ରାୟଗଡା: ରାୟଗଡା ଜ଼ିଲ୍ଲା କୋଳନରା ବ୍ଲଜ ଅନ୍ତର୍ଗତ ଥେରୁବାଲି ଫାଣ୍ଡି ଅଧିନସ୍ଥ ଖେଦାପୋଡ଼ା ଗ୍ରାମ ପଂଚାୟତ କାର୍ଯ୍ୟାଳୟଠାରେ ଅବସ୍ଥିତ ଚାଉଳ ଗୋଦାମ ଗୃହରୁ ଚାଉଳ ଚୋରି ହୋଇଥିବାର ଅଭିଯୋଗ ଆଣିଲେ ସରପଞ୍ଚ ନରସିଂହ କୀଲାକା। ସୂଚନା ଅନୁଯାୟୀ ସରକାରଙ୍କ ମାଗଣା ଚାଉଳ ଯୋଜନାରେ ତିନି ମାସ ଯଥା ଜୁଲାଇ,ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ଖେଦାପୋଡ଼ା ପଂଚାୟତର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଚାଉଳ ଆସି ପଂଚାୟତ ଗୋଦାମ ଗୃହରେ ପହଞ୍ଚିଥିଲା। ଗତକାଲି ଯୋଗାଣ ସହାୟକ ପ୍ରସାଦ ହିକକା ଦିନ ସାରା ଖେଦାପୋଡ଼ା ଗ୍ରାମବାସୀଙ୍କୁ ଚାଉଳ ଦେଇ ସନ୍ଧ୍ୟା ସମୟରେ ଗୋଦାମ ଗୃହରେ ତାଲା ଦେଇ ଚାଲି ଯାଇଥିଲେ। ଆଜି ସକାଳେ ଆସି ଗୋଦାମ ଗୃହ ଖୋଲି ହିତାଧିକାରୀଙ୍କୁ ଚାଉଳ ଦେବା ପାଇଁ ପ୍ରସ୍ତୁତ ହେବା ସମୟରେ ଜଣେ ବ୍ୟକ୍ତି ଗୋଦାମ ଘରେ ପଶିବା ପରେ କାନ୍ଥ ଖୋଳା ହୋଇଥିବା ଦେଖି ଯୋଗାଣ ସହାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Advertisment

ଯୋଗାଣ ସହାୟକ ପ୍ରସାଦ ତୁରନ୍ତ ସରପଞ୍ଚ ନରସିଂହ କୀଲାକା ଓ ପଂଚାୟତ ଅଧିକାରୀ ପ୍ରତାପ ହିମିରିକାଙ୍କୁ ଘଟଣା ବିଷୟରେ ଜଣାଇଥିଲେ।ପଂଚାୟତ ଗୋଦାମ ଗୃହରେ ସରପଞ୍ଚ ଓ ପଂଚାୟତ ଅଧିକାରୀ ପହଁଚିଥିଲେ। କାନ୍ଥ କଣା ଥିବା ଦେଖିବା ପରେ ବ୍ଲକ ଯୋଗାଣ ଅଧିକାରୀ ଅନିଲ କୁମାର ଗମାଙ୍ଗଙ୍କୁ ଜଣାଇ ଥେରୁବାଲି ଫାଣ୍ଡିରେ ଗୋଦାମ ଗୃହର କାନ୍ଥ ଭାଙ୍ଗି ଚାଉଳ ଚୋରି ହୋଇଥିବା ଲିଖିତ ଅଭିଯୋଗ କରିଥିଲେ। ପରେ ପୁଲିସ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ପୁଲିସ ତଦନ୍ତ ବେଳେ ପ୍ରାୟ ୫୦ କିଲୋ ଚାଉଳ ଗୋଦାମରୁ ବାହାର କରି ବାହାରେ ଫିଙ୍ଗି ଦେଇଥିବା ଦେଖିବାକୁ ପାଇଥିଲେ।

ତେବେ ଚୋର ଚାଉଳ ଚୋରି କରିଛି ନା ଆଉ କେଉଁ ଉଦ୍ଦେଶ୍ୟରେ ଆସିଥିଲା ତାହା ପୁଲିସ ତଦନ୍ତ କରୁଛି। ତେବେ ସେହି ଗୋଦାମ ଗୃହରେ ଚାଉଳ ବ୍ୟତୀତ ଗ୍ରାମ୍ୟ ଜଳଯୋଗାଣ ବିଭାଗର ନଳକୂପ ମରାମତି ଯନ୍ତ୍ରାଂଶ ମଧ୍ୟ ରଖାଯାଇଛି। ଦୁର୍ବୃତ୍ତମାନେ କାନ୍ଥ ଭାଙ୍ଗି ଥିଲେ ମଧ୍ୟ ସେହି ନିକଟରେ ନଳକୂପ ମରାମତି ଯନ୍ତ୍ରଂଶ ରହିଥିବାରୁ ଦୁର୍ବୃତ୍ତମାନେ ଚାଉଳ ବସ୍ତା ନେବା ପାଇଁ ସକ୍ଷମ ହୋଇପାରିଲେ ନଥିଲେ। ତଦନ୍ତ ପରେ ହିଁ କେତେ ଚାଉଳ ବସ୍ତା ଚୋରି ହୋଇଛି ତାହା ଜଣାପଡିବ ବୋଲି ପୁଲିସ କହିଛି।