ବିରଳ ରକ୍ତଦାନ କରି ଚର୍ଚ୍ଚାରେ ରିଙ୍କୁ ସମରଥ

ମାଲକାନଗିରି: ମାଲକାନଗିରି ଜିଲ୍ଲା ରକ୍ତ ଭଣ୍ଡାରର ଅବସ୍ଥା ଏବେ ବି ସୁଧୁରି ପାରିନାହିଁ। ରକ୍ତର ଅଭାବ ଏବେ ବି ରକ୍ତ ଭଣ୍ଡାରରେ ଲାଗି ରହିଛି। ତେଣୁ ରକ୍ତ ଭଣ୍ଡାରରୁ ରକ୍ତ ନେଇ କେହି ରୋଗୀଙ୍କ ଜୀବନ ବଞ୍ଚିବ ତାହା ଭାବିବା ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ସ୍ବପ୍ନ। ତେଣୁ ରୋଗୀଙ୍କ ସଂପର୍କୀୟ ମାନେ ବିଭିନ୍ନ ସ୍ବେଚ୍ଛାସେବୀ, ଅନୁଷ୍ଠାନର ସଦସ୍ୟ ମାନଙ୍କୁ ଅନୁରୋଧ କରି ରକ୍ତ ଯୋଗାଡ କରିବାରେ ସଫଳ ହେଉଛନ୍ତି। ଏଭଳି ଏକ ବିରଳ ରକ୍ତଦାନ କରି ସ୍ଥାନୀୟ ରିଙ୍କୁ ସମରଥ ଚର୍ଚ୍ଚାକୁ ଆସିଛନ୍ତି। ଏମପିଭି-୮୧ର ଚନ୍ଦନା ହାଲଦାର ନାମକ ମହିଳା ଗତ କିଛିଦିନ ହେଲା ରୋଗରେ ଆକ୍ରାନ୍ତ ହୋଇ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ତାଙ୍କୁ ତୁରନ୍ତ ରକ୍ତ ଦରକାର ପଡିବାରୁ ଡାକ୍ତର ପରିବାର ଲୋକଙ୍କୁ ଏ-ନେଗେଟିଭ ରକ୍ତ ଯୋଗାଡ କରିବାକୁ କହିଥିଲେ।

ତେବେ ପରିବାର ଲୋକ ଏ-ନେଗେଟିଭ ରକ୍ତ କେଉଁଠୁ ଯୋଗାଡ କରିବେ ତାହାକୁ ନେଇ ଚିନ୍ତାରେ ପଡିଥିଲେ। ଦୁଇ ଦିନ ହେଲା ପରିବାର ଲୋକେ ରକ୍ତ ଖୋଜି ଖୋଜି ନୟାନ୍ତ ହୋଇଗଲେ। କିନ୍ତୁ ରକ୍ତ ମିଳିପାରିଲା ନାହିଁ। ଯେଉଁମାନେ ଏହି ଏ- ନେଗେଟିଭ ରକ୍ତଦାତା ସେମାନେ ସମସ୍ତେ ଆଗରୁ ଦେଇସାରିଥିଲେ। ତେବେ ଜଣେ ଏନସିସି ଯୁବକ ରିଙ୍କୁ ସମରଥ ଏହା ଜାଣିବା ପରେ ସେ ନିଜେ ରକ୍ତ ଭଣ୍ଡାରକୁ ଆସି ରକ୍ତଦାନ କରିଥିଲେ। ଯାହାଫଳରେ ମହିଳାଙ୍କ ଜୀବନ ବଞ୍ଚିପାରିଥିବା କୁହାଯାଇଛି। ତେବେ ରିଙ୍କୁଙ୍କ ଏହି ଅବଦାନ ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର