ଟ୍ରକ୍ ମାଲିକ ସଂଘ- ପ୍ରଶାସନ ବିବାଦ: ବାହାରୁ ଟ୍ରକ୍ ଅଣାଯାଇ ଉଠାଗଲା ହିତାଧିକାରୀଙ୍କ ଚାଉଳ

ଖୋର୍ଦ୍ଧା: ବାତ୍ୟା ୟାସକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ଯୋଗଣ ଓ ଖାଉଟି କଲ୍ୟାଣ ବିଭାଗ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆଦିର ହିତାଧିକାରୀଙ୍କୁ ମେ’ ଓ ଜୁନ୍ ମାସର କୋଟା ସହ ଅତିରିକ୍ତ ୨ ମାସର ଚାଉଳ ଦେବା ପାଇଁ ଘୋଷଣା କରିଥିଲେ । କିନ୍ତୁ ଜଟଣୀ ଟ୍ରକ୍ ମାଲିକ ସଂଘ-ପ୍ରଶାସନର ବିବାଦ ଯୋଗୁଁ ଏହା ଦିଆଯାଇପାରିନଥିଲା । ଆଜି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସମସ୍ତ ଚାଉଳ ଉଠାଯାଇଛି ।

ସୂଚନାନୁସାରେ, କରୋନା ମହାମାରୀ ଓ ବାତ୍ୟା ୟାସକୁ ଦୃଷ୍ଟିରେ ଚଳିତ ମାସ ୨୦ ତାରିଖରେ ରାଜ୍ୟ ସରକାର ମେ’ ଓ ଜୁନ୍ ମାସରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍ଏଫ୍ଏସ୍ଏ), ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏସ୍) ଓ ଅତିରିକ୍ତ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା-୩(ପିଏମ୍ଜିକେୱାଇ)ର ୨ ମାସର ଚାଉଳ ସହ ଅତିରିକ୍ତ ୨ ମାସର ଚାଉଳ ତୁରନ୍ତ ପ୍ରଦାନ କରିବାକୁ ଖୋର୍ଦ୍ଧା ସମେତ ବାତ୍ୟା ପ୍ରଭାବିତ ଜିଲ୍ଳାପାଳଙ୍କୁ ଚିଠିଲେଖିଥିଲେ । ଜଟଣୀ ଏଫ୍ସିଆଇ ଗୋଦାମରୁ ନୟାଗଡ଼, ପୁରୀ ଓ ଖୋର୍ଦ୍ଧା ପାଇଁ ଚାଉଳ ଉଠାଯାଇଥାଏ । ତେବେ ଜଟଣୀ ଟ୍ରକ ମାଲିକ ସଂଘ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦରରେ ଚାଉଳ ଉଠାଇବାକୁ ମନା କରିଦେବା ଫଳରେ ଚାଉଳ ଗତ ୧୦ ଦିନ ଧରି ଉଠାଯାଇପାରିନଥିଲା ।

ଏନେଇ ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଏଥିରେ ହସ୍ତକ୍ଷେପ କରିଥିଲେ । ଆଜି ଅନ୍ୟ ଜିଲ୍ଲାରୁ ଟ୍ରକ୍ ଅଣାଯାଇ ଗୋଟିଏ ଦିନରେ ଏନ୍ଏଫ୍ଏସ୍ଏ ହିତାଧିକାରୀଙ୍କ ୮୯୫ କ୍ୱିଂଟାଲ୍ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ପ୍ରାୟ ୭୨୦୦ କ୍ୱିଂଟାଲ୍ ଚାଉଳ ଉଠାଯାଇଥିବା ଯୋଗାଣ ବିଭାଗ ପକ୍ଷରୁ ଜଣାଯାଇଛି ।

ସମ୍ବନ୍ଧିତ ଖବର