ସମ୍ବଲପୁରରେ ରବି ଧାନ ପାଇଁ ଖୋଲିଲା ମଣ୍ଡି, ପ୍ରାପ୍ୟ ପାଇବାରେ ହୋଇପାରେ ବିଳମ୍ବ

ସମ୍ବଲପୁର: ସମ୍ବଲପୁରରେ ଶୁକ୍ରବାରଠାରୁ ରବି ଧାନ ସଂଗ୍ରହ ଆରମ୍ଭ ହୋଇ ଯାଇଛି କିନ୍ତୁ ବାତ୍ୟା ଯୋଗୁଁ ଭୁବନେଶ୍ୱରରେ ଇଣ୍ଟରନେଟ୍‌ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିବାରୁ ଚାଷୀମାନେ ସେମାନଙ୍କର ପ୍ରାପ୍ୟ ପାଇବାରେ ବିଳମ୍ବ ହୋଇପାରେ। ଧାନ ସଂଗ୍ରହ ପାଇଁ ସମୁଦାୟ ୪୪ ମିଲର୍ସଙ୍କୁ ଟ୍ୟାଗ୍‌ କରାଯାଇଛି। ଏଥର ଭଲ ଫସଲ ହୋଇଥିବାରୁ ଏକର ପିଛା ୨୬ କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ନିଷ୍ପତ୍ତି ହୋଇଥିବା ଜଣା ପଡ଼ିଛି। କମନ ଏଫଏକ୍ୟୁ ଧାନ କ୍ୱିଣ୍ଟାଲ ପ୍ରତି ୧୭୫୦ ଟଙ୍କା ଏବଂ ଗ୍ରେଡ ଏ ଧାନ କ୍ୱିଣ୍ଟାଲ ପ୍ରତି ୧୭୭୦ ଟଙ୍କାରେ କିଣା ଯାଉଛି।

ଚଳିତ ବର୍ଷ ରବି ଧାନ ସଂଗ୍ରହରେ ସମ୍ବଲପୁର ପ୍ରଥମ ଜିଲ୍ଲା ହେବ। କାରଣ ଇଣ୍ଟରନେଟ୍‌ ବ୍ୟବସ୍ଥା ଅଚଳ ଥିବା ଯୋଗୁଁ ଏପର୍ଯ୍ୟନ୍ତ ରାଜ୍ୟର କୌଣସି ଜିଲ୍ଲାରେ ଧାନ ସଂଗ୍ରହ ହୋଇ ପାରି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ମଣ୍ଡି ଏବଂ କ୍ରୟ କେନ୍ଦ୍ରର ଯାଞ୍ଚ କରାଯାଇ ଏହାର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇ ଦିଆ ଯାଇଥିବା ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ତେବେ ସଂଧ୍ୟା ପର୍ଯ୍ୟନ୍ତ କେଉଁ ସୋସାଇଟି କେତେ ଧାନ କିଣିବ ସେ ନେଇ ସୋସାଇଟି ଅଥରିଟି ସ୍ଲିପ ଏବଂ ମିଲର୍ସ ଅଥରିଟି ସ୍ଲିପ ପ୍ରସ୍ତୁତ କରାଯାଇ ପାରି ନଥିଲା।

ସୂଚନାଯୋଗ୍ୟ, ୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୮୪୯୯ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ ହୋଇଥିଲେ। ଏହାପରେ ଆଉ କେତେ ଜଣ ଚାଷୀଙ୍କ ପଞ୍ଜୀକରଣ ହେଲା, ତାହା ଅନ୍ଲାଇନରେ ଜଣା ପଡ଼ୁ ନାହିଁ। ଜିଲ୍ଲାରେ ଚାଷୀମାନେ ସମବାୟ ସମିତିକୁ ଧାନ ବିକ୍ରି ପରେ ଭୁବନେଶ୍ୱରରୁ ସେମାନଙ୍କ ଆକାଉଣ୍ଟରେ ତାର ମୂଲ୍ୟ ଜମା କରା ଯାଇଥାଏ। ଚଳିତ ବର୍ଷ ଜିଲ୍ଲାରେ ବମ୍ଫର କ୍ରପ ହୋଇଛି। ପାଣିପାଗରେ ଅନିଶ୍ଚିତତା କାରଣରୁ ଓ ଭିତ୍ତିଭୂମି ଅଭାବରୁ ସମ୍ବଲପୁରର ଚାଷୀମାନେ ଅମଳ ପରେ ଧାନକୁ ନିଜ ପାଖରେ ରଖି ବିପଦ ମୁଣ୍ଡାଇବାକୁ ଚାହୁଁ ନାହାନ୍ତି। ଅନ୍ୟ ଦିଗରେ ବିକ୍ରି ପୂର୍ବରୁ ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାରେ ଥିବା ୫୧ଟି ରାଇସ୍‌ ମିଲସ୍‌ ଗଚ୍ଛିତ ଧାନ ଯାଞ୍ଚ କରାଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ୯୧ ପ୍ରତିଶତ ଚାଉଳ ଜମା ହୋଇଥିବା ଭାରପ୍ରାପ୍ତ ସିଏସ୍‌ଓ କୃଷ୍ଣଚନ୍ଦ୍ର ସେଠୀ କହିଛନ୍ତି। ନିୟମ ଅନୁଯାୟୀ, ଶତ ପ୍ରତିଶତ ଚାଉଳ ମିଲଗୁଡ଼ିକ ଜମା ନକରିବା ପର୍ଯ୍ୟନ୍ତ ସେମାନଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରୁ ବାଦ ଦିଆଯାଇ ଥାଏ। ସେହି ଦୃଷ୍ଟିରୁ ଜିଲ୍ଲାର କିଛି ମିଲ ବାଦ ପଡ଼ି ଥାଆନ୍ତେଯ ମାତ୍ର ଚଳିତ ବର୍ଷ ପ୍ରଶାସନ ଏ ନେଇ କୋହଳ ମନୋଭାବ ପୋଷଣ କରିଛି। ଏହା ସତ୍ତ୍ୱେ ମଧ୍ୟ ଜିଲ୍ଲାର ୬ଟି ମିଲ ଧାନ ବିକ୍ରି ପ୍ରକ୍ରିୟାରେ ନାହାନ୍ତି।

ଉଲ୍ଲେଖଯୋଗ୍ୟ, ୨୦୦୦ ମସିହା ବେଳକୁ ଲେଭିରେ ଧାନ ବିକ୍ରି ହେଉଥିଲା। ମିଲର୍ସ ଚାଷୀଙ୍କ ଠାରୁ ସିଧାସଳଖ ଧାନ କିଣି ନଗଦ ଟଙ୍କା ଦେଉଥିଲା। ମାତ୍ର ଏଥିରେ ଚାଷୀ ଶୋଷଣର ଶିକାର ହେବାରୁ ଏହି ବ୍ୟବସ୍ଥାକୁ ବନ୍ଦ କରି ଦିଆ ଯାଇଥିଲା। କଷ୍ଟମ ମିଲିଂରେ ମିଲର୍ସର ଭୂମିକା ଗୌଣ ହେଲାଯ ଚାଷୀ ସିଧାସଳଖ ସରକାରଙ୍କ ଠାରୁ ପ୍ରାପ୍ୟ ନେଉଛନ୍ତି। ଏଥିରେ ପ୍ରଥମେ ନଗଦ ଏବଂ ପରେ ଚେକ ଜରିଆରେ ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ କରାଯାଉଥିଲା। ୨୦୧୩ରୁ ଧାନ ବିକ୍ରି ସମ୍ପୂର୍ଣ୍ଣ ଭାବରେ ଅନଲାଇନ ହେଉଛିଯ ଏଥି ଯୋଗୁଁ ଚାଷୀଙ୍କୁ ନିଜ ଆକାଉଣ୍ଟରେ ପ୍ରାପ୍ୟ ପାଇବା ସୁବିଧାଜନକ ହେଲାଯ ଧାନ ବିକ୍ରିର ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନର ନିୟମ ରହିଛି।

ସମ୍ବନ୍ଧିତ ଖବର