ଆସନ୍ତା ୨୧ ତାରିଖ ଠାରୁ ରବି ଋତୁ ଧାନ କିଣା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଖରିଫ ଋତୁ ଧାନ କିଣାରେ ଅବ୍ୟବସ୍ଥା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ତେବେ ଖରିଫ ଋତୁରେ ବାଦ୍ ପଡ଼ିଥିବା ଚାଷୀଙ୍କ ଠାରୁ ରବି ଋତୁରେ ଧାନ କିଣାଯିବା ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି। ଏନେଇ ସୂଚନା ଦେଇ ଯୋଗାଣ ବିଭାଗ ଅଧିକାରୀ ଅନାମ ଚରଣ ସ୍ୱାଇଁ କହିଛନ୍ତି ଯେ ଅପ୍ରିଲ୍ ୨୯ ତାରିଖରେ ଜିଲ୍ଳାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏନେଇ ଜିଲ୍ଲାସ୍ତରୀୟ ଧାନକିଣା କମିଟି ବୈଠକ ବସିଥିଲା। ଏଥିରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଥିଲେ। ବୈଠକ ଭାର୍ଚୁଏଲ୍ ମାଧ୍ୟମରେ ହୋଇଥିଲା। ବୈଠକରେ ଆର୍ଏମ୍ସି ସେକ୍ରେଟାରୀ, ପିଡି ଡିଆର୍ଡିଏ, ଏଡିଏମ୍, ମିଲର ପ୍ରଭୃତି ଯୋଗ ଦେଇଥିଲେ। ବୈଠକର ନିଷ୍ପତ୍ତି ଅନୁସାରେ ଆସନ୍ତା ୨୧ ତାରିଖ ଠାରୁ ରବି ଋତୁ ପାଇଁ ଧାନ କିଣାଯିବ। ଏଥିପାଇଁ ମୋଟ ୧୬୦୮ ଜଣ ଚାଷୀ ପଂଜୀକରଣ କରିଛନ୍ତି।

ଏହା ମଧ୍ୟରୁ ୫୨୨ଜଣ ନୂତନ ଚାଷୀ ହୋଇଥିବା ବେଳେ ବଳକା ୧୦୫୯ଜଣ ଖରିଫରେ ବାଦ୍ ପଡ଼ିଥିବା ଚାଷୀ ଅଟନ୍ତି। ପ୍ରଥମ ଦଫାରେ ୧୩ହଜାର ୨୩୫ କ୍ୱିଂଟାଲ୍ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ରବି ଋତୁରେ କୋଭିଡ୍ କଟକଣା ମଧ୍ୟରେ ଧାନମଣ୍ଡିରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଜଟଣୀ ଓ ବାଲୁଗାଁ ଆର୍ଏମ୍ସି ସଚିବଙ୍କୁ ବୈଷୟିକ କର୍ମଚାରୀ ଓ ଆବଶ୍ୟକ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ନିର୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ୨୦୨୦-୨୧ ଖରିଫ ଋତୁରେ ଜିଲ୍ଲାରେ ପ୍ରାୟ ୪୨ ହଜାର ଚାଷୀ ପଂଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୦ ହଜାର ୨୪୧ ଚାଷୀଙ୍କ ଠାରୁ ମାର୍ଚ୍ଚ ଶେଷ ସୁଦ୍ଧା ୧୫ ଲକ୍ଷ ୭ହଜାର ୭୭୦ କ୍ୱିଂଟାଲ୍ ଧାନ କିଣାଯାଇଥିବା ବେଳେ ସେମାନଙ୍କ ଆକାଉଣ୍ଟ ମୋଟ ୨୮୧ କୋଟି ୫୬ ଲକ୍ଷ ୫୦ ହଜାର ୭୮୩ ଟଙ୍କା ଧାନବିକ୍ରି ଲବ୍ଧ ଟଙ୍କା ପଠାଯାଇଛି।

ସମ୍ବନ୍ଧିତ ଖବର