ସୁନ୍ଦରଗଡ଼ର ସୁନା ଝିଅ ରିତୁ କଉଡ଼ି, ଜାତୀୟ ନୌକାଚାଳନାରେ ଜିତିଲେ ସ୍ବର୍ଣ୍ଣ

୧୩ ସ୍ବର୍ଣ୍ଣ, ୨ ରୌପ୍ୟ ସହ ଗୌରବମୟ ଯାତ୍ରା ଜାରି

ସୁନ୍ଦରଗଡ଼: କେବଳ ହକି ନୁହେଁ, ଅନ୍ୟ କ୍ରୀଡ଼ାରେ ମଧ୍ୟ ସୁନ୍ଦରଗଡ଼ର ଯୁବକଯୁବତୀଙ୍କ ଚମକ ଦେଖିବାକୁ ମିଳୁଛି। ଏବେ ନୌକା ଚାଳନାରେ ବାଲିଶଙ୍କରା ବ୍ଲକ କୁସୁମମୁରା ପଞ୍ଚାୟତର ନିପଟ ମଫସଲ ଗାଁ ସାଙ୍କୋବାହାଲର ଏକ ଚାଷୀ ପରିବାରର ଝିଅ ରିତୁ କଉଡ଼ି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଗୁଜରାଟର ଅହମଦବାଦସ୍ଥିତ ସାବରମତିରେ ଅନୁଷ୍ଠିତ ୩୬ତମ ଜାତୀୟ ନୌକାଚାଳନାରେ ଓଡ଼ିଶାର ପ୍ରତିନିଧିତ୍ବ କରି ୧୮ଶହ ମିଟରକୁ ମାତ୍ର ୭: ୪୧.୮୬ ମିନିଟରେ ଅତିକ୍ରମ କରି ସେ ରାଜ୍ୟ ତଥା ସୁନ୍ଦରଗଡ଼ ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି। ତାଙ୍କ ସହ ଯୋଡ଼ି ଥିଲେ କଟକର ସୋନାଲି ସ୍ବାଇଁ। କୋଚ୍ ଇମ୍ରପାଲ ସିଂହ, ବଜରଙ୍ଗଲାଲ କାକର, ଚୈତନ୍ୟ କୁମାରଙ୍କ ତତ୍ତ୍ବାବଧାନରେ ଓଡ଼ିଶାରୁ ୧୪ ଜଣ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।

ତେବେ ସୁନ୍ଦରଗଡ଼ ଜିଲ୍ଲା ତଥା ଓଡ଼ିଶା ପାଇଁ ତାଙ୍କର ଏ ଗୌରବମୟ ସଫଳତା ପ୍ରଥମ ନୁହେଁ। ଏହା ପୂର୍ବରୁ ବିଭିନ୍ନ ରାଜ୍ୟ ଓ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସେ ଭାଗ ନେଇ ୧୩ ସ୍ବର୍ଣ୍ଣ ଓ ୨ଟି ରୌପ୍ୟ ପଦକ ହାସଲ କରିସାରିଛନ୍ତି। ୨୦୧୮ରେ ସେ ଦକ୍ଷିଣକୋରିଆ ଠାରେ ସ୍ବର୍ଣ୍ଣପଦକ ହାସଲ କରି ଦେଶ ପାଇଁ ସୁନାମ ଆଣିଥିଲେ। ସାଙ୍କୋବାହାଲର ରିତୁଙ୍କ ବାପା ହୃଦାନନ୍ଦ କଉଡ଼ି ଜଣେ ସାଧାରଣଚାଷୀ।

Sambad

ଏହା ଛଡ଼ା ସବଡେଗାରେ ତାଙ୍କର ଏକ ଛୋଟ ସିଲେଇ ଦୋକାନ ଅଛି। ଘରେ ମା’ ତୁଳସୀ ଓ ସାନ ଭାଇ ରିତେଶ। ରିତୁଙ୍କ ପ୍ରାଥମିକ ସବଡେଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କଏଁସରାସ୍ଥିତ ନିର୍ମଳା ସେଣ୍ଟମେରି ମିସନ ସ୍କୁଲରେ ଶେଷ ହୋଇଥିଲା। ଏହା ପରେ ସପ୍ତମ ଶ୍ରେଣୀ ବେଳକୁ ସେ ସୁନ୍ଦରଗଡ଼ ସେଣ୍ଟ ମେରୀ ସ୍କୁଲକୁ ସ୍ଥାନାନ୍ତର ହୋଇଥିଲେ। ସେଠାରେ ସେ ଦଶମ ଯାଏ ପଢ଼ିଥିଲେ। ଏହି ସମୟରେ ସେ ଫୁଟବଲ ଖେଳୁଥିଲେ। ଭଲ ଫୁଟବଲ ଖେଳାଳି ଭାବେ ତାଙ୍କ ନାଁ ଥିଲା। ତେବେ ନବମ ପଡ଼ିବା ସମୟରେ ସେ ଚୟନ ହୋଇ କଟକ ଜଗତପୁରସ୍ଥିତ ସାଇ କ୍ରୀଡ଼ା ଛାତ୍ରାବାସରେ ପହଞ୍ଚିଥିଲେ। ସେଠାରେ ସେ ଫୁଟବଲରୁ ଏକ ଭିନ୍ନ କ୍ରୀଡ଼ା ନୌକାଚାଳନା ପ୍ରତି ଆକର୍ଷିତ ହୋଇଥିଲେ। ଆଗ୍ରହ ଦେଖି ରୋଇଂ କୋଚ୍ ଇମ୍ରପାଲ ସିଂହ ତାଙ୍କୁ ତାଲିମ ଦେଲେ। ନୌକାଚାଳନାରେ ସେ ୭ ବର୍ଷ ତାଲିମ ନେଲେଣି। ଏହା ମଧ୍ୟରେ ସେ ସୁନ୍ଦରଗଡ଼ ସେଣ୍ଟ ମେରିରେ ଦଶମ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବା ପରେ ୨୦୨୦ରେ ଜଗତପୁର ଏନଏସ କଲେଜରେ ଯୁକ୍ତ ଦୁଇ ଶେଷ କରିବା ପରେ ସେ ଏବେ ଏହି କ୍ରୀଡ଼ାରେ ମନୋନିବେଶ କରିଛନ୍ତି। ରିତୁଙ୍କ ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ କ୍ରୀଡ଼ାପ୍ରେମୀ ମହଲରେ ଉତ୍ସାହ ଭରିଛି।

ସମ୍ବନ୍ଧିତ ଖବର