୧୦୦ ବର୍ଷ ପୁରୁଣା ରଘୁନାଥ ମନ୍ଦିରରେ ବନ୍ଦ ହୋଇଗଲା ପହିଲି ଭ‌ୋଗ ନୀତି  

ନୀତିକାନ୍ତିରେ ବିଭ୍ରାଟ, ପରମ୍ପରାରେ ବ୍ୟାଘାତ ଲାଗି ଉଦ୍‌ବେଗ

ଭଞ୍ଜନଗର: ଭଞ୍ଜନଗର ସହରର ପରିଚୟ ବୋଲାଉଥିବା ଶତାଧିକ ବର୍ଷ ପୁରୁଣା ରଘୁନାଥ ମନ୍ଦିର ବର୍ତ୍ତମାନ ବ୍ୟାପକ ସମସ୍ୟା ଦେଇ ଗତି କରୁଛି। ଦୀର୍ଘ ଦିନ ଧରି ଟ୍ରଷ୍ଟି ପଦ ଖାଲି ପଡ଼ିଥିବା ବ‌େଳେ ମନ୍ଦିର ସୁପରିଚାଳନା ନେଇ ଆନ୍ତରିକତା ଅଭାବ ହେତୁ ଶୋଚନୀୟ ପରିସ୍ଥିତି ଉପୁଜିଛି। ଦିନେ ଯାନିଯାତ୍ରା ଓ ପୂଜାପାର୍ବଣ ପାଇଁ ଖଣ୍ଡମଣ୍ଡଳରେ ନିଜର ସ୍ବତନ୍ତ୍ରତା ବଜାୟ ରଖିଥିବା ଏହି ମନ୍ଦିରରେ କାମଚଳା ନୀତିରେ ସମସ୍ତ ବିଧିବିଧାନ ହେଉଥିବା ଶ୍ରଦ୍ଧାଳୁ ଅଭିଯୋଗ ଆଣିଥିଲେ। ଆଉ ସ୍ଥିତି ଏମିତି ହୋଇଛି ଯେ, ପରିଚାଳନାଗତ ତ୍ରୁଟି ଯୋଗଁ ଚଳିତବର୍ଷ ଧନୁ ସଂକ୍ରାନ୍ତିରୁ ଆରମ୍ଭ ପହିଲି ଭୋଗ ନୀତି ମଧ୍ୟ ବନ୍ଦ ହୋଇଯାଇଛି। ପ୍ରଥମ ଥର ପରମ୍ପରାରେ ବ୍ୟାଘାତ ଯୋଗୁଁ ଶ୍ରଦ୍ଧାଳୁଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କେବଳ ଖିରୀ ପୂଜା କରି ନୀତି ସଂପନ୍ନ କରାଯାଉଥିବା ମନ୍ଦିର ପୁରୋହିତ ପ୍ରକାଶ କରିଛନ୍ତି। ବର୍ତ୍ତମାନ କ‌ରୋନା କଟକଣା ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନ ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଠିକ୍ ଭାବେ ପରିଚାଳନା ମନ୍ଦିରର ପରିଚାଳନା ହୋଇପାରୁ ନଥିବାରୁ ଏହି ମନ୍ଦିର ନିଜର ପୂର୍ବ ଗୌରବ ଫେରାଇବାକୁ ବସିଛି।

ଭଞ୍ଜନଗର ସହରର ପ୍ରବେଶପଥରେ ସୁନ୍ଦର ଭବ୍ୟ ପରିବେଶ ମଧ୍ୟରେ ରଘୁନାଥ ସ୍ବାମୀଙ୍କ ମନ୍ଦିର ରହିଛି। ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରେ ଏହି ମନ୍ଦିର ପରିଚାଳିତ ହେଉଛି। ହେଲେ ଦୁଃଖର କଥା ହେଲା, ଏହି ମନ୍ଦିରର ବିକାଶ ପାଇଁ ସରକାରୀ ଓ ପ୍ରାଶାସନିକସ୍ତରରେ ଗୁରୁତ୍ବ ଦିଆଯାଉନି। ଆସନ୍ତାବର୍ଷ ଏହି ମନ୍ଦିର ନିର୍ମାଣକୁ ୧୦୦ ବର୍ଷ ପୂର୍ତ୍ତି ହେବ। କିନ୍ତୁ ଯେଉଁ ଭକ୍ତି ଭାବ ନେଇ ଏହି ମନ୍ଦିର ଗଢ଼ି ଉଠିଥିଲା, ୧୦୦ ବର୍ଷ ପ‌ରେ ଉକ୍ତ ମନ୍ଦିରର ସ୍ଥିତି ଏତେ ଶୋଚନୀୟ ହେବ, ଏହା କେହିବି ସ୍ବପ୍ନ ସୁଦ୍ଧା ଭାବି ନଥିଲେ।

ମିଳିଥିବା ତଥ୍ୟ ଅନୁଯାୟୀ, ରଘୁନାଥ ମନ୍ଦିରର କାର୍ଯ୍ୟ ୧୯୦୬ ମସିହାରେ ଆରମ୍ଭ ହୋଇ ୧୯୨୦ ମସିହାରେ ଶେଷ ହୋଇଥିଲା। ଅଞ୍ଚଳର ବଦାନ୍ୟ ବ୍ୟକ୍ତିଙ୍କ ଦ୍ବାରା ଚାନ୍ଦା ସଂଗ୍ରହ କରି ମନ୍ଦିର ନିର୍ମାଣ କରାଯାଇଥିଲା। ୧୯୨୧ରେ ଏଠାରେ ପ୍ରଥମେ ରଘୁନାଥ, ରାମେଶ୍ବର ଏବଂ ହନୁମାନ ମନ୍ଦିର ଏକା ସଙ୍ଗରେ ପ୍ରତିଷ୍ଠା ହୋଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ଏହାର ପରିଚାଳନା ଦାୟିତ୍ବରେ ରହିଥିଲେ। ବୈଦ୍ୟ ବାଚସ୍ପତି ଦେବୀ ପ୍ରସାଦ ତ୍ରିପାଠୀ ଦୀର୍ଘଦିନ ଧରି ଏହି ମନ୍ଦିର ଟ୍ରଷ୍ଟି ଦାୟିତ୍ବରେ ରହିବା ସହ ମନ୍ଦିର ବେଢ଼ାରେ ସୂର୍ଯ୍ୟ, ଗଣେଶ, ଗାୟତ୍ରୀ, ଦୁର୍ଗା, ସରସ୍ବତୀ ଓ ଗୌରାଙ୍ଗ ମନ୍ଦିର ପ୍ରତିଷ୍ଠା କରାଇଥିଲେ। ପରେ ସ୍ବର୍ଗତ ନଳିନୀକାନ୍ତ ତ୍ରିପାଠୀ ଟ୍ରଷ୍ଟି ଦାୟିତ୍ବ ତୁଲାଇଥିବା ବେଳେ ତାଙ୍କ ସମୟରେ ଶନି ଓ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଥିଲା।

ହେଲେ ଦୁଃଖର କଥା ହେଲା, ମନ୍ଦିର ଲକ୍ଷାଧିକ ଟଙ୍କାରେ ସ୍ଥାବରଅସ୍ଥାବର ସମ୍ପତ୍ତି ଥିଲେ ବି ଏହାକୁ ଠିକ୍ ଭାବେ ଉପଯୋଗ କରାଯାଇପାରୁନି। ପୂର୍ବରୁ ମନ୍ଦିରରେ ଶୀତଳଷଷ୍ଠୀ ଓ ରାମନବମୀ ଧୁମ୍‌ଧାମ୍‌ରେ ପାଳିତ ହେଉଥିଲା। ଜାଗର ସମୟରେ ସାରା ରାତି ଯାତ୍ରା ଲାଗୁଥିବା ବୟୋଜ୍ୟେଷ୍ଠ ବ୍ୟକ୍ତି ମାନ‌େ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସମସ୍ତ ନୀତିକାନ୍ତି ମନ୍ଦିର ବେଢ଼ା ଭିତରେ ସୀମିତ ରହୁଥିବାରୁ ଶ୍ରଦ୍ଧାଳୁ ମାନଙ୍କ ଭାବାବେଗକୁ ଆଘାତ ପହଞ୍ଚିଛି। ଏଥିସହ ମନ୍ଦିରରେ ଅଭ୍ୟର୍ଥନା ଭୋଗ ସହ ବଡ଼ ଥାଳି ଏବଂ ସାନ ଥାଳି ଭୋଗ ‌କରାଯାଉଥିବା ବ‌େଳେ ସେସବୁ ମଧ୍ୟ ବନ୍ଦ ହୋଇଯାଇ କେବଳ ସାନ ଥାଳିରେ ଭୋଗ ଠାକୁରଙ୍କୁ ଅର୍ପଣ କରାଯାଉଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ଟ୍ରଷ୍ଟି ଥିବା ନଳିନୀକାନ୍ତ ତ୍ରିପାଠୀଙ୍କ ଦେହାନ୍ତ ପରେ ଦେବୋତ୍ତର ବିଭାଗ ପକ୍ଷରୁ କାହାରିକୁ ନୂତନ ଟ୍ରଷ୍ଟି ଭାବେ ନିଯୁକ୍ତି ନ ଦିଆଯାଇ ଜଣେ ପୁରୋହିତଙ୍କୁ ଅସ୍ଥାୟୀ ଭାବେ ପରିଚାଳନା ଦାୟିତ୍ବ ଦିଆଯାଇଛି। ଏଭଳି ପରିସ୍ଥିତିରେ ଚଳିତବର୍ଷ ପହିଲି ଭୋଗ ନୀତିକୁ ବନ୍ଦ କରାଯାଇ କାମଚଳା ନୀତି ଚାଲିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସରକାର ଓ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ବର ‌ସହ ନେବା ସହ ସୁପରିଚାଳନା ନିମନ୍ତେ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଏହି ମନ୍ଦିର ଭଞ୍ଜନଗରବାସୀଙ୍କ ଭାବାବେଗ ସହିତ ଜଡ଼ିତ। ପିଲାଟି ଦିନରୁ ଅନେକ ଯାନିଯାତ୍ରା ଏଠାରେ ଦେଖିବାକୁ ମିଳୁଥିଲା। କିନ୍ତୁ ବର୍ତ୍ତମାନ ମନ୍ଦିରର ଏହି ଦୁରବସ୍ଥା ଦେଖିରେ ଦୁଃଖ ଲାଗୁଛି। ପରିଚାଳନାଗତ ତ୍ରୁଟି ଯୋଗୁଁ ବହୁ ପରମ୍ପରାରେ ବ୍ୟାଘାତ ସୃଷ୍ଟି ହୋଇଛି। ପହିଲି ଭୋଗ ବନ୍ଦ ହେବା ଅତ୍ୟନ୍ତ ଦୁଃଖଦାୟକ ଘଟଣା। ତେଣୁ ପୂର୍ବ ଗାରିମା ଫେରାଇ ଆଣିବା ସଠିକ ଟ୍ରଷ୍ଟ ଗଠନ ଜରୁରୀ ହୋଇ ପଡ଼ିଛି।

-ଜଗଦୀଶ ପାଣିଗ୍ରାହୀ, ଶ୍ରଦ୍ଧାଳୁ, ଭଞ୍ଜନଗର

ମନ୍ଦିର ପରିଚାଳନା ଦାୟିତ୍ବ ସଂପୂର୍ଣ୍ଣ ଦେବୋତ୍ତର ବିଭାଗ ଅଧୀନରେ ରହିଥିବା ବେଳେ ସଂପୃକ୍ତ ଅଧିକାରୀଙ୍କ ଚରମ ଅବହେଳା ପାଇଁ ଏହି ମନ୍ଦିରର ଆଜି ଏହି ଦଶା ପାଲଟିଛି। ଟ୍ରଷ୍ଟିଙ୍କ ଦେହାନ୍ତ ପରେ ତୁରନ୍ତ ନୂତନ କମିଟି ଗଠନ କରିବା ଦାୟିତ୍ବ ବିଭାଗର ରହିଥିବା ବେଳେ ଆନ୍ତରିକତାର ଅଭାବ ଯୋଗୁଁ ଭକ୍ତଙ୍କ ଭିତରେ ଅସନ୍ତୋଷ ବ୍ୟାପୁଛି।

-ସୁଶାନ୍ତ କୁମାର ମହାପାତ୍ର, ଠାକୁରାଣୀ ମନ୍ଦିର ପରିଚାଳନା କମିଟି ସଦସ୍ୟ

ଟ୍ରଷ୍ଟିଙ୍କ ଦେହାନ୍ତ ପରେ କିଛି ଦିନ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ମୋତେ ପରିଚାଳନା କରିବା ପାଇଁ ଦାୟିତ୍ବ ଦିଆଯାଇଥିଲା। ମନ୍ଦିର ବେଢ଼ାକୁ ଲାଗି ରହିଥିବା ‌କିଛି ଦୋକାନ ଘରରୁ ଆସୁଥିବା ଭଡ଼ାରେ ବର୍ତ୍ତମାନ ମନ୍ଦିର ସମସ୍ତ ଖର୍ଚ୍ଚ ହେଉଥିବା ବ‌େଳେ ପୂଜକ ମାନଙ୍କ ପାଉଣା ମଧ୍ୟ ସେହି ଟଙ୍କାରୁ ହିଁ ପ୍ରଦାନ କରାଯାଉଛି। ଏତେ ବଡ଼ ମନ୍ଦିର ପରିଚାଳନା ପାଇଁ ଗୋଟିଏ ବଳିଷ୍ଠ ପରିଚାଳନା କମିଟିର ଆବଶ୍ୟକତା ରହିଛି।

-ଉପେନ୍ଦ୍ର କୁମାର ମିଶ୍ର, ପୁରୋହିତ, ରଘୁନାଥ ସ୍ବାମୀ ମନ୍ଦିର,ଭଞ୍ଜନଗର

ସମ୍ବନ୍ଧିତ ଖବର