ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ସମ୍ମୁଖ ନେତାଜୀ ପାର୍କ। ସୌନ୍ଦର୍ଯ୍ୟକରଣ ଓ ଚତୁଃପାର୍ଶ୍ବ ପାଚେରୀ ନିର୍ମାଣ ଆଦି ବାବଦରେ ସ୍ମାର୍ଟସିଟି ପାଣ୍ଠିରୁ ପ୍ରାୟ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ସୌନ୍ଦର୍ଯ୍ୟକରଣ, ବ୍ୟାୟାମ ଉପକରଣ, ଆଲୋକୀକରଣ, ନେତାଜୀ ସୁବାସଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସମେତ ଅନ୍ୟାନ୍ୟ ବ୍ୟବସ୍ଥା କରି ସ୍ମାର୍ଟସିଟି ତା’ର କାମ ସାରି ଦେଇଛି। ଆର୍‌ଏମ୍‌ସି ବିଭାଗୀୟ ଅଧିକାରୀ ରକ୍ଷଣାବେକ୍ଷଣ ଓ ସୁରକ୍ଷାକୁ ଭୁଲିଯାଇଛି। ଫଳରେ ସହରର କେନ୍ଦ୍ରସ୍ଥଳସ୍ଥ ଏହି ପାର୍କ ତା’ର ଅସ୍ତିତ୍ବ ହରାଇବାକୁ ବସିଛି। ଶିଶୁମାନଙ୍କ ଖେଳ ଉପକରଣ, ଖୋଲା ଜିମ୍‌, ଆମ୍‌ପିଥିଏଟର, ଜଗ୍‌ଗିଂ ଟ୍ରାକ୍‌, ସାଧାରଣ ଶୌଚାଳୟ ଓ ବାୟୋ ଟଏଲଟ୍‌ ଆଦି ସୁବିଧା ଉପଲବ୍ଧ ଥିବା ପ୍ରବେଶ୍‌ ଗେଟ୍‌ ପାର୍ଶ୍ବରେ ବଡ ବଡ ଅକ୍ଷରରେ ଲେଖାଯାଇଛି। ହେଲେ ପାର୍କ ଭିତରର ଚିତ୍ର କିନ୍ତୁ ଓଲଟା। ପାର୍କକୁ ଅବସର ସମୟ ଅତିବାହିତ କରିବା କିମ୍ବା ସକାଳ ଓ ସାଂଧ୍ୟ ଭ୍ରମଣରେ ଆସୁଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଲେଖାଯାଇଥିବା ସୁବିଧା ମିଳୁନି। ବିଶୁଦ୍ଧ ଶୀତଳ ପାନୀୟ ଜଳଯୋଗାଣ ପାଇଁ ତ୍ରିଶକ୍ତି ସେବା ଟ୍ରଷ୍ଟ ପକ୍ଷରୁ ଶୀତଳ ମେସିନ୍‌ ସ୍ଥାପନ କରାଯାଇଛି। ତା’ ସମ୍ପୂର୍ଣ୍ଣ ଅକାମି ହୋଇ ପଡିଛି। ପାଣି ଟ୍ୟାପ୍‌ଗୁଡ଼ିକୁ ଚୋରି ହୋଇଯାଇଛି। ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ବରେ ହ୍ୟାଲୋଜିନ୍‌ ଆଲୋକ ବ୍ୟବସ୍ଥା କରାଯାଇଥିଲା। ଗୋଟିଏ ହେଲେ ହ୍ୟାଲୋଜିନ୍‌ ଲାଇଟ୍‌ ନାହିଁ। ଉଜ୍ଜଳ ଆଲୋକରେ ଝଲମଲ୍‌ ଦିଶୁଥିବା ନେତାଙ୍କ ପ୍ରତିମୂର୍ତ୍ତି ଅନ୍ଧାରରେ ରହିଛି। ପାର୍କର ପରିସରରେ ଷ୍ଟାଣ୍ଡପୋଷ୍ଟ ପାଣି ଟ୍ୟାପ୍‌ ଲାଗିଛି। ଗୋଟିଏ ହେଲେ ଟ୍ୟାପ୍‌ରୁ ପାଣି ବାହାରୁନି। ବସିବାକୁ ଯେତିକି ଚେୟାରର ବ୍ୟବସ୍ଥା କରାଯାଇଥିଲା, ତା’ର ଅଧିକାଂଶ କାମରେ ଆସୁନି। କେଉଁଠି ଭାଙ୍ଗିରୁଚି ନଷ୍ଟ ହୋଇଗଲାଣି ତ ଅନ୍ୟ କେଉଁଠି ଚୋରି ହୋଇଗଲାଣି। ସାଧାରଣ ଶୌଚାଳୟ ହେଉ ଅବା ବାୟୋ ଟଏଲଟ୍‌ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଯାହାର ଆଦୌ ବ୍ୟବହାର ଉପଯୋଗୀ ନୁହେଁ। ଅବଶଃ କିଛି ବ୍ୟାୟାମ ଉପକରଣ କାମରେ ଆସୁଛି। ଅଧିକାଂଶ ଭାଙ୍ଗି, ସେମିତି ଝୁଲୁଛି। ଯଦି ଆର୍‌ଏମ୍‌ସି ସମ୍ମୁଖ ପାର୍କର ଅବସ୍ଥା ଏମିତି, ତା’ ହେଲେ ସହରରେ ଅନ୍ୟ ପାର୍କଗୁଡ଼ିକର ସ୍ଥିତି କେ‌ମିତି ରହିଥିବ, ଏଥିରୁ ବାରି ହୋଇପଡୁଛି। ସୂଚନାଯୋଗ୍ୟ, ଗତ ୨୦୧୮ ନଭେମ୍ବର ୪ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହି ପାର୍କ ଉଦ୍‌ଘାଟନ ହୋଇଥିଲା। ଉପସ୍ଥିତ ଥିଲେ ପୂର୍ବତନ କେନ୍ଦ୍ର ଜନଜାତି କଲ୍ୟାଣମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ ରାଜ୍ୟ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ରଘୁନାଥପାଲୀର ପୂର୍ବତନ ବିଧାୟକ ସୁବ୍ରତ ତରାଇ, ପୂର୍ବତନ ରାଉରକେଲା ବିଧାୟକ ଦିଲୀପ ରାୟ, ତତ୍କାଳୀନ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଓ ତତ୍କାଳୀନ ସ୍ମାର୍ଟସିଟି ମୁଖ୍ୟ ନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା।