ରାୟଗଡା: ରାୟଗଡା ବ୍ଲକ ଅନ୍ତର୍ଗତ ତାଡମା ପଞ୍ଚାୟତର ଲୁହାଖାଲ ଗ୍ରାମର ରୀତା ଗତବର୍ଷ ଯକ୍ଷ୍ମା ରୋଗରେ ଶିକାରର ହୋଇ ନିଜର ଦୁଇ ଆଖି ହରାଇଛନ୍ତି।ଏବେ ସେ କିଛି ଦେଖିପାରୁନଥିବାବେଳେ ଯକ୍ଷ୍ମା ରୋଗରେ ପୀଡିତ ହେବା ପରେ ସେ ଔଷଧ ଓ ଇଂଜେକ୍ସନ ନେଇଥିଲେ। ତେବେ ଏହାର ପ୍ରଭାବରେ ହୁଏତ ତାଙ୍କର ଦୃଷ୍ଟିଶକ୍ତି ଚାଲିଯାଇଥାଇପାରେ ବୋଲି ଅନୁମାନ କରାଯାଉଛି।ଏହି ଖବର ସମ୍ବାଦରେ ଗତ ୬ ତାରିଖରେ ପ୍ରକାଶ ପରେ ପ୍ରଶାସନ ତତ୍ପରତା ଦେଖାଇଥିଲା। ରୀତାର ଚିକିତ୍ସା ପାଇଁ ଆଜି ମନ୍ତ୍ରୀ ନିଜେ ରୀତାକୁ ଡକାଇ ତାଙ୍କ ସହ ଆଲୋଚନା କରିଥିଲେ। ରୀତା ସହ ତାଙ୍କ ବାପା ଓ ମାଆ ମଧ୍ୟ ରାୟଗଡା ପହଞ୍ଚି ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ଝିଅର ଅବସ୍ଥା ସଂପର୍କରେ ବଖାଣିଥିଲେ।
ଝିଅ ବଡ ହୋଇ ଶିକ୍ଷୟତ୍ରୀ ହେବା ସହ ନିଜ ଅଞ୍ଚଳର ପିଲାଙ୍କୁ ପାଠ ପଢାଇବ ବୋଲି ଯେଉଁ ସ୍ବପ୍ନ ଦେଖିଥିଲା,ତାହା ପୂରଣ ହୋଇପାରିଲା ନାହିଁ। ଦୃଷ୍ଟିଶକ୍ତି ହରାଇବା ପରେ ସେ ଏବେ ଏକୁଟିଆ ହୋଇଯାଇଛି। ତା ସହ କେହି ଖେଳୁ ନାହାନ୍ତି କି କଥା ମଧ୍ୟ ଭଲ ଭାବେ ହେଉନାହାନ୍ତି। ମନ୍ତ୍ରୀ ସାରକା ସିଡିଏମଓ, ବିଡିଓଙ୍କ ସହ ଜିଲ୍ଲା ପ୍ରଶାସନ ସହ କଥାବାର୍ତ୍ତା କରି ତୁରନ୍ତ ଆଜି ହିଁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ସଂଧ୍ୟାରେ ରୀତା, ତାଙ୍କ ବାପା ଓ ମାଆ ମଧ୍ୟ ଭୁବନେଶ୍ବର ଯିବେ।
ରୀତା ମନ୍ତ୍ରୀଙ୍କର ଏହି ସହଯୋଗ ପାଇଁ ଧନ୍ୟବାଦ ଦେବା ସହ ସେ ଆଗକୁ ଦୃଷ୍ଟି ଶକ୍ତି ଫେରି ପାଇବ ଏବଂ ପାଠ ପଢି ଶିକ୍ଷୟତ୍ରୀ ହେବ ବୋଲି କହିଥିଲା। ପୁଣି ସେ ପ୍ରଥମେ ସମ୍ବାଦକୁ ଧନ୍ୟବାଦ ଦେଇଥିଲା। ସମ୍ବାଦ ମୋ ବିଷୟରେ ଖବର ପ୍ରକାଶ କରିଥିବାରୁ ମୁଁ ଆଜି ଭୁବନେଶ୍ବର ଯାଇପାରୁଥିବା କହିଥିଲା।ଅନ୍ୟଦିଗରେ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ରୀତାର ଏହି ଅସୁବିଧା ସଂପର୍କରେ ଖବରକାଗଜରୁ ଜାଣିବା ପରେ ସହଯୋଗ କରିବା ପାଇଁ ଆଗେଇ ଆସିଥିବା କହିଥିଲେ। ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।