କୋରାପୁଟ: ଜୁନ, ଜୁଲାଇ ମାସ ପ୍ରଥମ ସପ୍ତାହରେ ବର୍ଷା ନଥିଲା। କିନ୍ତୁ ଗତ ଦୁଇଦିନ ହେଲା ଭଲ ବର୍ଷା ଆରମ୍ଭ ହୋଇଛି। ଆଜି ବି ବର୍ଷା ଜାରି ରହିଥିଲା। ଫଳରେ କୋରାପୁଟ ଜିଲ୍ଳାରେ ସ୍ଥିତି ବଦଳିଛି। ଗତ ୨୪ ଘଣ୍ଟା ଭିତରେ ଜିଲ୍ଳାରେ ହାରାହାରି ୭୧.୭୯ ମିମି ବର୍ଷା ହୋଇଥିଲା ବେଳେ କୋଲାବ ଜଳଭଣ୍ଡାରର ଜଳସ୍ତର ପାଖାପାଖି ଅଧା ମିଟର ବୃଦ୍ଧି ପାଇଛି। କୋରାପୁଟ ଜିଲ୍ଲାରେ ଚଳିତବର୍ଷ ଭଲ ବର୍ଷା ହୋଇ ନ ଥିଲା। ମେ’ ମାସରେ ଜିଲ୍ଲାରେ ହାରାହାରି ମାତ୍ର ୧୦୮.୨୨ ମିମି ବର୍ଷା ହୋଇଥିଲାବେଳେ ଜୁନରେ ହାରାହାରି ୧୩୧.୮୯ ମିମି ବର୍ଷା ହୋଇଥିଲା। ରଥଯାତ୍ରା ପର୍ଯ୍ୟନ୍ତ ପାଗ ମଧ୍ୟ ଶୁଖିଲା ଥିଲା। କିନ୍ତୁ ଗତକାଲି ଠାରୁ ସାରା ଜିଲ୍ଲାରେ ଲଗାଣ ବର୍ଷା ଆରମ୍ଭ ହୋଇ ଯାଇଛି। ଆଜି ପୂର୍ବାହ୍ନ ସୁଦ୍ଧା ଜିଲ୍ଳାରେ ହାରାହାରି ୭୧.୭୯ ମିମି ବର୍ଷା ହୋଇଛି। ଦଶମନ୍ତପୁରରେ ସର୍ବାଧିକ ୧୧୧.୦ ମିମି ବର୍ଷା ହୋଇଥିଲାବେଳେ କୋରାପୁଟରେ ୧୦୫.୪ ମିମି, ବୈପାରିଗୁଡାରେ ୮୬.୦, କୋଟପାଡରେ ୯୪ମିମି, ପଟାଙ୍ଗୀରେ ୭୮.୨ ମିମି ଓ ଲମତାପୁଟରେ ୮୫.୪ ମିମି ବର୍ଷା ହୋଇଛି। ବୋରିଗୁମ୍ମାରେ ସର୍ବନିମ୍ନ ୩୬.୦ ମିମି ବର୍ଷା ହୋଇଛି। ଆଜି ଦିନ ୨ଟା ଯାଏ ବର୍ଷା ଲାଗି ରହିଥିଲା। ଅପରପକ୍ଷରେ ବର୍ଷା କାରଣରୁ କୋଲାବ ଜଳସ୍ତର ବୃଦ୍ଧି ପାଇଛି। ଆଜି ସକାଳ ସୁଦ୍ଧା କୋଲାବର ଜଳସ୍ତର ୮୪୫.୯୦୦ ମିଟରରେ ପହଞ୍ଚିଛି। ଗତକାଲି ଏଠାରେ ଜଳସ୍ତର ୮୪୫.୬୮୦ ମିଟର ରହିଥିଲା। ବର୍ଷା ଲାଗି ରହିଥିବାରୁ ଜଳସ୍ତର ଆହୁରି ବଢିବ ବୋଲି ଅନୁମାନ କରାଯାଉଛି।
ଏହି ମାସରେ ଜିଲ୍ଲାରେ ସାଧାରଣ ବୃଷ୍ଟିପାତ ହେଉଛି ୧୦୦୫ ମିମି। କିନ୍ତୁ ଅଧିକାଂଶ ସମୟରେ ଏହାଠାରୁ ଅଧିକ ବର୍ଷା ହୋଇଥାଏ। ଏବର୍ଷ ବର୍ଷା କମିଯାଇଛି। ଜିଲ୍ଲାର ସ୍ଥିତି ଏମିତି ରହିଥିଲାବେଳେ କିଛି ବ୍ଲକର ସ୍ଥିତି ସଙ୍ଗୀନ। କୋରାପୁଟ, ଜୟପୁର, କୋଟପାଡ, ବୋରିଗୁମ୍ମା ଓ ବୈପାରୀଗୁଡାର ସାଧାରଣ ବୃଷ୍ଟିପାତ ହୋଇଛି। ମେ’ ଓ ଜୁନ ମାସରେ ଭଲ ବର୍ଷା ଅଭାବରୁ କୋଲାବ ଜଳଭଣ୍ଡାର ଖାଲି ପଡିଛି। ବିଶେଷକରି ଜଳଭଣ୍ଡାର ଉପର ଭାଗ ନନ୍ଦପୁର, ସେମିଳିଗୁଡା, ସୁନାବେଡା ଓ ଲମତାପୁଟ ଅଞ୍ଚଳରେ କମ ବର୍ଷା ହୋଇଥିବାରୁ ଏହା ଭର୍ତି ହୋଇନି। ଆଜି ସୁଦ୍ଧା ଏଠାରେ ଜଳସ୍ତର ୮୪୫.୯୦୦ ମିଟର ରହିଛି। ଏହି ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୮୫୮ ମିଟର ରହିଥିଲାବେଳେ ସର୍ବନିମ୍ନ ରହିଛି ୮୪୪ ମିଟର। ଜଳ ଭଣ୍ଡାର ଶୁଖିଲା ପଡିଥିବାରୁ ଏହା ବିଦ୍ୟୁତ ଉତ୍ପାଦନ ଓ ପାନୀୟ ଜଳ ଯୋଗାଣ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି। ଅଳ୍ପଦିନ ଭିତରେ ବଡ ବର୍ଷା ନ ହେଲେ ଏହା ଭର୍ତ୍ତି ହେବା ନେଇ ମଧ୍ୟ ସନ୍ଦେହ ଦେଖାଦେଇଛି।