ଜଗତସିଂହପୁର: ଅସାଧୁ ଅଧିକାରୀଙ୍କୁ ହାତରେ ରଖି ଲକ୍ଷାଧିକ ଟଙ୍କାର ବେଆଇନ କାରବାର କରୁଛନ୍ତି ନଦୀ ମାଫିଆ

ଜୀବିକା ହରାଉଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ, ନଷ୍ଟ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ଜଗତ୍‌ସିଂହପୁର ଟାଉନ୍‌: ନଦୀ ମାଫିଆଙ୍କ ରାଜ୍‌ ଚାଲିଛି। ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍‌ରେ ଥିବା ବିଭିନ୍ନ ନଦୀରେ ମାଫିଆମାନେ ଶହ ଶହ ବେଆଇନ ଆଡି ବନ୍ଧ କରି ନଦୀର ଶ୍ରୋତକୁ ବନ୍ଦ କରିଛନ୍ତି। କିଛି ଅସାଧୁ ଅଧିକାରୀଙ୍କୁ ହାତରେ ରଖି ଏମାନେ ନଦୀର ଶ୍ରୋତକୁ ହ୍ରାସ କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛନ୍ତି। ଏହାଦ୍ୱାରା ଧୀରେ ଧୀରେ ନଦୀ ଶଯ୍ୟା ଏବଂ ଜଟାଧାରୀ ମୁହାଣ ପୋତି ହୋଇ ଯିବାରୁ ଅତ୍ୟଧିକ ଜଳ ନିଷ୍କାସନ ହୋଇ ପାରୁନାହିଁ। ଚାଷ ଜମିରେ ଜୁଆର ସମୟରେ ସମୂଦ୍ର ଲୁଣା ପାଣି ମାଡି ଧାନ ନଷ୍ଟ ହେଉଛି। ଜଗତସିଂହପୁର ଜିଲ୍ଲାର ଲୋକେ ଏକ ପ୍ରକାର ବଡ଼ ବିପଦକୁ ଆମନ୍ତ୍ରଣ କରୁଛନ୍ତି।

କନ୍ଦରପୁର ନିକଟରୁ ବାହାରି ଥିବା ହଂସୁଆକୁ ଜଳ ନିସ୍କାସନ ପଥ କୁହାଯାଇଥାଏ। ତେବେ ହଂସୁଆ ଦେଇ ବରିଡ଼ି, ରଘୁନାଥପୁର, ତିର୍ତ୍ତୋଲ, ନାଉଗାଁ, ବାଲିକୁଦା ଓ ଏରସମାର ଅତ୍ୟଧିକ ଜଳ ନିସ୍କାସନ ହୋଇଥାଏ। ଏମିତିକି ବିଭିନ୍ନ ଜଳ ନିସ୍କାସନ ପଥ ଦେଇ ଜଗତସିଂହପୁର ଓ ନାଉଗାଁର ଜଳ ମଧ୍ୟ ଶେଷ ମୁଣ୍ଡରେ ହଂସୁଆ ପଟେ ଜଟାଧାରୀ ମୁହାଣ ଦେଇ ସମୂଦ୍ରରେ ପଡ଼ିଥାଏ। କିନ୍ତୁ ଏବେ ଗୋଡାଠାରୁ ଆରମ୍ଭ କରି ଗଡ଼ହରିଶପୁର, ପଦ୍ମପୁର, ଆମ୍ବିକି, ଜପା ପଂଚାୟତ ସହ ଜଟାଧାରୀ ମୁହାଣ ପର୍ଯ୍ୟନ୍ତ ନଦୀ ଶଯ୍ୟାରେ ବେଆଇନ ଆଡି ବନ୍ଧ କରାଯାଇଛି ।

ଶହ ଶହ କିଲୋମିଟର ଆଡ଼ି ବନ୍ଧ କରାଯିବା ଯୋଗୁଁ ନଦୀ ଜଳର ପ୍ରବାହରେ ରୋକ୍‌ ଲାଗିଛି। ବାତ୍ୟା ପରେ ପରେ କିଛି ମୁଷ୍ଟିମେୟ ଲୋକ ସ୍ଥାନୀୟ ଲୋକଙ୍କୁ ଡରାଇ ଧମକାଇ ନଦୀରେ ବେଆଇନ ଆଡି ବନ୍ଧ ନିର୍ମାଣ କରିଛନ୍ତି। ଆଡି ଭିତରେ ସେମାନେ କଙ୍କଡ଼ା ଓ ମାଛ ଚାଷ କରୁଛନ୍ତି। ରାସାୟନିକ ଔଷଧ ବ୍ୟବହାର ଦ୍ୱାରା ଜଳ ମଧ୍ୟ ଦୂଷିତ ହେଉଛି।

ସୂଚନାଯୋଗ୍ୟ, ୧୯୭୧ ମସିହାରେ ୩୦ରୁ ଅଧିକ ଗାଁର ଲୋକେ ମିଶି ସେମାନଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଜଟାଧାରୀ ମୁହାଣ ଖୋଳିଥିଲେ। ସେହିଦିନଠାରୁ ଆଉ ମୁହାଣ ଖୋଳା ଯାଇ ପାରିନାହିଁ। ୨୦ ବର୍ଷ ତଳେ ନଦୀର ଶ୍ରୋତ ପ୍ରଖର ଥିବାରୁ ସମୂଦ୍ର ଜୁଆର ଛାଡ଼ିବା ବେଳେ ପାଣି ସହ ବାଲି ଗୁଡ଼ିକ ସମୂଦ୍ରକୁ ଚାଲି ଯାଉଥିଲା । ହେଲେ ଯେବେଠାରୁ ବେଆଇନ ଆଡି ବନ୍ଧ କରାଯାଇଛି, ସେହିଦିନ ଠାରୁ ନଦୀର ଶ୍ରୋତ ଧୀରେ ଧୀରେ କମି ଯାଇ ଏବେ ନଦୀ ମଝିରେ ମାତ୍ର ଆଣ୍ଠୁଏ ପାଣି ଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ମୁଷ୍ଟିମେୟ ଲୋକମାନେ ଏରସମାର ଯେଉଁ ୫ ହଜାରରୁ ଅଧିକ ପରିବାର ନଦୀ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିଲେ, ତାଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛନ୍ତି। ସେମାନଙ୍କୁ ନଦୀରୁ ମାଛ ମାରିବାକୁ ଦେଉ ନାହାନ୍ତି।

ବେଆଇନ ଆଡିବନ୍ଧ ନିର୍ମାଣ ଦ୍ୱାରା ବର୍ଷା ଦିନେ  ଅତ୍ୟଧିକ ଜଳ ନିସ୍କାସନ ହୋଇ ପାରୁନାହିଁ। ଫଳରେ ଚାଷ ଜମିକୁ ଲୁଣା ପାଣି ମାଡ଼ୁଛି । କାଙ୍କଣ ନିକଟରେ ତଣ୍ଡାରେ ଗୋପାଳ ସଂପ୍ରଦାୟର ଲୋକମାନେ ଦଶନ୍ଧି ଦଶନ୍ଧି ଧରି ଗୋପାଳନ କରୁଛନ୍ତି। ଆଡିବନ୍ଧ ଦ୍ୱାରା ଗୋରୁଙ୍କ ଯିବା ଆସିବା ଓ କ୍ଷୀର ନେଇ ଷ୍ଟୋରକୁ ଦେବା, ନିତ୍ୟଦିନର କାର୍ଯ୍ୟ କରିବା ଅସମ୍ଭବ ହୋଇ ପଡ଼ୁଛି । ପଠାଣଡିଆ ମହାବୀର ପୀଠ ପର୍ଯ୍ୟଟନ ସ୍ଥଳୀ ରହିଛି ସେଠାକୁ ମଧ୍ୟ ଭକ୍ତମାନେ ଆସିବାକୁ ସମସ୍ୟାରେ ପଡ଼ୁଛନ୍ତି। ଦିନକୁ ଦିନ ନଦୀର ଶଯ୍ୟା ପୋତି ହୋଇ ଯିବା ସହ ଯେକୌଣସି ସମୟରେ ଲୁଣି ପାଣି ମାଡ଼ି ଯିବାର ଭୟ ରହିଛି। ନଦୀ ଶଯ୍ୟାକୁ ମୁହାଣ ମୁହଁ ପର୍ଯ୍ୟନ୍ତ ଖୋଳିବା ସହ ବେଆଇନ ଆଡି ବନ୍ଧକୁ ଭାଙ୍ଗିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଏନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନଦୀରୁ ବେଆଇନ ଆଡି ବନ୍ଧ ହଟାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର