ପଟ୍ଟାମୁଣ୍ଡାଇ: ରାଜ୍ୟ ସରକାର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ନବକଳେବର କରୁଛନ୍ତି। ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ, ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇରେ। ଏହି ବ୍ଲକ୍ର ଶାସନସ୍ଥିତ ରାଜସ୍ବ ନିରୀକ୍ଷକ(ଆର୍ଆଇ)ଙ୍କ କାର୍ଯ୍ୟାଳୟ ଅବସ୍ଥା ଏମିତି ହୋଇଛି ଯେ ଏହା କେତେବେଳେ ଭୁଶୁଡ଼ି ପଡ଼ିବ ତାହା କହିହେଉନାହିଁ। ଖଣ୍ଡଖଣ୍ଡ ହୋଇ ପଲସ୍ତରା ଖସୁଛି। ୫୦ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ଅଫିସ ଥରୁଟିଏ ବି ମରାମତି ହୋଇନି। ଛାତରୁ ଗଲାବର୍ଷ ପଲସ୍ତରା ଖସିଥିଲା। ତତ୍କାଳୀନ ଆର୍ଆଇ ଆହତ ହୋଇଥିଲେ। ଏ ସଂପର୍କରେ ଅନେକ ଥର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। କେହି କିନ୍ତୁ ଦୃଷ୍ଟି ଦେଉ ନାହାନ୍ତି। ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ- ରାଜନଗର ବନ୍ୟା ବଂଧ ଦେଇ ସଦର ମହକୁମାରୁ ୫ କିମି ଗଲେ ପଡ଼ିବ ଶାସନ ଆର୍ଆଇ ଅଫିସ। ଶାସନ ପଂଚାୟତ ପୌରାଞ୍ଚଳକୁ ଲାଗି ରହିଛି। ଏହି ଆଇଆଇ ସର୍କଲ ଅଧୀନରେ ୧୦ଟିରୁ ଅଧିକ ଗ୍ରାମ ରହିଛି। ସେଥି ମଧ୍ୟରୁ ଶାସନ, ନିମପୁର, ଦିଆନପୁର, ବିନ୍ଧାଶ୍ରୀରାମପୁର, ଶ୍ରୀରାମପୁର, ମାଳିପୁର, ଉଦୟପୁର ପ୍ରଭୃତି ଗ୍ରାମ ରହିଛି। ଏହି ଗ୍ରାମଗୁଡିକର ଲକ୍ଷାଧିକ ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ଏହି ଆର୍ଆଇ ଅଫିସ୍ ଉପରେ ନିର୍ଭରଶୀଳ। ଆର୍ଆଇ ଅଫିସ ନିକଟରେ ଶାସନ ପଂଚାୟତ ଅଫିସ ଓ ଇଣ୍ଡିଆନ ବ୍ୟାଙ୍କ ରହିଛି।
ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ବିଭିନ୍ନ କର ବାବଦରେ ଏହି ଗ୍ରାମଗୁଡିକରୁ ପାଉଛନ୍ତି। ହେଲେ, ଏପଟେ ଆର୍ଆଇ ଅଫିସ ମରାମତି କରାଯାଉନାହିଁ। ବିପଦସଂକୁଳ ଅବସ୍ଥାରେ ଥିବା ଏହି ଅଫିସର ଘର କାନ୍ଥ ଫାଟି ଗଲାଣି। ବର୍ଷା ହେଲେ ତ କଥା ସରିଲା। ଛାତ, କାନ୍ଥ ଭିଜି ପଲସ୍ତରା ଖସୁଛି। କେତେବେଳେ କର୍ମଚାରୀଙ୍କ ଉପରେ ପଡ଼ୁଛି ତ କେତେବେଳେ କାମ ପାଇଁ ଯାଇଥିବା ଲୋକଙ୍କ ଉପରେ ଖସି ପଡ଼ୁଛି। ବେଳେବେଳେ ସ୍ଥିତି ଏମିତି ହୋଇଛି ଏଠାରେ କାର୍ଯ୍ୟରତ ଆର୍ଆଇ ବାରଣ୍ଡାରେ ବସି କାମ କରୁଛନ୍ତି। ସେହିପରି ଘର ନ ଥିବାରୁ ଅଧିକାଂଶ ସମୟରେ ଆରଆଇ ପଟ୍ଟାମୁଣ୍ଡାଇ ତହସିଲ ଅଫିସରେ ବସି କାମ କରୁଛନ୍ତି। ଅନ୍ୟପଟେ ଏହି ଅଫିସ ଭିତରେ ଗୁରୁତ୍ବପୂର୍ଣ୍ଣ ରେକର୍ଡପତ୍ର ଥିବା ବେଳେ ବର୍ଷା ବେଳେ ଛାତରୁ ପାଣି ଗଳି ସେଗୁଡ଼ିକ ଓଦା ହୋଇ ନଷ୍ଟ ହେଉଛି। ଫଳରେ ଲୋକେ ୫ କିମି ଦୂର ତହସିଲ ଅଫିସକୁ ଯିବାକୁ ପଡୁଛି। ଏହି ସମସ୍ୟା ଭିତର ଦେଇ ଅଫିସ ଗତି କରୁଥିବା ବେଳେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି। ତୁରନ୍ତ ଏଠାରେ ଏକ ନୂତନ ଗୃହ ନିର୍ମାଣ କରିବାକୁ ଶାସନ ସରପଞ୍ଚ ସଂଗ୍ରାମ ବାରିକ ଜିଳ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।