ନଦୀ ପ୍ରଦୂଷଣ ମାମଲା: ଭୁବନେଶ୍ବର, ସମ୍ବଲପୁର ଓ ରାଉରକେଲା ପୌର ନିଗମକୁ ହାଇକୋର୍ଟଙ୍କ ନୋଟିସ୍

କଟକ: ନଦୀକୁ ବିଶୋଧନ ନ କରି ବର୍ଜ୍ୟଜଳ ଛଡ଼ାଯିବା ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଭୁବନେଶ୍ବର, ସମ୍ବଲପୁର ଓ ରାଉରକେଲା ପୌର ନିଗମକୁ ନୋଟିସ୍ ଜାରି କରିଛନ୍ତି। ଏହି ସବୁ ପୌରାଞ୍ଚଳରେ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ନେଇ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଏଥିସହ ଏହି ସବୁ ସହରାଞ୍ଚଳର ବର୍ଜ୍ୟଜଳ ନଦୀକୁ କିଭଳି ଭାବେ ଛଡ଼ାଯାଉଛି, ସେନେଇ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର୍‌.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ପରବର୍ତ୍ତୀ ଶୁଣାଣି ସମୟରେ ଏହି ତିନି ପୌର ନିଗମର ଅଧିକାରୀ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ଉପସ୍ଥିତ ରହି ପକ୍ଷ ରଖିବେ। ଆଜି ମାମଲାର ଶୁଣାଣି ସମୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦାଖଲ ତଥ୍ୟରୁ ସ୍ପଷ୍ଟ ହୋଇଥିଲା ଯେ ରାଜ୍ୟର କେତେକ ସହରର ବର୍ଜ୍ୟଜଳ ନଦୀକୁ ବିଶୋଧନ ନ କରି ଛଡ଼ାଯିବା ଦ୍ବାରା କେତେକ ସ୍ଥାନରେ ନଦୀଜଳ ବିଷାକ୍ତ ହେଉଛି।

ସମ୍ବନ୍ଧିତ ଖବର