ଭୋକ ଉପାସରେ ଆର୍‌ଆଇଟି କର୍ମଚାରୀ, ବାକି ପଡିଛି ୬ କୋଟିର ବକେୟା ଦରମା

ଧରାଛୁଆଁ ଦେଉ ନାହାନ୍ତି ମ୍ୟାନେଜମେଣ୍ଟ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ଅନ୍ୟତମ ସର୍ବପୁରାତନ ଶିକ୍ଷାନୁଷ୍ଠାନ ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆର୍‌ଆଇଟି) ଶତାଧିକ କର୍ମଚାରୀଙ୍କୁ ବର୍ଷ ବର୍ଷ ଧରି ଠକି ଚାଲିଛି ମ୍ୟାନେଜମେଣ୍ଟ। ମାସେ କି ଦୁଇ ମାସ ନୁହେଁ ଶହେ କର୍ମଚାରୀଙ୍କ ୪୨ ମାସର ଦରମା, ୪୪ ମାସର ପିଏଫ୍‌ ବାବଦ ପ୍ରାୟ ୬ କୋଟି ଟଙ୍କା ବାକି ପଡିଛି। ଆନ୍ଦୋଳନ, ଆମରଣ ଅନଶନ, ଧାରଣା ସତ୍ବେ ଧରାଛୁଆଁ ଦେଉ ନାହାନ୍ତି ପରିଚାଳନା କମିଟିର ସମ୍ପାଦକ ପ୍ରଭାତ ମହାପାତ୍ର। ଆଜି କାଲି କହି ମାସ ମାସ ସମୟ ଗଡାଇ ଚାଲିଛନ୍ତି। ପରିଚାଳନା କମିଟିର ଏଭଳି ଅବହେଳା ପ୍ରତିବାଦରେ ଆର୍‌ଆଇଟି କର୍ମଚାରୀମାନେ ବ୍ୟାପକ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀମାନେ ପୃଥକ ପୃଥକ କଲୁଙ୍ଗାସ୍ଥିତ ଶିକ୍ଷାନୁଷ୍ଠାନ ଓ ସିଭିଲଟାଉନସି୍ପସ୍ଥିତ ସିଟି କାର୍ଯ୍ୟାଳୟରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଧାରଣାରେ ବସିବେ। ଏଥିପାଇଁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଉଭୟ ପରିଚାଳନା କମିଟିର ସଭାପତି ରମେନ୍ଦ୍ର କୁମାର ପୂଜାରୀ, ସମ୍ପାଦକ ପ୍ରଭାତ ମହାପାତ୍ର ଦାୟୀ ରହିବେ ବୋଲି କର୍ମଚାରୀଙ୍କ ପକ୍ଷରୁ କୁହାଯାଇଛି।

କର୍ମଚାରୀ ପି.କେ. ସିହ୍ନା, କାଦମ୍ବିନୀ ଜେନା, ଦିଲୀପ ବିଶୋଇ, ସୁଧୀର ନ୍ଦର, ପ୍ରମୋଦ କୁମାର ମିଶ୍ର, ଅକ୍ଷୟ କୁମାର ମହାନ୍ତି, ପ୍ରଦୀପ କୁମାର ଦାଶ, ମନୋଜ କୁମାର ସାହୁ, ପି.କେ. ସେଠୀ, ସଞ୍ଜୟ ରାୟ, ଏସ୍. ପତି, ପାର୍ଥ ପଣ୍ଡା, ସୁରେଶ ସିଂ କହିଛନ୍ତି ଅନୁଷ୍ଠାନର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଜି ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି। ବିଡମ୍ବନା, ମ୍ୟାନେଜମେଣ୍ଟର ବାରମ୍ବାର ଲିଖିତ ପ୍ରତିଶ୍ରୁତି ଖିଲାପ କରିବାର ଅଭ୍ୟାସ ବିରୋଧରେ ଆସନ୍ତା ୧୮ରେ ଆର୍‌ଅଇଟିର କୌଣସି କାର୍ଯ୍ୟରେ ଯୋଗ ଦେବେ ନାହିଁ। ଏଥିପାଇଁ କୌଣସି କାର୍ଯ୍ୟ ବାଧାପ୍ରାପ୍ତ ହେଲେ କର୍ମଚାରୀମାନେ ଦାୟୀ ରହିବେ ‌।

ସେପଟେ ୪୨ ମାସର ଦରମା ମିଳି ନଥିବାରୁ କର୍ମଚାରୀଙ୍କ ପରିବାର ଭୋକ ଉପାସରେ ରହୁଛନ୍ତି। ଅଧିକାଂଶ ପରିବାର ଦିନକୁ ଠିକ୍‌ ଭାବେ ଦୁଇ ଓଳି ଖାଇବାକୁ ଅସମର୍ଥ। ପିଲାଙ୍କ ପାଠପଢ଼ା ଖର୍ଚ୍ଚ ମଧ୍ୟ ବହନ କରି ପାରୁ ନାହାନ୍ତି। ଗୋଟିଏ ପରିବାର ପଟେ ଚିନ୍ତା, ଅନ୍ୟ ପଟେ ପିଲାଙ୍କ ଭବିଷ୍ୟତକୁ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି କର୍ମଚାରୀ। କେତେକ କର୍ମଚାରୀଙ୍କ ସିଟି କାର୍ଯ୍ୟାଳୟରେ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଛନ୍ତି। କିନ୍ତୁ ମ୍ୟାନେ‌ଜମେଣ୍ଟ ଦେବାଳିଆ ସ୍ଥିତିର ଆଳ ଦେଖାଇ ବର୍ଷ ବର୍ଷର ବକେୟା ଦେବାକୁ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ସୂଚନାଯୋଗ୍ୟ, କଲୁଙ୍ଗାସ୍ଥିତ ଆର୍‌ଆଇଟି ବକେୟା ଦରମା ବିବାଦ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ପୀତବାସ ମିଶ୍ର। ଅନେକ ଥର କର୍ମଚାରୀମାନେ ସିଟି ଅଫିସରେ ଆମରଣ ଅନଶନ ଦେଇଛନ୍ତି। ସମ୍ପାଦକଙ୍କୁ ସିଟି କାର୍ଯ୍ୟାଳୟରୁ ଚଲାଇ ଚଲାଇ ଅତିରିକ୍ତ ଜିଲ୍ଲାପାଳ ଅଫିସ୍‌କୁ ଆଣିଛନ୍ତି। ଏମିତିକି ବିଧାୟକଙ୍କ ଉପସ୍ଥିତିରେ ଗତ ଫେବ୍ରୁଆରି ମାସରେ ବକେୟା ଦରମା ଦେବାକୁ ଉଭୟ ସଭାପତି, ସମ୍ପାଦକ କର୍ମଚାରୀଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଆଜି ଯାଏ ଦେଇଥିବା ପ୍ରତିଶ୍ରୁତି ମୁତବାକ ମ୍ୟାନେଜମେଣ୍ଟ କର୍ମଚାରୀଙ୍କୁ ବକେୟା ଦରମାରୁ ଟଙ୍କାଟିଏ ମଧ୍ୟ ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର