ଜଗତସିଂହପୁର: ଅଳକା ନଦୀକୁ ନେଇ ତୁମ୍ବି ତୋଫାନ ହେବା ପରେ ଏହାକୁ ଉଦ୍ଧାର କରାଯାଇ ମଧୁର ଜଳ ଚାଷ ଦ୍ବାରା ବେକାରଙ୍କୁ ନିଯୁକ୍ତି ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ମାତ୍ର ଏହି ଯୋଜନା କାର୍ଯ୍ୟକାରୀ କରିବା ତ ଦୂରରେ ଥାଉ, ଅଳକାକୁ ବଞ୍ଚାଇ ରଖିବା ପାଇଁ ଆଦୌ ପଦକ୍ଷେପ ନେଲା ନାହିଁ। ଶେଷରେ ଏହାର ନଦୀ ପଠାକୁ ଧୀରେ ଧୀରେ ମାଫିଆମାନେ କବଜାକୁ ନେବା ଆରମ୍ଭ କରିଛନ୍ତି। ନଦୀର କିସମ ବଦଳାଇ ଏକର ଏକର ଜମିକୁ ଅନାୟାସରେ ସେମାନେ ବିକ୍ରି କରି ଚାଲିଛନ୍ତି। ନଦୀର ଶୁଖିଲା ଅଂଶକୁ ଜବର ଦଖଲ କରି ବେଆଇନ ଭାବେ ମହଲା ପରେ ମହଲା କୋଠା ନିର୍ମାଣ କରାଯାଉଛି। ସୂଚନା ମୁତାବକ, ଅଳକା ନଦୀ ଲୁଟ୍ ପଛରେ ଜିଲ୍ଲା ପ୍ରଶାସନର କିଛି କମ୍ ଭୂମିକା ନାହିଁ। ଏହି ନଦୀର ଉତ୍ପତ୍ତି ସ୍ଥଳ ବିଲୁଆଖାଇ ଉପରେ ଜଳସମ୍ପଦ ବିଭାଗ ଦୁଇ ଦଶନ୍ଧି ତଳେ ଏକ ବେଆଇନ ବନ୍ଧ ନିର୍ମାଣ କରି ନଦୀର ସ୍ରୋତକୁ ପ୍ରଥମେ ପ୍ରତିହିତ କରିଥିଲେ। ପରବର୍ତ୍ତୀ ସମୟରେ ଏହାର ଫାଇଦା ନେଇ ଜମି ମାଫିଆ ଓ ପ୍ରଭାବଶାଳୀ ଲୋକ ନଦୀ ପଠାକୁ ଜବରଦଖଲ କରି ସେଥିରେ ବେଆଇପ ଭାବେ ଅଟ୍ଟାଳିକା ନିର୍ମାଣ କରି ଚାଲିଛନ୍ତି। ଅନେକ ସ୍ଥାନରେ ନଦୀକୁ ସଂକୀର୍ଣ୍ଣ କରାଯାଇ ସୋଠ ଓ ରାସ୍ତା ନିର୍ମାଣ କରାଯାଇଛି। ଉଦ୍ବେଗଜନକ ଭାବେ ଏକାଧିକ ସରକାରୀ କୋଠା ମଧ୍ୟ ଅଳକା ନଦୀ ଉପରେ ନିର୍ମାଣ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଜଗତସିଂହପୁର ତହସିଲ କୋଠା ଅଳକା ନଦୀ ଉପରେ ନିର୍ମାଣ ହୋଇଛି। ଏସଭିଏମ୍ କଲେଜ ନିକଟରେ ଉଦ୍ୟାନ ବିଭାଗ ଗୃହ, ମୃତ୍ତିକା ସଂରକ୍ଷଣ ବିଭାଗ ଗୃହ, ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ମଧ୍ୟ ନଦୀ ପଠାର କିସମ ବଦଳାଇ ଏହା ଉପରେ ନିର୍ମାଣ କରାଯାଇଛି। କେବଳ ସେତିକି ନୁହେଁ, ଏପରିଏକାଧିକ ସରକାରୀ ପ୍ରକଳ୍ପ ନିର୍ମାଣ କରାଯାଉଛି। ଜଗତସିଂହପୁର କଲେଜ ଛକ ଠାରୁ ଷ୍ଟାଡିୟମ୍ ପର୍ଯ୍ୟନ୍ତ ବାମ ପାଖରେ ଅଧିକାଂଶ ଗୃହ ନିର୍ମାଣ କରାଯାଇଛି। ଜମି ପଟ୍ଟା ଜାଲିଆତି କରି ଏପରି କାରନାମା କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ସେ ଦିଗରେ ଆଦୌ ଦୃଷ୍ଟି ଦେଉ ନାହାନ୍ତି।
ବର୍ତ୍ତମାନ ନଦୀରେ ଜଳ ପ୍ରବାହ ନାହିଁ। ଶଯ୍ୟା ପୋତି ହେବାରେ ଲାଗିଛି। ବିରିଡ଼ି ବ୍ଲକର ବିରବରପାଟଣାରୁ ବିଲୁଆଖାଇର ଏକ ଶାଖା ନଦୀରୁ ବାହାରି ଜିଲ୍ଲାର ବିରିଡ଼ି, ବାଲିକୁଦା, ଜଗତସିଂହପୁର ଓ ଏରସମା ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାୟ ୫୨ କିମି ଦୈର୍ଘ୍ୟ ଏହି ନଦୀ ଉପରେ ଲକ୍ଷଲକ୍ଷ ଗ୍ରାମବାସୀ ଜଳସେଚନ, ମତ୍ସ୍ୟଚାଷ, ସ୍ନାନଶୌଚ ଉପରେନ ନିର୍ଭରଶୀଳ। କିନ୍ତୁ ସେଥିରୁ ପ୍ରାୟ ୨୦ କିମି ଦୀର୍ଘ ଦିନ ଧରି ଜୀବିତ ରହିଥିଲା। ଉପଯୁକ୍ତ ରକ୍ଷଣାବେକ୍ଷଣ ଯୋଗୁଁ ଏବେ ସମ୍ପୂର୍ଣ୍ଣ ନଦୀଟି ମରିବାକୁ ବସିଲାଣି। ନଦୀରେ ସ୍ରୋତ ଆସୁନଥିବାରୁ ସେସବୁ ନଦୀପଠା ଜବରଦଖଲ ହେଉଛି। ବିଭିନ୍ନ କାରଣରୁ ନଦୀରେ ପାଣି କମି କମି ଚାଲିଛି ବୋଲି ସେଂଟ୍ରାଲ ଇନ୍ଲାଣ୍ଡ୍ ଫିସରିଜ୍ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍ର ବରିଷ୍ଠ ଗବେଷକ ଏସ୍.କେ ଦାସଙ୍କ ନେତୃତ୍ୱରେ ଆସିଥିବା ଛଅ ଜଣ ବରିଷ୍ଠ ଗବେଷକ ଦେଇଥିବା ରିପୋର୍ଟ ଏବେ ପରିବେଶବିତ୍ଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ମୃତ ଅଳକା ନଦୀର ନବୀକରଣ ନିମନ୍ତେ ସେମାନେ ଦେଇଥିବା ପ୍ରସ୍ତାବ କାର୍ଯ୍ୟକାରୀ କରାଯିବା ଉପରେ ଏବେ ବିଭିନ୍ନ ମହଲରେ ମତପ୍ରକାଶ ପାଇଲାଣି। ଏହି ପାରମ୍ପରିକ ଜଳ ଉତ୍ସର ସୁରକ୍ଷା ପାଇଁ ସରକାର ଆଗକୁ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।