ଧାନ ମଣ୍ତିରେ ମିଲର୍ ରାଜ୍! ଅଭାବି ବିକ୍ରିରେ ଧନ୍ଦି ହେଉଛନ୍ତି ଚାଷୀ

ଜଗତସିଂହପୁର: ନାଉଗାଁ ବ୍ଲକ୍‌ର ଗଜରାଜପୁର କୃଷି ସମବାୟ ସମିତିର ଚାଷୀ ବିଚିତ୍ରାନନ୍ଦ ପରିଡ଼ା ଓ କ୍ଷେତ୍ରମୋହନ ମହାନ୍ତିଙ୍କ ଭଳି ଏକାଧିକ ଚାଷୀ ୧୭ ଦିନ ହେଲା ମଣ୍ତିରେ ଧାନ ବିକ୍ରି ଖୋଲା ଆକାଶ ତଳେ ଧାନ ପକାଇ ଚାତକ ଭଳି ଚାହିଁ ରହିଛନ୍ତି। କେବଳ ନାଉଗାଁ କାହିଁକି ତିର୍ତୋଲ ଓ ଏରସମାରେ ବ୍ଲକ୍‌ରେ ମଧ୍ୟ ସମାନ ଅବସ୍ଥା। ମିଲରମାନେ ଆଦୌ କଟ୍‌ନି ଟଟ୍‌ନି କରିପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଥିବା ସତ୍ବେ କୌଣସି ମିଲର୍‌ ତାହା ମାନୁ ନାହାନ୍ତି। ସାରା ଜିଲ୍ଲାରେ ଏବେ ଧାନ ମଣ୍ତିକୁ ନେଇ ଚିନ୍ତାରେ ଚାଷୀ। ସମସ୍ତ ମଣ୍ତିରେ ପ୍ରାୟ ମିଲରମାନଙ୍କ ରାଜ୍ ଚାଲିଛି। ମିଲର୍‌ ନିଜ ମନ ମୁତାବକ କଟ୍‌ନି ଛଟ୍‌ନି କରୁଥିବା ବେଳେ ଅଖା ମୂଲ୍ୟ, ଗାଡ଼ି ଭଡ଼ା ବାବଦ ଅର୍ଥ ହଡ଼ପ ନେଇ ମଧ୍ୟ ଅଭିଯୋଗ ସାମ୍ନାକୁ ଆସିଛି। କେବଳ ସେତିକି ନୁହେଁ ପଂଜୀକରଣ କରି ଟୋକନ୍‌ ପାଇଥିବା ଚାଷୀ ଧାନ ଦେବାକୁ ଚାହିଁ ନିରାଶ ହୋଇଛନ୍ତି। କେତେକ ଚାଷୀ ବାଧ୍ୟ ହୋଇ ଧାର୍ଯ୍ୟ ସରକାରୀ ଦରରୁ କମ୍‌ ମୂଲ୍ୟରେ ଧାନ ବିକ୍ରି କରି ଦେଉଛନ୍ତି। କେବଳ ସେତିକି ନୁହେଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଓ୍ବେବ୍‌ ସାଇଟ୍‌ରେ ତ୍ରୁଟି ଥିବାରୁ ବହୁ ଚାଷୀ ଧାନ ବିକ୍ରି କରି ନପାରି ମୁଣ୍ତରେ ହାତ ଦେଇ ବସିଛନ୍ତି। ଫଳରେ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସ‌େ୍ତାଷ ଦେଖା ଦେଇଛି।

ଜଗତସିଂହପୁର ଜିଲ୍ଲାରେ ୧୦୫ଟି ମଣ୍ତିରୁ ଦୁଇଟି ଫେଜ୍‌ରେ ୧୦ ଲକ୍ଷ ୭୦ ହଜାର କ୍ବିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ୍‌ ଆସିଥିଲା। ବର୍ତ୍ତମାନ ସୁଦ୍ଧା ୮ ଲକ୍ଷ ୩୦ ହଜାର କ୍ବିଣ୍ଟାଲ ଧାନ କିଣା ଯାଇଛି। ଚଳିତ ବର୍ଷ ସାଧାରଣ ଧାନ(ଏଫ୍‌ଏକ୍ୟୁ)ର ମୂଲ୍ୟ କ୍ବିଣ୍ଟାଲ ପ୍ରତି ୧୮୬୮ ଟଙ୍କା ରଖାଯାଇଥିବା ବେଳେ ଗ୍ରେଡ–ଏ ଧାନର ମୂଲ୍ୟ ୧୮୧୮ ଟଙ୍କା ରଖାଯାଇଛି। ମାତ୍ର ମଣ୍ତିରେ ଧାନ କିଣାରେ ବିଳମ୍ବ ହେଉଥିବାରୁ ଚାଷୀମାନେ ବେପାରୀଙ୍କୁ କମ୍ ଦରରେ ଏମିତିକି ୧୩୨୦–୧୩୫୦ ଟଙ୍କାରେ ଧାନ ବିକ୍ରି କରି ଦେଉଛନ୍ତି।
ପ୍ରାୟ ଜିଲ୍ଲାର ସମସ୍ତ ମଣ୍ତିରେ ୨–୩ କିଲୋ ପର୍ଯ୍ୟନ୍ତ କଟାଯାଉଛି। ଚାଷୀ ମଣ୍ତିକୁ ଆଣୁଥିବା ଧାନ ଅଖା ମୁତାବକ ୫–୧୦ ଟଙ୍କା ଦିଆଯିବ ନଚେତ ସେମାନଙ୍କୁ ମିଲର ଅଖା ଫେରାଇବା ନିୟମ ରହିଛି। ମାତ୍ର ଚାଷୀମାନଙ୍କୁ ଅଖା ବାବଦ ଅର୍ଥକୁ ମଧ୍ୟ ମିଲର ହଡ଼ପ କରିନେଉଥିବା ଅଭିଯୋଗ ହେଉଛି।

୨୦୨୦ ସେପ୍ଟେମ୍ବର ୧୮ ତାରିଖରେ ଯୋଗାଣ ବିଭାଗ ପକ୍ଷରୁ କରାଯାଇଥିବା ନୋଟିସ୍‌ ମୁତାବକ, ଚାଷୀମାନେ ସେମାନଙ୍କ ଜମି ଓ ଧାନର ପରିମାଣ ସଂକ୍ରାନ୍ତରେ ତଥ୍ୟ ସହ ପଂଜିକୃତ କରିଥିଲେ। ଏହାକୁ ଯୋଗାଣ ବିଭାଗ ତର୍ଜମା କରି ଚାଷୀ କେତେ ଧାନ କେବେ ଦେବେ ସେ ନେଇ ଅନଲାଇନରେ ଦିନ ଧାର୍ଯ୍ୟ କରିଥାନ୍ତି। ମାତ୍ର ଏଥିରେ ମଧ୍ୟ ତ୍ରୁଟି ସ୍ପଷ୍ଟ ଭାବେ ବାରି ହୋଇପଡ଼ିଛି। ଡେରିକି ପ୍ରାଥମିକ ସମବାୟ ସମିତି ଅଧୀନରେ ଥିବା ଚାଷୀ ଅଶୋକ ବରାଳ ୭ ଏକର ଜମିରେ ଚାଷ କରିଥିବା ନେଇ ପଂଜିକରଣ କରିଥିଲେ। ଯୋଗାଣ ବିଭାଗ ପକ୍ଷରୁ ୧୩ କ୍ବିଣ୍ଟାଲ ଧାନ ବିକ୍ରି କରିପାରିବେ ବୋଲି ଅଶୋକଙ୍କୁ ଅନଲାଇନ୍‌ରେ ଜଣାଇ ଦିଆଗଲା। ମାତ୍ର ଆଉ ଜଣେ ଚାଷୀ ତପୋଧନ ସ୍ବାଇଁ ୮ ଏକର ଜମିରେ ଚାଷ କରିଥିବା ନେଇ ପଂଜିକରଣ କରିଥିଲେ ମଧ୍ୟ ସେ ୪ କ୍ବିଣ୍ଟାଲ ଧାନ ବିକ୍ରି କରିପାରିବେ ବୋଲି କୁହାଯାଇଛି। ଫଳରେ ଯୋଗାଣ ବିଭାଗର ଏ କି ନିୟମ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି। ଏଭଳି ସ୍ଥିତିରେ ଚାଷୀ ଅଭାବୀ ବିକ୍ରିର ଶିକାର ‌ହେଉଛନ୍ତି ଓ ବ୍ୟବସାୟୀ, ମିଲର୍‌ ତାର ଫାଇଦା ଉଠାଉଛନ୍ତି। ସେମାନେ ଗାଁର ବଡ଼ ବଡ଼ ଚାଷୀଙ୍କୁ ହାତ କରି ଅନ୍ୟମାନଙ୍କ ଘରୁ ଧାନ କିଣୁଥିବା ଦେଖାଯାଉଛି। ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ବିବେକନନ୍ଦ କେରକେରାଙ୍କୁ ପଚାରିବାରୁ ମଣ୍ତିରେ ଧାନର ଅଭାବକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଛନ୍ତି। ମିଲର୍ ଗାଡ଼ି ବିଳମ୍ବରେ ଆଣୁଥିବାରୁ କିଛି ସ୍ଥାନରେ ଧାନ କିଣିବାରେ ସାମାନ୍ୟ ବିଳମ୍ବ ହେଉଛି। କୌଣସି ମଣ୍ଡିରୁ କଟ୍‌ନି ଛଟ୍‌ନି ନେଇ ତାଙ୍କ ପାଖକୁ ଅଭିଯୋଗ ଆସିନାହିଁ। ଧାନ କିଣା ସୁରୁଖୁରୁରେ ଚାଲିଛି। କୌଣସି ମଣ୍ଡିରୁ ଏପରି ଅଭିଯୋଗ ଆସିଲେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର