ଗ୍ରାମ୍ୟ ଜଙ୍ଗଲକୁ ନେଇ ଦୁଇ ଗାଁ ମଧ୍ୟରେ ଉତେଜନା, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମାଧାନ ପାଇଁ ପ୍ରୟାସ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଗୁଡ୍ରା ମୌଜାରେ ଥିବା ଗ୍ରାମ୍ୟ ଜଙ୍ଗଲକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କରଙ୍କ ସମେତ ତେନ୍ତୁଳିଖୁଣ୍ଟି ପୁଲିସର ଉପସ୍ଥିତିରେ ସମାଧାନ ହୋଇଥିଲେ ହେଁ ସ୍ଥାୟୀ ସମାଧାନ ହୋଇପାରି ନଥିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଲାଗିରହିଛି। ଦୀର୍ଘ ୧୩ବର୍ଷ ଧରି ଏହି ବିବାଦ ଲାଗି ରହିଥିଲେ ହେଁ ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନର ବାଟ ଫିଟି ପାରିନି। ଯାହା ଦ୍ୱାରା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି।

ସୂଚନା ଅନୁଯାୟୀ, ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ପଞ୍ଚାୟତ ଅନ୍ତର୍ଗତ ଗୁଡ୍ରା ମୌଜାର ଖାତା ନଂ ୪୨୭ ଏବଂ ପ୍ଲଟ ନଂ ୧୩୪୦,୧୩୪୧ ପ୍ରକାରେ ୫୬ଏକର ଗ୍ରାମ୍ୟ ଜଙ୍ଗଲ ରହିଛି। ଏହି ଜଙ୍ଗଲକୁ ନେଇ ଗୁଡ୍ରା ଏବଂ କୁସୁମୀ ଗାଁ ମଧ୍ୟରେ ୨୦୦୯ମସିହାରୁ ବିବାଦ ଲାଗି ରହିଛି । ବାରମ୍ବାର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ ଅଦ୍ୟାବଧି ହୋଇପାରିନି। ତେବେ ଚାରି ମାସ ପୂର୍ବେ ଗୁଡ୍ରା ଗ୍ରାମବାସୀ ୫୬ ଏକର ଜଙ୍ଗଲର ଗଛ କାଟି ଦେଇଥିଲେ। ଏହାକୁ ନେଇ କୁସୁମୀ ଗ୍ରାମବାସୀ ବିରୋଧ କରିବା ସହ ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ। ପ୍ରଶାସନ ପକ୍ଷରୁ ସମାଧାନ ନହେବା ପର୍ଯ୍ୟନ୍ତ ଦୁଇ ଗୋଷ୍ଠୀ ମଧ୍ୟରୁ କେହି ମଧ୍ୟ କାଠ ନେଇପାରିବେ ନାଇଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ଗୁଡ୍ରା ଗ୍ରାମବାସୀ ହଣା ଯାଇଥିବା କାଠ ନେବାକୁ ଆରମ୍ଭ କରିଥିଲେ। ଏହା ଦେଖି କୁସୁମୀ ଗ୍ରାମବାସୀ ତହସିଲଦାର ଏବଂ ତେନ୍ତୁଳିଖୁଣ୍ଟି ଥାନାକୁ ଜଣେଇଥିଲେ। ତହସିଲଦାର ଶ୍ରୀ କରଙ୍କ ସମେତ ଆଇଆଇସି ପ୍ରମୋଦ ନାୟକ, ଏସଆଇ ପର୍ଶୁରାମ ସାହୁ, ଏଏସଆଇ କୁବେର ଦିଗାଲଙ୍କ ସମେତ ଏକ ପୁଲିସ ଟିମ ଘଟଣା ସ୍ଥଳରେ ପହଂଚି ବୁଝେଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଗୁଡ୍ରା ଗ୍ରାମର ୪୦୦ରୁ ଉର୍ଦ୍ଧ୍ବ ଲୋକ ହୋହାଲ୍ଲା କରି କାଠ ନେବାକୁ ଜିଦରେ ଅଟକ ରହିଥିଲେ। ତେବେ କୁସୁମୀ ଗ୍ରାମର କୌଣସି ଲୋକ ଉପସ୍ଥିତ ନଥିଲେ। ଗତ ଦୁଇଦିନ ଧରି ଗୁଡ୍ରା ଗ୍ରାମବାସୀ କାଠ ନେଉଥୁଲେ। ପ୍ରତିପକ୍ଷଙ୍କ ଅଭିଯୋଗକ୍ରମେ ପ୍ରଶାସନ ପକ୍ଷରୁ ଉକ୍ତ ଜଙ୍ଗଲରେ ପହଂଚି ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ବୁଝିବାକୁ ନାରାଜ ହୋଇଥିଲେ। ତହସିଲଦାର ଶ୍ରୀ କର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ କଟା ଯାଇଥିବା ଗଛ ନେବାକୁ ବାରଣ କରିବା ସତ୍ତ୍ବେ ଗୁଡ୍ରା ଗ୍ରାମବାସୀ କାଠ ନେବା ଜିଦିରେ ଥିବା ଶ୍ରୀ କର ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି ଗତ ୧୩ବର୍ଷ ଧରି ଗ୍ରାମ୍ୟ ଜଙ୍ଗଲ କୁ ନେଇଁ ଦୁଇ ଗାଁ ମଧ୍ୟରେ ବିବାଦ ଲାଗିରହିଛି। ପ୍ରଶାସନ ପକ୍ଷରୁ ଅଦ୍ୟାବଧି ସ୍ଥାୟୀ ସମାଧାନ ର ବ୍ୟବସ୍ଥା ହୋଇପାରିନି। ଫଳରେ ଆଗାମୀ ଦିନରେ ଏହି ବିବାଦ ଉଗ୍ର ରୂପ ନେବା ନେଇଁ ଜଳ ଜଳ ଦେଖାଯାଉଛି, ଏଣୁ ବେଳ ଥାଉଁଣୁ ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ ର ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ନଚେତ ଆଗାମୀ ଦିନରେ ଏକ ବଡ଼ ଧରଣର ଗଣ୍ଡଗୋଳ ପରିସ୍ଥିତି ଉପୁଜି ଅନେକ ଧନ ଜୀବନ କ୍ଷତି ହେବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ ବୋଲି ସାଧାରଣ ରେ ଆଲୋଚନା ହେଉଛି। ଅନ୍ୟ ପଟେ ଗୁଡ୍ରା ଗ୍ରାମବାସୀ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ କୌଣସି ସମାଧାନ କରୁନଥୁବା ପ୍ରତିବାଦ ରେ ତାଙ୍କ କୁଶ ପୁତ୍ତଳିକା ଦାହ କରିଥୁବା ସହ ଜଙ୍ଗଲ ରୁ କଟା ଯାଇଥିବା ସମସ୍ତ ଗଛ ନେଇ ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର