ଜିରୋ କଟିଂରେ ଧାନ କିଣିବାକୁ ଅମଙ୍ଗ ମିଲର; ଅମଳ ଧାନକୁ ନେଇ ଚାଷୀ ମୁଣ୍ଡରେ ଚଡକ

ଭଦ୍ରକ: ଜିରୋ କଟିଂ ରେ ଧାନ କିଣିବାକୁ ଅମଙ୍ଗ ହେଉଛନ୍ତି ଭଦ୍ରକ ଜିଲ୍ଲାର ମିଲର। ମିଲରଙ୍କ ଏଇ ଅମଙ୍ଗ ଯୋଗୁଁ ଜିଲ୍ଲାର ଅଧିକାଂଶ ଧାନ ମଣ୍ଡିରେ ଚାଷୀ ଓ ସମବାୟ ସମିତି ମଧ୍ୟ‌ରେ ଚାଲିଛି ଟଣାଓଟରା। ଧାନର କଟଣି ଛଟଣିକୁ ନେଇ ଚାଷୀର ନାହିଁ ନାହିଁ ବେଳେ ସମବାୟ ସମିତିର ହଁ କୁ ନେଇ ସବୁଠି ଉଠିଛି ବିବାଦ।ଧାନ କିଣା ବିକା ବେଳେ ଅନେକ ସମବାୟ ସମତିରେ ଚାଲିଛି ଚାଷୀ ଓ ସମବାୟ ସଂପାଦକଙ୍କ ମଧ୍ୟ ଶୀତଳ ଯୁଦ୍ଧ। ଚାଷୀର କୁଇଣ୍ଟାଲ ପ୍ରତି ଧାନରେ ୭ରୁ ୧୦ କିଲୋ ପର୍ୟ୍ୟନ୍ତ ଧାନ କାଟି ନେବା ବେଳକୁ ଏହା ତାଙ୍କୁ ବାଧୁଛି। ଏହାର ପ୍ରତିବାଦ କଲେ ଚାଷୀଙ୍କୁ ସମବାୟ ସଂସ୍ଥା ଓ ମିଲରମାନେ ଏଫଏକ୍ୟୁ ମାନର ଧାନ ଦିଅ ବୋଲି କହି ଧାନ ଫେରାଇ ନେବାକୁ ଧମକ ଦେଉଛନ୍ତି। ନିକଟରେ ଭଦ୍ରକ ଜିଲ୍ଲାର ଦଶମ ଜିଲ୍ଲାପରିଷଦ ବୈଠକରେ ଚାଷୀର ଧାନ ବିକ୍ରୀ ବେ‌ଳେ କଟଣି ଛଟଣି ନକରିବାକୁ ବିଧାୟକମାନେ ତାଗିଦ୍ କରିଥିଲେ। ଏ ଦିଗରେ ଯୋଗାଣ ବିଭାଗ ଉପରେ ଜିଲ୍ଲାର ବିଧାୟକମାନେ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲ୍ଲା ଯୋଗାଣ ବିଭାଗ ଏହାର ତଦନ୍ତ କରିବା ଉଚିତ। କେଉଁ ସମବାୟ ସମିତି ଚାଷୀର ଧାନ ବିକ୍ରୀ ବେଳେ କୁଇଣ୍ଟାଲ ଉପରେ ୫ରୁ ୧୦ କିଲୋ ଧାନ କାଟୁଛି।

ତାହାର ରିପୋର୍ଟ ତୁରନ୍ତ ଜିଲ୍ଲାପାଳଙ୍କୁ ଦେବା ସହ ସେହିସବୁ ସମବାୟ ସମିତିର ସଂପାଦକଙ୍କ ଉପରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ମତ ଦେଇଥିଲେ। ଜିଲ୍ଲାପରିଷଦ ବୈଠକରେ ବିଧାୟକମାନଙ୍କର ଏଭଳି ତାଗିଦ୍ ପରେ ମଧ୍ୟ ଜିଲ୍ଲାର ସମବାୟ ସମିତି ଓ ମାଫିଆ ମିଲରମାନେ କିଛି ଶୁଣିବାର ନାହିଁ। ପ୍ରତିବର୍ଷ ଜିଲ୍ଲାର କିଛି ମାଫିଆ ମିଲର ଚାଷୀର ଧାନକୁ କିଭଳି ଦୁଇ ତିନି ମାସ ଭିତରେ ଚଳୁ କରିଦେବେ ସେଇ ଚକ୍ରାନ୍ତରେ  ରହିଥାନ୍ତି। ଉପର ଲେବୁଲରେ ମିଲଣମାନେ ଅଧିକାରୀଙ୍କୁ ହାତକରି ତଳିଆ ଚାଷୀଙ୍କୁ ମାରିବାକୁ ଯୋଜନା କରନ୍ତି। କେବଳ ଧାନର କଟଣି ଛଟଣିର କଥା ନୁହେଁ। ଚାଷୀଙ୍କୁ ଅଖା ମଧ୍ୟ ଦିଆଯାଉ ନାହିଁ। ଅଖା କିଣାରେ ଜିଲ୍ଲା ଯୋଗାଣ ବିଭାଗ, ସମବାୟ ସମିତି ଓ ମିଲର ମିଳିତ ଭାବେ ଲକ୍ଷ ଲକ୍ଷ ଟଙ୍କା ଲୁଟି ଖାଉଛନ୍ତି। ଜିଲ୍ଲାପାଳ ଏ ସବୁ ଲୁଟ୍ ତରାଜ ବିଷୟରେ ପ୍ରତିବର୍ଷ ଜାଣୁଛନ୍ତି। ମାତ୍ର ଅଖା ଘୋଟଲାର କିଛି କାର୍ୟ୍ୟାନୁଷ୍ଠାନ ଜିଲ୍ଲା ପ୍ରଶାସନ ନେଉ ନାହିଁ। ଧାନ କିଣା ବେଳେ ଅଖା ଘୋଟଲାରେ କେଉଁମାନେ ସଂପୃକ୍ତ ରହୁଛନ୍ତି।

ତାହାର ଭିଜିଲାନସ୍ ତଦନ୍ତ କରାଯାଉ ବୋଲି ଜିଲ୍ଲାର ଶହ ଶହ ଚାଷୀ ଅଭିଯୋଗ ଉଠାଇଛନ୍ତି। ପ୍ରତିବର୍ଷ ଅଖା କିଣା ବାବଦରେ କେତେ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି ତାହ‌ାର ହିସାବ ଏବେ ସର୍ବସାଧାରଣରେ ପ୍ରକାଶ କରାଯିବାର ଆବଶ୍ୟକତା ରହିଛି। ଧାନ କିଣାରେ କଟଣି ଛଟଣି ଓ ଅଖା ଟଙ୍କାର ମହାଘୋଟଲାର ଭିଜିଲାନସ୍ ତଦନ୍ତ ହେଲେ ଅନେକ ତଥ୍ୟ ପଦାକୁ ଆସିବା ସହ ବହୁ ଦୁର୍ନୀତିଖୋର ଅଧିକାରୀଙ୍କର ଅସଲ ମୁଖା ପଦାରେ ପଡିପାରନ୍ତା ବୋଲି ଜିଲ୍ଲା ତମାମ ଚର୍ଚ୍ଚା ହେଉଛି। ଆରଏମସିର କିଛି ଦୁର୍ନୀତିଖୋର ଅଧିକାରୀ ଜିଲ୍ଲାରେ ଦୀର୍ଘ୍ୟ ବର୍ଷ ଚାକିରୀ କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ପୁଣି ଖରିଫ୍ ଧାନ ବିକ୍ରୀ ବେଳେ ଏଭଳି ଘୋଟଲାକୁ ମୂଳରୁ ପ୍ରଶ୍ରୟ ଦେବା ଆରମ୍ଭ କରିଛନ୍ତି। ଏଭଳି କିଛି ଦୂର୍ନୀତିଖୋର ଅଧିକାରୀଙ୍କ ଉପରେ ଭିଜିଲାନସ୍ ପକ୍ଷରୁ ମଧ୍ୟ ନଜର ପଡିବାର ଆବଶ୍ୟକତା ରହିଛି। ଆରମ୍ଭରୁ ଭଦ୍ରକ ଜିଲ୍ଲାରେ ଧାନ କିଣାକୁ ନେଇ ଏଇଭଳି ଅଚଳାବସ୍ଥାକୁ ନେଇ ଏବେ ଅଧିକାଂଶ ସମବାୟ ସମିତିରେ ଚାଲିଛି ବିବାଦ। ଯେଉଁ କାରଣରୁ ଅଧିକାଂଶ ସମବାୟ ସମିତି ଭଦ୍ରକ ଜିଲ୍ଲାରେ ଧାନ କିଣୁ ନାହାନ୍ତି।

ଅନେକ ସ୍ଥାନରେ ମଣ୍ଡି ଆଦୌ ଖୋଲା ହୋଇ ନାହିଁ। ମିଲର – ସମିତି ମିଳିତ ଭାବେ ଚାଷୀଙ୍କୁ ହତାଶ କରୁଥିବା ବେଳେ ବିଚରା ଗରିବ ଚାଷୀଟି ବାଧ୍ୟ ହେଉଛି ତାର ଧାନକୁ ଏଇଭଳି ଅବସ୍ଥାରେ ଟେକି ଦେବାକୁ। ବିଭିନ୍ନ ଚାଷୀ ସଂଗଠନ ଧାନର କଟନି ଛଟନିକୁ ନେଇ ପ୍ରତିବାଦ କରୁଥିଲେ ମଧ୍ୟ ଫଳ କିଛି ମିଳୁ ନାହିଁ। ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗତ ତିନି ଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ କଟଣି ଛଟଣି ଓ ଅଖାର ଯୋଗାଣ କରାଯାଉ ନଥିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।ଜିଲ୍ଲାରେ ଧାନ କିଣାର ଏଭଳି ଅଚଳାବସ୍ଥା ଲାଗି ରହିଲେ ନବ ନିର୍ମାଣ କୃଷକ ସଂଗଠନ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଧାନ କିଣାର ଅଚଳାବସ୍ଥାକୁ ନେଇ ଚାଷୀ ଆଖିରୁ ଲୁହ ଗଡୁଛି। ଚାଷୀ ଧାନ ଅମଳ କରି ନିଜ ଖଳାରେ ଓ ପିଣ୍ଡାରେ ଧାନ ବସ୍ତା ରଖି ମୁଣ୍ଡରେ ହାତ ଦେଇ ବସିଛି। କିଛି ଗରିବ ଚାଷୀ ବାଧ୍ୟ ହୋଇ ଧାନକୁ କମ୍ ମୂଲ୍ୟରେ ଦଲାଲକୁ ଟେକି ଦେଉଛନ୍ତି। ହାଡଥରା ଶୀତ କାକରରେ ଧାନ ଭାର ନେଇ ଧାନ ବିକ୍ରି ପାଇଁ ଉର୍ଦ୍ଦିଷ୍ଟ ସେବା ସମବାୟ ସମିତିର ମଣ୍ଡିକୁ ଗଲା ବେଳକୁ ସେଠି ଜଗି ବସିଛନ୍ତି ମିଲର ମାଫିଆ। ମାଫିଆ ମିଲରଙ୍କ ଚକ୍ରାନ୍ତର ଚକ୍ରବ୍ୟୁରେ ବିଚରା ଅସହାୟ ହେଉଛି ଚାଷୀ।

ତଥ୍ୟ କହୁଛି ଚଳିତ ବର୍ଷ ଜିଲ୍ଲାରେ ୯୮ ଟି ସେବା ସମବାୟ ସମିତି ଓ ୫୪ ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣାଯିବା ନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ଡିସେମ୍ବର ମାସରୁ ଧାନ କିଣା ସରକାରୀ ଭାବେ ଆରମ୍ଭ କରାଯାଇଥିଲେ ମଧ୍ୟ ବାସ୍ତବରେ ଅଧିକାଂଶ ମଣ୍ଡି ଖୋଲାଯାଇ ନାହିଁ। ମଣ୍ଡି ଖୋଲିବାର ଘୋଷଣା ଘୋଷଣାରେ ରହିଥିବା ବେଳେ ସମବାୟ ସମିତି ନିଜ ମର୍ଜିରେ ଖୋଲୁଛନ୍ତି ମଣ୍ଡି। ଚଳିତ ବର୍ଷ ଜିଲ୍ଲାରୁ ପ୍ରଥମ ଦଫାରେ ମୋଟ ୧୪ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ କରାଯିବାର ଲକ୍ଷ୍ୟ ରଖାଯାଇଛି। ସରକାରୀ ଭା‌ବେ ଧାନ କିଣା ଆଗଉ ନଥିବା ବେଳେ ବେସରକାରୀ ଭାବେ ଦଲାଲ ଧାନ ଉଠାଇ ନେଉଛନ୍ତି। କଳା ବଜାରରେ ଧାନ ବିକ୍ରୀ କରିବାର ସବୁ ଗଳାବାଟ ପ୍ରଶାସନ ଖୋଲି ଦେଇଛନ୍ତି। ଯେତେ ବାହାର ବେପାରୀ ଜିଲ୍ଲାକୁ ପଶିବେ। ଯୋଗାଣ ବିଭାଗର ସେତେ ପିସି ମିଳିବ। ପକେଟ ସେତେ ସେମାନଙ୍କର ଗରମ ହେବ। ଜିଲ୍ଲା ଯେଗାଣ ବିଭାଗର ଚକ୍ରାନ୍ତ ହେଉଛି। ଯେମିତି ଚାଷୀ ସହଜ ଓ ସରଳ ଉପାୟରେ ମଣ୍ଡିରେ ଧାନ ବିକ୍ରୀ କରି ନପାରନ୍ତୁ। ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯେତେବେଳେ ଏହା ଚାହୁଁଛନ୍ତି। ସେତେବେଳେ ଚାଷୀ ଆଉ କାହା ମୁଣ୍ଡ ଧରି କାନ୍ଦିବ। ଚାଷୀର ଧାନ ଟଙ୍କାକୁ ଖାଇ ଜିଲ୍ଲାର କିଛି ଅଫିସର ମାଲେମାଲ ହେଉଥିବା ବେଳେ ଚାଷୀର ଦୁଃଖ ନକହିବା ଭଲ। ସରକାରୀ ମଣ୍ଡିରୁ ଧାନ ଉଠାଇବା ପାଇଁ ଜିଲ୍ଲାରେ ୨୧ ଟି ମିଲର ଓ ବାହାର ଜିଲ୍ଲାରୁ ୨ଟି ମିଲର ମୋଟ ୨୩ ଟି ମିଲର ସାମିଲ ଅଛନ୍ତି।

ଜିଲ୍ଲାରେ ୭୦ ହଜାର ଚାଷୀ ଖରିଫ ଧାନ ବିକ୍ରୀ କରିବା ପାଇଁ ପଂଜିକରଣ କରିଥିବା ବେଳେ ଏବେ ସୁଦ୍ଧା ଜିଲ୍ଲାରେ ୧୦ ପ୍ରତିଶତ ଧାନ କିଣା ଯାଇନାହିଁ। ୧୪ ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ୍ ରହିଥିବା ବେଳେ ଏବେ ସୁଦ୍ଧା ମାତ୍ର ୪୦ ହଜାର କୁଇଣ୍ଟାଲରୁ କମ୍ ଧାନ କିଣାଯାଇଛି। ଅନ୍ ଲାଇନ୍ ସିଷ୍ଟମ ଫେଲ୍ ହେଉଥିବା ବେଳେ ଅଧିକାଂଶ ପାକ୍ସରେ କଂପୁଟର ଠିକ୍ ଭାବ‌େ କାମ କରୁନାହିଁ। ଯେଉଁ ଟୋକନ୍ ଚାଷୀଙ୍କୁ ମିଳିଛି। ସେମାନେ କେ‌ତେ ଧାନ ସରକାରୀ ଭାବେ ବିକ୍ରୀ କରିବେ ତାହାର କିଛି ତାଳ ମେଳ ରହୁନାହିଁ। ଜିଲ୍ଲା ଯୋଗାଣ ବିଭାଗ ଠିକ୍ ତଥ୍ୟ ପ୍ରଦାନ କରିବାରେ ବିଫଳ ହେଉଥିବା ବେଳେ ଅନେକ ସମୟରେ ଯୋଗାଣ ବିଭାଗର ଅଧିକାରୀମାନେ ଚାଷୀଙ୍କର ଟେଲିଫୋନ୍ ଉଠାଉ ନାହାନ୍ତି। ଅଭିଯୋଗ କଲେ ଫଳ କିଛି ମିଳୁ ନାହିଁ ବୋଲି ଚାଷୀ ଓ ଚାଷୀ ସଂଗଠନ ଅଭିଯୋଗ ଉଠାଇଛି। ଅନ୍ୟପକ୍ଷରେ ଚାଷୀଠାରୁ ଧାନ କିଣିବା ବେଳେ ଜିରୋ କଟିଂ ରେ ଧାନ କିଣିବାକୁ ସରକାରୀ ଭାବ‌େ ନିର୍ଦ୍ଦେଶ ରହିଥିବା ବେଳେ ସରକାରଙ୍କର ଏଭଳି ନିର୍ଦ୍ଦେଶକୁ ଭଦ୍ରକ ଜିଲ୍ଲାରେ ଉଲ୍ଲଂଘନ କରୁଥିବା ଅଧିକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କୃଷକ ସଂଗଠନ ଗୁଠିକ ଦାବି ଉଠାଇଛନ୍ତି।

ସମ୍ବନ୍ଧିତ ଖବର