ଧାନମଣ୍ଡିରେ ଅନିୟମିତତା ଅଭିଯୋଗ ତଦନ୍ତ କରି ଅସନ୍ତୋଷ ପ୍ରକାଶ କଲେ ପ୍ରଭାରୀ

ବାଲିଅନ୍ତା:  ବାଲିଅନ୍ତା ବ୍ଲକ ଅଞ୍ଚଳରେ କୃଷି ସମବାୟ ସମିତି ଧାନମଣ୍ଡିରେ ଅନିୟମିତତା ହେଉଥିବା ଅଭିଯୋଗ ଘଟଣାର ଆଜି ବିଜେପି ରାଜ୍ୟ ନେତୃବୃନ୍ଦ ତଦନ୍ତ କରିଛନ୍ତି। ଏନେଇ ଓଡ଼ିଶା ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ପୂର୍ବାହ୍ନରେ ସ୍ଥାନୀୟ କାକରୁଦ୍ରପୁର ସେବା ସମବାୟ ସମିତି ଧାନମଣ୍ଡିରେ ପହଞ୍ଚି ଏହାର ତଦନ୍ତ କରିଥିଲେ। ତଦନ୍ତ ବେଳେ ମଣ୍ଡିରେ ଧାନ ବିକ୍ରି ନେଇ ଉପସ୍ଥିତ ଚାଷୀଙ୍କ ସମସ୍ୟା ଓ ଅଭିଯୋଗ ସଂପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ମଣ୍ଡିରେ ଚାଷୀମାନେ ଉତ୍ପାଦିତ ଧାନ ବିକ୍ରି ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅଭିଯୋଗ ଶୁଣି ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ। ସଠିଲୋ ଗ୍ରାମର ଶ୍ରୀର୍ଦ୍ଧର ସ୍ବାଇଁ, ଜଗନ୍ନାଥ ସ୍ବାଇଁ, ନୀଳକଣ୍ଠ ପ୍ରଧାନ ଓ ବଳଭଦ୍ରପୁର ଗ୍ରାମର ସୁଦାମ ନାୟକ ପ୍ରମୁଖ ଚାଷୀମାନେ ସମିତି ସଂପାଦକ ମଣ୍ଡିକୁ ଧାନ ଆଣିବା ପାଇଁ ଖାଲିଅଖା ଦେଉନଥିବାରୁ ବାହାରୁ ୨୩ ଟଙ୍କାରେ କିଣୁବାକୁ ବାଧ୍ୟ ହେଉଥିବା କହିଥିଲେ। ଏମିତିକି ମଣ୍ଡିରେ ମିଲର୍ସ କ୍ୟୁଣ୍ଟାଲ ପିଛା ଦୁଇ କିଲରୁ ୫ କିଲ ଧାନ କାଟୁଥିବା ଅଭିଯୋଗ କରି ସମିତି ବିରୋଧରେ ସ୍ବର ଉ‌ଠାଇଥିଲେ।

ପ୍ରକୃତ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାକୁ ଟୋକନ ପାଇବାରେ ବିଳମ୍ବ ହେଉଥିବା ବେଳେ ମିଡ଼ିଲ ମ୍ୟାନ ବା ଅସାଧୁ ଧାନ ବ୍ୟବସାୟୀ ଆଗୁଆ ଟୋକନ ନେଉଥିବା ଚାଷୀମାନେ ଅଭିଯୋଗ କରିଥିଲେ । ମଣ୍ଡିରେ ଭାଗଚାଷୀମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ଭାଗଚାଷୀ ଅସାଧୁ ଧାନ ବ୍ୟବସାୟୀମାନଙ୍କୁ କମ ମୂଲ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ଅନ୍ୟପକ୍ଷରେ ଭାଗଚାଷୀଙ୍କ ଠାରୁ କମ ମୂଲ୍ୟରେ ଧାନ କିଣି ଦଲାଲ ବ୍ୟବସାୟୀ ବେଶ ମୁନାଫା ଉଠାଉଥିବା ଚାଷୀମାନେ ତୋମାରଙ୍କ ନିକଟରେ ଫେରାଦ ହୋଇଥିଲେ। ଆଖପାଖ ପଞ୍ଚାୟତ ଅଞ୍ଚଳର ଚାଷୀମାନେ ମଧ୍ୟ ପହଞ୍ଚି ଅନୁରୂପ ଅଭିଯୋଗ କରିଥିଲେ। ପ୍ରତାପରୁଦ୍ରପୁର ସେବା ସମବାୟ ସମିତି ଅଞ୍ଚଳର ଚାଷୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା ଓ କରୁଣାକର ପଣ୍ଡା ଓ ସରକଣା କୃଷି ସମବାୟ ସମିତି ଅଞ୍ଚଳର ଦିଲ୍କୀପ କୁମାର ବେହେରା ୫ କିଲୋ ଲେଖାଏଁ ଧାନ କାଟ ନିଆଯାଉଥିବା ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ତୋମାର କେନ୍ଦ୍ର ସରକାର କୃଷି ଓ କୃଷକମାନଙ୍କ ଉନ୍ନତି ଲାଗି ଅନେକ ଯୋଜନା ପ୍ରଣୟନ କରୁଥିବା ବେଳେ ରାଜ୍ୟ ସ୍ତରରେ ଠିକ ଭାବରେ କାର୍ୟ୍ୟକାରୀ ନହେବା ନେଇ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ।

ସେ ଏନେଇ କେନ୍ଦ୍ର ସରକାରଙ୍କ ଦପ୍ତରରେ ଜଣାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ‌ ବୋଲି କହିଥିଲେ। ଶେଷରେ ତୋମାର ମଣ୍ଡିସ୍ଥଳରେ ଥୁଆ ହୋଇଥିବା ଧାନର ମାନ ପରଖିଥିଲେ। ବିଜେପି ନେତୃବୃନ୍ଦ ମଣ୍ଡିସ୍ଥଳରେ ଚାଷୀଙ୍କ ସୁବିଧା ଲାଗି ପାଣି , ଟେଣ୍ଟ ଓ ଟଏଲେଟ ଭଳି ମୌଳିକ ସୁବିଧା ଅଛିକି ନାହିଁ ଚାଷୀଙ୍କୁ ପଚାରି ବୁଝିଥିଲେ। ଉକ୍ତ ସମିତି ଦାୟିତ୍ବରେ ଥିବା ସଂପାଦକ ଦେବେନ୍ଦ୍ର କୁମାର ସାହୁଙ୍କ ସହ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ କେଭିସିଂହ ଦେଓଙ୍କ ସମେତ ସ୍ଥାନୀୟ ନେତୃତ୍ବ ସନ୍ତୋଷ କୁମାର ସାହୁ, ଯୁବ ମୋର୍ଚ୍ଚ ସଭାପତି ଗଦାଧର ଜେନା , ଶିବ ମଲ୍ଲିକ ଓ ତାପସ ଜେନା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେଥୃବୃନ୍ଦ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର