ ଟଙ୍କାର ହେରଫେର ହୋଇଥିବା ଅଡିଟ୍‌ ରି‌ପୋର୍ଟରୁ ସ୍ପଷ୍ଟ ହୋଇଛି। ଅବଧି ସରିଥିଲେ ହେଁ ଆଜି ପର୍ଯ୍ୟନ୍ତ ସିକ୍ୟୁରିଟି ଓ ହାଉସ୍‌କିପିଙ୍ଗ କାମର ଟେଣ୍ଡର ହୋଇପାରୁନି।

Advertisment

ଏବେ ଦୁଇଟି କାମର ଟେଣ୍ଡର ଫାଇଲ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଡିଛି। ଆର୍‌ଜିଏଚ୍‌ର ଗାଡ଼ିପାର୍କିଂସ୍ଥଳ ବିନା ଲିଜ୍‌ରେ ଚାଲିଛି। ଗତ ୨୦୨୩ ପୂର୍ବରୁ ଲିଜ୍‌ ଅବଧି ସରିଲାଣି।

ପ୍ରାୟ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ପାକିଂସ୍ଥଳରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କଠୁ ଟଙ୍କା ଆଦାୟ କରାଯାଉଛି। ରସିଦ୍‌ ମଧ୍ୟ ଦିଆଯାଉଛି। ହେଲେ ପାର୍କିଂସ୍ଥଳରୁ ଆଦାୟ ହେଉଥିବା ଅର୍ଥରୁ ଟଙ୍କାଟିଏ ଆର୍‌ଜିଏଚ୍‌କୁ ଦିଆଯାଉ ନାହିଁ।

ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଜାଣିଥିଲେ ହେଁ ଚୁପ୍‌ ବସିଛନ୍ତି। ରାଜନୈତିକ ଦଳର ନେତା ଓ କିଛି ଲୋକ ଅଭିଯୋଗ ପରେ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ ଲୋକ ଦେଖାଣିଆ ଭାବେ କେବଳ ଉକ୍ତ ସଂସ୍ଥାକୁ ଚିଠି ଦେଇ କାମସାରି ଦେଇଛନ୍ତି। ଏ ସଂକ୍ରାନ୍ତରେ ଆର୍‌ଜିଏଚ୍‌ର ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ସମ୍ପୃକ୍ତ ସଂସ୍ଥା ମାସକୁ ପ୍ରାୟ ୨୨ ହଜାର ଆର୍‌ଜିଏଚ୍‌କୁ ଦେବାକୁ ଚୁକ୍ତିହୋଇଥିଲା।

ଅଧିକ ପଢ଼ନ୍ତୁ:ଭାରତର ପଡ଼ୋଶୀ ଦେଶରେ ଚୀନ୍‌ର ଘରୋଇ ସେନା: ଗୃହଯୁଦ୍ଧ ଆଶଙ୍କା ବଢ଼ିଲା

ଯେବେଠୁ ଲିଜ୍‌ ଅବଧି ସରିଲାଣି, ସେବେଠୁ ସମ୍ପୃକ୍ତ ସଂସ୍ଥା ଆର୍‌ଜିଏଚ୍‌କୁ ଟଙ୍କାଟିଏ ଦେଇନାହିଁ। ବର୍ଷର ଟଙ୍କା ଜମାକରିବାକୁ ସମ୍ପୃକ୍ତ ସଂସ୍ଥାକୁ ତାଗିଦ୍‌ କରାଯାଇଛି। ଖୁବ୍‌ଶୀଘ୍ର ପୁନଃ ଟେଣ୍ଡର କରି ପାର୍କିଂସ୍ଥଳ ଦିଆଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି। ସେମିତି ହସ୍ପିଟାଲ ପରିସରରୁ ଔଷଧ ଦୋକାନ ହଟାଇନେବାକୁ ସମ୍ପୃକ୍ତ ମାଲିକଙ୍କୁ ନୋଟିସ୍‌ କରାଯାଇଛି।

ହେଲେ ଔଷଧଦୋକାନୀ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷଙ୍କ ନୋଟିସ୍‌ ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ମାମଲା କୋର୍ଟରେ ବିଚାରଧୀନ ରହିଛି।

ଅଧିକ ପଢ଼ନ୍ତୁ: ପନ୍ନୁଙ୍କ ଫୋନ୍ ନମ୍ବର-ବ୍ୟାଙ୍କ ବିବରଣୀ ଦେବାକୁ ମନାକଲା ଆମେରିକା