ଜୟପୁର: ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ଲାଗୁ କରିଦେଇଛି। ତେବେ ପ୍ରଶାସନିକ ଅବହେଳା ହେଉ ଅବା ଠିକା ସଂସ୍ଥା ମନ୍ତରଗତିରେ ନିର୍ମାଣ ଯୋଗୁଁ ଜୟପୁର ସହରର ଦେଢ଼ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୩ଟି ଅଧାଗଢ଼ା ପ୍ରକଳ୍ପର ଲୋକାର୍ପଣ ହୋଇ ପାରିନି। ଏଗୁଡିକ ମଧ୍ୟରୁ ୧୩୫କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଥିବା ୭ମହଲା ଡିଏଚଏଚ୍, ଆଇଟି ପାର୍କ ଓ ନିର୍ମାଣ କାମ ସରିଥିବା ରାଜସ୍ବ ନିରୀକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଏହାର ପୁରୁଷ ଓ ମହିଳା ହୋଷ୍ଟେଲ। ଏହି ତିନୋଟି ଯାକ ପ୍ରକଳ୍ପ ଜନସାଧାରଣଙ୍କୁ ସିଧାସଳଖ ସଂପୃକ୍ତି ରହିବା ପ୍ରକଳ୍ପ। ରାଜ୍ୟର ତୃତୀୟ ରାଜସ୍ବ ନିରୀକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ଏହି ଶିକ୍ଷାବର୍ଷରେ ଆରମ୍ଭ ନ ହେବା ଫଳରେ ରାଜ୍ୟ ଶହେ ଜଣ ରାଜସ୍ବ ନିରୀକ୍ଷକ(ଆରଆଇ)ଙ୍କୁ ହରାଇଛି। ବର୍ଷକୁ ବର୍ଷ ପୁରୁଣା ଆରଆଇ ଓ ସୁପରଭାଇଜରମାନେ ଅବସର ନେଉଥିବା ବେଳେ ଖାଲି ପଡ଼ିଥିବା ସ୍ଥାନରେ ଆଡଜେଷ୍ଟମେଣ୍ଟରେ ଚାଲିଛି।

Advertisment

ଉଦାହରଣକୁ ଜୟପୁର ତହସିଲରେ ୨୨ଟି ପଂଚାୟତ ଓ ଜୟପୁର ପୌରାଂଚଳରେ ୧୩ଜଣ ରାଜସ୍ବ ନିରୀକ୍ଷକ ରହିଛନ୍ତି। ୨ଜଣ ଜୟପୁର ପୌରାଂଚଳ ସମ୍ଭାଳିଥିବା ବେଳେ ବଳକା ୧୧ଜଣ ୨ଟି ଲେଖାଏଁ ରାଜସ୍ବ ସର୍କଲକୁ ବୁଝୁଛନ୍ତି। ଏଠାରେ ୧୦୦ଜଣ ରାଜସ୍ବ ନିରୀକ୍ଷକ ତାଲିମ ନେବା ପାଇଁ ଏହି ତାଲିମ କେନ୍ଦ୍ର ଆରମ୍ଭ କରାଯାଇଛି। ରାଜ୍ୟରେ ଥିବା ସମ୍ବଲପୁର ଓ ଖଲ୍ଲିକୋଟ ତାଲିମ କେନ୍ଦ୍ର ଭଡ଼ା ଘରେ ଚାଲିଥିବା ବେଳେ ସରକାରଙ୍କ ଏହା ନିଜସ୍ବ କୋଠା। ୨କୋଟି ୯ଲକ୍ଷ ବ୍ୟୟରେ ଅତ୍ୟାଧୁନିକ ଯନ୍ତ୍ରାଂଶରେ ତାଲିମ ଦେବା ପାଇଁ ରାଜ୍ୟର ତୃତୀୟ ରାଜସ୍ବ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ କୋଠା ଓ ୬୦ଜଣ ପୁରୁଷ ଓ ୪୦ଜଣ ମହିଳା ତାଲିମ ନେବାକୁ ଥିବା ଆରଆଇ ରହିବା ପାଇଁ ପୃଥକ ପୃଥକ ଭାବେ ୨ଟି ଛାତ୍ରାବାସର ନିର୍ମାଣ କାମ ଗତ ବର୍ଷକ ସଂପୁର୍ଣ୍ଣ ହୋଇ ସାରିଛି। ଏହା ସାଙ୍ଗକୁ ପୂର୍ତ୍ତବିଭାଗ ଜିଲ୍ଲାପ୍ରଶାସନକୁ ହସ୍ତାନ୍ତର କରିଦେଇଥିବା କହିଛନ୍ତି ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.କ୍ଷୀରଧର କନ୍ଧପାଣି।

ଅପରପକ୍ଷରେ ଏହାର ଲୋକାର୍ପଣ କେବେ ହେବ ତାହାକୁ ନେଇ ଦକ୍ଷିଣାଂଚଳ ରାଜସ୍ବ କମିଶନର ନିଷ୍ପତ୍ତି ନେବେ। ତାଙ୍କୁ ପ୍ରଶାସନ ପକ୍ଷରୁ ଜଣାଇ ଦେଇଥିବା ବେଳେ ଏହାର ଲୋକାର୍ପଣ ହୋଇ ପାରିନି। ଫଳରେ ଏହି ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଥିବା ଆଶା ପୁଣି ମଉଳିଯାଇଛି। ସେଭଳି ୧୩୫କୋଟି ବ୍ୟୟ ବରାଦରେ ୭ମହଲା ୩୦୦ଶଯ୍ୟା ବିଶିଷ୍ଟ ଜିଲ୍ଲାମୁଖ୍ୟଚିକିତ୍ସାଳୟ ନିର୍ମାଣାଧିନ ରହିଛି। ବାହାରର କାମ ସରିଥିବା ବେଳେ ଏହାରର ଭିତର କାମ ଜାରୀ ରହିଛି ବୋଲି କହିଛନ୍ତି ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ। ଆଉ ମାସକ ମଧ୍ୟରେ ନିର୍ମାଣ କାମ ସରିବ ବୋଲି କହିଛନ୍ତି ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ। ଅପରପକ୍ଷରେ ଆଇଟି ପାର୍କର ନିର୍ମାଣ ସରିଥିଲେ ହେଁ ଏହାର ବି ଏବେ ଲୋକାର୍ପଣ ହୋଇପାରିନି। ତେବେ ଏହି ତିନୋଟି ଯାକ ମହତ୍ବାକାଂକ୍ଷୀ ପ୍ରକଳ୍ପ ଆସନ୍ତା ସାଧାରଣ ନିର୍ବାଚନ ପରେ ନୂଆ ସରକାର ଅମଳରେ ହିଁ ଲୋକାର୍ପଣ ହେବ ବୋଲି ଚର୍ଚ୍ଚା ହେଉଛି।